ନାବାଳକର ଜୀବନ ଯିବା ପରେ ଚେତିଲା ପ୍ରଶାସନ, ବନ୍ଦ ହେବ ମୁକୁଳା ଡ୍ରେନ୍

ଭୁବନେଶ୍ୱର: ସହରାଞ୍ଚଳରେ ବନ୍ୟା ସ୍ଥିତି ନେଇ ବିଧାନସଭାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ଥିବା ଖୋଲା ଡ୍ରେନଗୁଡ଼ିକୁ ଶୀଘ୍ର ବନ୍ଦ କରାଯିବ। ଡ୍ରେନେଜ୍‌ ସମସ୍ୟା ସମାଧାନ ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ବୈଠକ ପରେ ଗୃହ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି।

ଆଜି ବୈଠକରେ ଭୁବନେଶ୍ୱର ସହ ଅନ୍ୟ ସହରର ଡ୍ରେନେଜ୍‌ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଡ୍ରେନେଜ ଓ ସ୍ୱରେଜ ସମସ୍ୟା ସମାଧାନ ନେଇ କଥାବାର୍ତ୍ତା ହୋଇଥିଲା। ଲୋକମାନେ ଡ୍ରେନ୍‌ ଉପରେ ଜବରଦଖଲ କରୁଥିବାରୁ ସମସ୍ୟା ଉପୁଜୁଛି। ଏନେଇ ଆସନ୍ତା ୫ ତାରିଖରେ ଆଉ ଏକ ବୈଠକ ବସି ନିଷ୍ପତ୍ତି ନିଆଯିବ। ତେବେ ଆଜିର ବୈଠକରେ ନଗର ଉନ୍ନୟନ ସଚିବ ଜି. ମାଥିଭାତନ , ବିଧାୟକ ଅମର ଶତପଥୀ ଏବଂ ମହମ୍ମଦ ମୋକ୍କିମ ମଧ୍ୟ ଉପସ୍ଥିତ ଥିଲେ।

ଗତ ରବିବାର ଟ୍ୟୁସନ ଯାଉଥିବା ବେଳେ ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଚାଲିଯାଇଥିଲା। ଖୋଦ୍‌ ରାଜଧାନୀରେ ଏଭଳି ଏକ ଘଟଣା ଘଟିଥିଲା। ଏହି ଘଟଣା ସମସ୍ତଙ୍କ ଭିତରେ ଆକ୍ରୋଶ ସୃଷ୍ଟି କରିଥିଲା। ଘଟଣାକୁ ନେଇ ରାଜନୀତି ଏବଂ ବିରୋଧ ତେଜିବା ପରେ ସମସ୍ତ ମୁକୁଳା ଡ୍ରେନ୍‌ ଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର