ଭୁବନେଶ୍ବର : ମାର୍ଚ୍ଚ, ୨୦୧୯। ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ହଜାରେ କୋଟିର ପ୍ୟାକେଜ୍। ଠିକ୍‌ ଏହାର ବର୍ଷକ ପୂର୍ବରୁ ସବୁ ଡ୍ରେନ୍‌କୁ ନିୟମିତ ସଫା କରିବା ପାଇଁ ବିଏମ୍‌ସି ପ୍ରସ୍ତୁତ କରିଥିଲା ୧୫୩କୋଟିର ଡିପିଆର୍‌। ରାସ୍ତା ନିର୍ମାଣ ତ୍ରୁଟି ଯୋଗୁଁ ଡ୍ରେନ୍‌ରେ ଜଳ ନିଷ୍କାସନ ହେଉ ନ ଥିବାରୁ ଜୁଲାଇ ୨୦୧୭ରେ ତତ୍କାଳୀନ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାସ୍ତା ନିର୍ମାଣ ପାଇଁ ଏସ୍‌ଓପି ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। ଏସବୁ ବଡ଼ ବଡ଼ ଯୋଜନା, ଘୋଷଣା କେବଳ ରାଜଧାନୀକୁ ଜଳବନ୍ଦୀ ଦାଉରୁ ରକ୍ଷା କରିବା ପାଇଁ ହୋଇଥିଲା। ହେଲେ କିଛି ଲାଗୁ ହେଲାନି। ଆଉ ଅବ୍ୟବସ୍ଥିତ ଭାବେ ବଢ଼ୁଥିବା ଭୁବନେଶ୍ବରକୁ ସବୁଦିନ ପାଇଁ ଜଳବନ୍ଦୀ ସମସ୍ୟାରେ ଛାଡ଼ିଦିଆଯାଇଛି। ଯାହାର ପରିଣାମ ହେଲା ପ୍ରତିବର୍ଷ ଅସରାଏ ବଡ଼ ବର୍ଷାରେ ରାଜଧାନୀ ବାରମ୍ବାର ଜଳବନ୍ଦୀ ହେଉଛି। ‌ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି।

Advertisment

publive-image

ଏବେ ରାସ୍ତାକଡ଼ରେ ମୃତ୍ୟୁର ଜାଲ ବିଛା ଯାଇଛି। ଟିକେ ଅସାବଧାନତା ହିଁ ଜୀବନ ନେଇଯାଉଛି। ମୁକୁଳା ଡ୍ରେନ୍‌ ଏବେ ଏହି ମୃତ୍ୟୁଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଏପରିକି ୬ ବର୍ଷରେ ୭ଜଣ ମୁକୁଳା ଡ୍ରେନ୍‌ରେ ଭାସି ମଲେଣି। ହେଲେ ପ୍ରଶାସନ ଚେତୁନି। ଲୋକ ମୁକୁଳା ଡ୍ରେନ୍‌ରେ ପଡ଼ି ମରିବା ପରେ ଆଶ୍ୱାସନା ଜଣାଇବାକୁ ନେତା ଓ ଅଧିକାରୀଙ୍କ ସୁଅ ଛୁଟୁଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରିବାକୁ କାହାର ଆନ୍ତରିକତା ନାହିଁ। ଏପରିକି ଯାହା ଯୋଜନା କରିଛନ୍ତି ତାକୁ କାର୍ଯ୍ୟକାରୀ କରିବାକୁ ବାବୁମାନଙ୍କ ଆଗ୍ରହ ନଥିବାରୁ ସାଧାରଣ ଲୋକ ହିଁ ଭୋଗୁଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି କୌଣସି ଡ୍ରେନ୍ ମୁକୁଳା ପଡ଼ିବନି। ଯେଉଁ ଡ୍ରେନ୍ ନିର୍ମାଣ ହେବ ସେଠାରେ ସ୍ଲାବ୍ ପଡ଼ିବ। ହେଲେ ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ଯେଉଁଠି ନଜର ପଡ଼ିବ ସେଠି ମୁକୁଳା ଡ୍ରେନ୍। କେବଳ ଏତିକି ନୁହେଁ। ରାଜଧାନୀରେ ବିଏମ୍‌ସି ଅଞ୍ଚଳରେ ଜାତୀୟ ରାଜପଥ, ପୂର୍ତ୍ତ, ବିଏମ୍‌ସି, ଇଡ୍‌କୋର ପ୍ରାୟ ୧୭୫୦କିମି ରାସ୍ତା ଅଛି। ନିୟମ କହୁଛି ରାସ୍ତା ଯେଉଁଠି ରହିବ ସେଠାରେ ଡ୍ରେନ୍‌ ହେବ। ଯାହାଦ୍ବାରା ପାଣିର ସୁଅ ଅଧିକ ରହିବନି କି ପାଣି ନିଷ୍କାସନ ବାଧାପ୍ରାପ୍ତ ହେବନି। ହେଲେ ଏବେ ସୁଦ୍ଧା ଭୁବନେଶ୍ବରରେ ପ୍ରାୟ ୭୫୦କିମି ଡ୍ରେନ୍ ଅଛି। ପ୍ରାୟ ୧୦୦୦ କିମି ରାସ୍ତାରେ ଡ୍ରେନ୍ ହେବା ବାକି ଅଛି।

