ପୁରୀ: ରାଜ୍ୟର ସବୁ ମୁକୁଳା ଡ୍ରେନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। କିନ୍ତୁ ଏହି ଆଦେଶକୁ ମାନିବାକୁ ନାରାଜ ପୁରୀ ପୌରପାଳିକା। ଯାହାର କୁପରିଣାମ ସ୍ବରୂପ ଆଜି ପୁରୀ ବଡ଼ଦାଣ୍ଡ ସଂଲଗ୍ନ ବଡ଼ଶଙ୍ଖ ବିଦ୍ୟାଳୟ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ କ୍ଷୀର ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଗଜପତିନଗରର ପ୍ରଦୀପ୍ତ କୁମାର ଚୌଧୁରୀ(୫୩)। ଆଜି ସକାଳେ ପ୍ରଦୀପ୍ତ ଗଜପତିନଗର ଛକ ମୁଣ୍ଡରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ପୂର୍ବାହ୍ଣ ପ୍ରାୟ ୧୧ଟାରେ ନାଳରେ କାହାରି ମୃତଦେହ ଭାସୁଥିବା ଦେଖି ଲୋକେ ପୁଲିସକୁ କହିଥିଲେ। ତତ୍କାଳ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ନାଳରେ ପଡ଼ି କ୍ଷୀର ବ୍ୟବସାୟୀଙ୍କ ମୃତ୍ୟୁ
ପୌରପାଳିକା କହିଲା ଜାତୀୟ ରାଜପଥ ନାଳ
ପ୍ରଦୀପ୍ତଙ୍କ ପରିବାର କହିଲେ, ସ୍ତ୍ରୀ ଓ ଏକମାତ୍ର ପୁଅ। ସ୍ତ୍ରୀ ଫୁଲବାଣୀରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ପୁଅ ଗୁଣପୁରରେ ବିଟେକ୍ ପଢ଼ନ୍ତି। ପୁଅ ଆଦିତ୍ୟ ଚୌଧୁରୀ ଅଭିଯୋଗ କହିଛନ୍ତି କି ବାପା ନାଳ ନିକଟକୁ ପରିସ୍ରା କରିବାକୁ ଯାଇଥିବା ସମୟରେ ଅନ୍ୟମନସ୍କରେ ନାଳ ଭିତରକୁ ଖସି ପଡ଼ିଥିଲେ। ନାଳର ପଙ୍କ ଭିତରେ ପୋତି ହୋଇ ପ୍ରାଣ ହରାଇଛନ୍ତି। ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବେ।
ସ୍ଥାନୀୟ ଅଞ୍ଚଳର ପ୍ରସନ୍ନ କୁମାର ମହାପାତ୍ର କହିଛନ୍ତି, ହାଇକୋର୍ଟ ବାରମ୍ବାର ଆଦେଶ ଦେଲେ ବି ପୁରୀ ପୌରାଞ୍ଚଳରେ ମାଳମାଳ ଡ୍ରେନ୍ ଏବେ ବି ମୁକୁଳା ପଡ଼ିଛି। ପୂର୍ବରୁ ବି କେତେଜଣ ପ୍ରାଣ ହରାଇଛନ୍ତି। ଏହା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଜରୁରି। ପୁରୀ ପୌରନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, ଏହି ନାଳ ଜାତୀୟ ରାଜପଥ ବିଭାଗ ଅଧୀନରେ ରହିଛି। ଏହାର ରକ୍ଷଣାବେକ୍ଷଣ, ସ୍ଲାବ୍ ପକାଇବା କାମ ବି ସେମାନେ କରୁଛନ୍ତି। ରଥଯାତ୍ରା ବେଳେ କେବଳ ଆମେ ଡ୍ରେନ୍ ସଫା କରୁଛୁ ବୋଲି ଶ୍ରୀ ବେହେରା କହିଛନ୍ତି।