ଖଣ୍ଡଗିରି: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜୟଦେବ ବାଟିକାକୁ ଲମ୍ବିଥିବା ସର୍ଭିସ୍‌ ରୋଡ୍‌ରେ ଟିସୁ କଲ୍‌ଚର ଲାବରୋଟାରି ନିକଟ ମୁକୁଳା ‌ଡ୍ରେନ୍‌ରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗତ ଦୁଇ ସପ୍ତାହ ଭିତରେ ଏହି ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ କୃଷି ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ବାଇକ୍‌ ଆରୋହୀ ଆହତ ହେଲେଣି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପୂର୍ତ୍ତ ବିଭାଗ ‌ଦୋଷ ତୁଟାଇବାକୁ ୮ଟି କଂକ୍ରିଟ୍‌ ବ୍ଲକ୍‌ ଥୋଇ ଦେଇ ବସି ପଡ଼ିଛନ୍ତି। ହେଲେ ଏହି ମୃତ୍ୟୁଯନ୍ତାକୁ ପୂରାପୂରି ଆବଦ୍ଧ କରିବା କେତେ ଆବଶ୍ୟକ, ତାହା କର୍ତ୍ତୃପକ୍ଷ ହୃଦୟଙ୍ଗମ କରିପାରୁନାହାନ୍ତି। ମୁଣ୍ଡଖିଆ ମୁକୁଳା ଡ୍ରେନ୍‌ ପାଇଁ ଏହି ବାଟ ଦେଇ ଯାତାୟାତ କରୁଥିବା ଲୋକ ସବୁ ଦିନ ପ୍ରମାଦ ଗଣୁଥିବା ଅଭିଯୋଗ କରିଛନ୍ତି।

Advertisment

ଗତ ୧୧ ତାରିଖ ରାତି‌ରେ ଏହି ବାଟ ଦେଇ ନିଜ ବାଇକ୍‌ ଯୋଗେ କୃଷି ବୈଜ୍ଞାନିକ ଦେବାଶିଷ ପଟ୍ଟନାୟକ ଯାଉଥିଲେ। କୌଣସି କାମରେ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଛକରୁ ଶ୍ରୀଅରବିନ୍ଦ ସ୍କୁଲ୍‌ ଆଡ଼କୁ ଯାଉଥିଲେ। ଅନ୍ଧାରରେ ସେ ମୁକୁଳା ଡ୍ରେନ୍‌କୁ ଜାଣି ନପାରି ବାଇକ୍‌ ସହ ଭିତରକୁ ଗଳି ପଡ଼ିଥିଲେ। ରାସ୍ତା ଉପରୁ ପ୍ରାୟ ୨୦ ଫୁଟ୍‌ ଗଭୀରର ଉକ୍ତ ଡ୍ରେନ୍‌ରେ ପଡ଼ି ସେ ଅଣନିଃଶ୍ବାସୀ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ସେଠାରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ମାତ୍ର ହସ୍ପିଟାଲ୍‌ରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ସେହିପରି କଳିଙ୍ଗବିହାର ଅଞ୍ଚଳର ଦେବେନ୍ଦ୍ର ବେହେରା କିଛି ଦିନ ତଳେ ରାତି ପ୍ରାୟ ୯ଟା ବେଳେ ଉକ୍ତ ରାସ୍ତାରେ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଉକ୍ତ ଡ୍ରେନ୍‌କୁ ଜାଣିପାରି ନଥିଲେ। କିନ୍ତୁ ତାଙ୍କ ବାଇକ୍‌ର ବେଗ କମ୍‌ ଥିବାରୁ ସେ ଡ୍ରେନ୍‌ ଭିତରକୁ ଖସିବା ପୂର୍ବରୁ ମାଟି ଗଦାରେ ଗଳି ଅଟକି ଯାଇଥିଲେ। ଦେବେନ୍ଦ୍ରଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସବୁ ଦିନ ରାତିରେ ଏମିତି କିଛି ନା କିଛି ଦୁର୍ଘଟଣା ଘଟୁଛି। କେବଳ ରାତି ନୁହେଁ, ଦିନରେ ବି ଏଭଳି ଅଘଟଣ ଘଟୁଛି। ୧୯ ତାରିଖ ଦିନ ମଧ୍ୟାହ୍ନରେ ଜଣେ ବାଇକ୍ ଆରୋହୀ ବରମୁଣ୍ଡାରୁ ତପୋବନ ଆଡ଼କୁ ଯିବା ବେଳେ ଉକ୍ତ ନାଳ ଭିତରକୁ ଗଳି ପଡ଼ିଥିଲେ। ସୌଭାଗ୍ୟକୁ ଦିନ ବେଳା ହୋଇଥିବାରୁ ଉପସ୍ଥିତ ଲୋକମାନେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ଏବଂ ଖଣ୍ଡିଆଖାବରା ହୋଇଥିଲେ ହେଁ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ।