publive-image

ରାଜଧାନୀରେ ବିଏମ୍‌ସିର ପ୍ରାୟ ୧୧୭୨କିମି ରାସ୍ତା ଥିବାବେଳେ ଏଥିରୁ ମାତ୍ର ୪୦୦କିମିର ଡ୍ରେନ୍ ଅଛି। ପୂର୍ତ୍ତ ବିଭାଗର ୫୧୮କିମିର ରାସ୍ତା ଥିବାବେଳେ ଏଥିରୁ ପ୍ରାୟ ୩୦୦କିମିର ଡ୍ରେନ୍ ଅଛି, ଇଡ୍‌କୋର ୧୫କିମିର ରାସ୍ତା ଥିବାବେଳେ ଏଥିରୁ ୧୦କିମିର ଡ୍ରେନ୍ ଅଛି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୪୫କିମିର ରାସ୍ତା ଥିବାବେଳେ ଏଥିରୁ ପ୍ରାୟ ୪୦କିମିର ଡ୍ରେନ୍ ଅଛି। ବିଡ଼ମ୍ବନାର ବିଷୟ ପ୍ରାୟ ୩୫୦କିମି ଡ୍ରେନ୍‌ ଉପରେ ସ୍ଲାବ୍ ନାହିଁ। ଏହି ମୁକୁଳା ଡ୍ରେନ୍ ହିଁ ମରଣଯନ୍ତା ପାଲଟିଛି। କିନ୍ତୁ ଏଥିରେ ସ୍ଳାବ୍ ପକାଇବାକୁ ପଦକ୍ଷେପ ନିଆଯାଉନି।

କେବଳ ଏତିକି ନୁହେଁ, ବିଏମ୍‌ସି ଓ ବିଡିଏ ଏବେ ଘର ନିର୍ମାଣ ପାଇଁ ପ୍ଲାନ୍ ଅନୁମୋଦନ କ‌ଲାବେଳେ ସିଡିପି ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ଫଣ୍ଡ (ସିଆଇଡିଏଫ୍) ଏବଂ ଏକ୍ସଟରନାଲ୍‌ ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ପ୍ଲାନ୍‌ (ଇଆଇଡିପି) ବାବଦକୁ ବର୍ଷକୁ କୋଟି କୋଟି ଟଙ୍କା ଆଦାୟ କରୁଛନ୍ତି। ଘର ନିର୍ମାଣ ଖର୍ଚ୍ଚର ୧% ସିଆଇଡିଏଫ୍ ଏବଂ ୧% ଇଆଇଡିପି ବାବଦକୁ ନେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୩ହଜାର କୋଟିରୁ ଅଧିକ ଟଙ୍କା ଆଦାୟ ହେଲାଣି। ହେଲେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଏହାକୁ ବିନିଯୋଗ କରାଯାଉନି। ଲୋକଙ୍କ ଠାରୁ ରାସ୍ତା, ଡ୍ରେନ୍ ଆଦି ନିର୍ମାଣ କରିବାକୁ ଟଙ୍କା ନେଉଛନ୍ତି, କିନ୍ତୁ ଅନ୍ୟ ବାଟେ ଖର୍ଚ୍ଚ କରୁଛନ୍ତି।

publive-image

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜଧାନୀର ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ରାଜଧାନୀ ଯେଉଁଭଳି ଅବ୍ୟବସ୍ଥିତ ଭାବେ ବଢ଼ୁଛି ସେଥିରେ ପ୍ରାକୃତିକ ନାଳ ସଙ୍କୁଚିତ ହୋଇଯାଉଛି। ଫଳରେ କମ୍‌ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେଉଛି। ଯେଉଁଥିପାଇଁ ମୁଖ୍ୟ ଡ୍ରେନ୍‌ଗୁଡ଼ିକରେ ଅଧିକ ସୁଅ ରହୁଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ରେ ସ୍ଲାବ୍ ପକାଇବା ସମ୍ଭବ ନୁହେଁ। ସ୍ଲାବ୍ ପକାଇଲେ ଅଳିଆ ସଫା ହୋଇପାରିବନି। ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ଚିନ୍ତା କରାଯାଉଛି।