ସୂଚନାଯୋଗ୍ୟ ଯେ ଏହି ଡ୍ରେନ୍‌ଟି ଦୀଘ ବର୍ଷ ହେଲା ମୁକୁଳା ରହିଛି। କିଛି ଦିନ ତଳେ ଏହାକୁ ସଫା କରିବାକୁ ଯାଇ ଖୋଳା ଯାଇଛି। ହେଲେ ପଥଚାରୀଙ୍କ ସୁରକ୍ଷା ପାଇଁ ଏଠାରେ ସୂଚନାଫଳକ କିମ୍ବା ସୁରକ୍ଷା ବାଡ଼ ନାହିଁ। କୃଷି ବୈଜ୍ଞାନିକ ଦେବାଶିଷଙ୍କ ମୃତ୍ୟୁ ପରେ ନାଳର ଗୋଟିଏ ପଟେ ୪ଟି କଂକ୍ରିଟ୍‌ ବ୍ଲକ୍‌ ରଖାଯାଇଥିଲା‌ ଏବଂ ଆରପଟେ କିଛି ମାଟି ଗଦେଇ ଦିଆଯାଇଥିଲା‌। ଆଉ ୨ଜଣ ନାଳରେ ପଡ଼ିବା ପରେ ଆଉ ୬ଟି କଂକ୍ରିଟ୍‌ ବ୍ଲକ୍‌ ଥୁଆ ଯାଇଛି। ଉକ୍ତ ସ୍ଥାନଟି ଅନ୍ଧାରିଆ ହୋଇଥିବାରୁ ରାତିରେ ଏହି ରାସ୍ତାର ଅଦିନିଆ ଲୋକମାନେ ଡ୍ରେନ୍‌କୁ ଜାଣି ପାରୁନାହାନ୍ତି ଏବଂ କଂକ୍ରିଟ୍‌ ବ୍ଲକ୍‌‌ରେ ପିଟି ‌ହେଉଛନ୍ତି। ଅନ୍ୟପକ୍ଷରେ ରାସ୍ତାର ଏହି ଅଞ୍ଚଳରେ କିଛି ବସ୍ ପାର୍କିଂ କରୁଥିବାରୁ ରାସ୍ତା ଆହୁରି ଅଣଓସାରିଆ ହୋଇଯାଉଛି। ଫଳରେ ବାଇକ୍‌ ଆରୋହୀମାନେ ହଠାତ୍‌ ମୁକୁଳା ଡ୍ରେନ୍‌ ଦେଖିନପାରି ଗାତରେ ପଡ଼ୁଛନ୍ତି। ତେଣୁ ଲୋକଙ୍କ ସୁରକ୍ଷା ପାଇଁ ପୂର୍ତ୍ତ ବିଭାଗ କିଛି ସ୍ଥାୟୀ ପ୍ରତିକାର କରିବାକୁ ଦାବି ହେଉଛି।