ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ପଡ଼ିଥିଲା ବାଡ଼ା। ଭକ୍ତ-ଭଗବାନଙ୍କ ଭିତରେ ପାଚେରି ସାଜିଥିଲା ପ୍ରଶାସନ ଓ ବ୍ୟବସ୍ଥା। ଅସହ୍ୟ ଥିଲା ଦର୍ଶନ କଟକଣା, ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା। ପ୍ରତିଦିନ ତିକ୍ତ ଅନୁଭୂତି ନେଇ ଫେରୁଥିଲେ ହଜାର ହଜାର ଭକ୍ତ। ଭକ୍ତଙ୍କ ଏହି ୪ ବର୍ଷର କଷ୍ଟ ଆଜି ଦୂର ହୋଇଛି। ୪ ବର୍ଷ ପରେ ଚାରିଦ୍ବାରରୁ ବିନା ବାଧାରେ ଆଜି ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏତେବର୍ଷ ପରେ ଚାରିଦ୍ବାରରୁ ଦର୍ଶନ ପାଇବା ପରେ ଭକ୍ତ ବି ଭାବବିହ୍ବଳ ହୋଇଛନ୍ତି। କାଳିଆ ଆଗରେ ୪ ବର୍ଷର ଯନ୍ତ୍ରଣା କହି ଲୋତକାଶ୍ରୁ ଝରାଇଛନ୍ତି। ଭକ୍ତିଭାବରେ ଭିଜିଛନ୍ତି। ଭକ୍ତଙ୍କ ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି।
୪ ବର୍ଷ ପରେ ମିଳିଲା ଚାରିଦ୍ବାରରୁ ଦର୍ଶନ
ଲୋତକାଶ୍ରୁ ଝରାଇଲେ ଭକ୍ତ
ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଲା ଖଣ୍ଡମଣ୍ଡଳ
କୋଭିଡ୍ ମହାମାରୀ ପରେ ୨୦୨୦ ମାର୍ଚ୍ଚ ୨୦ରୁ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନରେ କଟକଣା ଲାଗିଥିଲା। ଶ୍ରୀମନ୍ଦିର ପ୍ରବେଶରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ବର୍ଷକ ପରେ କୋଭିଡ୍ ଲହର କମିବା ପରେ ଦର୍ଶନ ଆରମ୍ଭ ହୋଇଛି କି ନାହିଁ, ପୁଣି ଦ୍ବିତୀୟ ଲହର ଆସିଲା ଓ ପୁଣିଥରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ହୋଇଯାଇଥିଲା। କୋଭିଡ୍ ସମ୍ପୂର୍ଣ୍ଣ ପ୍ରଶମିତ ହେବା ପରେ ବି ଭିଡ଼ ଓ ଅନ୍ୟାନ୍ୟ ଆଳରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଚାରିଦ୍ବାର ଦର୍ଶନ ବନ୍ଦ ରଖିଥିଲା। ଭକ୍ତଙ୍କୁ କେବଳ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଛଡ଼ାଯାଉଥିଲା। ଫଳସ୍ବରୂପ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ, ଭକ୍ତମାନେ ଖରାତରାରେ ଘଣ୍ଟା ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରୁଥିଲେ। ଏହାକୁ ନେଇ ବାରମ୍ବାର ବିରୋଧ ମୁଣ୍ଡ ଟେକିଛି। ଭକ୍ତ, ବିଭିନ୍ନ ସଂଗଠନମାନେ ଚାରିଦ୍ବାର ଖୋଲିବା ଦାବିରେ ଦସ୍ତଖତ ଅଭିଯାନଠାରୁ ଆରମ୍ଭ କରି ଆନ୍ଦୋଳନ ବି କରିଛନ୍ତି। କଂଗ୍ରେସ ବି ଏହା ବିରୋଧରେ ବଡ଼ଦାଣ୍ଡରେ ପଦଯାତ୍ରା, ତୁଳସୀ ଯାତ୍ରା ଆଦି କରିଥିଲା। ତଥାପି ସରକାର ଭକ୍ତଙ୍କ ଦାବି ଶୁଣିବାକୁ ନାରାଜ ଥିଲେ। କିନ୍ତୁ ବିଜେପି ସରକାର ଓଡ଼ିଶାରେ ଶାସନକୁ ଆସିବା ପରେ ପ୍ରଥମ ପଦକ୍ଷେପ ସ୍ବରୂପ ଭକ୍ତଙ୍କ ପାଇଁ ଚାରିଦ୍ବାର ଉନ୍ମୁକ୍ତ କରିଛନ୍ତି।
ଆଜି ଭକ୍ତ ବି ଚାରିଦ୍ବାରରୁ ପ୍ରବେଶ କରି ମନଭରି ମହାପ୍ରଭୁଙ୍କ ଦର୍ଶନ କରି ଅବ୍ୟକ୍ତ ଖୁସି ପ୍ରକଟ କରିଛନ୍ତି। ୪ ବର୍ଷର ଯନ୍ତ୍ରଣା କଥା କହିବା ବେଳେ କାନ୍ଦି ପକାଇଛନ୍ତି। ପୂର୍ବରୁ ଦର୍ଶନ ପାଇଁ ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ଅଧଘଣ୍ଟାରେ ମହାପ୍ରଭୁଙ୍କ ଦର୍ଶନ ମିଳିଯାଉଛି ବୋଲି କହିଛନ୍ତି। ଆଜି ଚାରିଦ୍ବାର ଖୋଲିବାର ଥିବାରୁ ମଙ୍ଗଳଆଳତି ପୂର୍ବରୁ ବହୁ ସଂଖ୍ୟାରେ ଭକ୍ତ ସିଂହଦ୍ବାର ଓ ଅନ୍ୟ ଦ୍ବାରରେ ଲମ୍ବାଧାଡ଼ିରେ ଅପେକ୍ଷା କରି ରହିଥିଲେ। ଭକ୍ତଙ୍କୁ ସ୍ବାଗତ ପାଇଁ ଆଜି ସିଂହଦ୍ବାରରେ ଝୋଟି ବି କରାଯାଇଥିଲା। ମଙ୍ଗଳଆଳତି ପରେ ପରେ ଆଜି ଚାରିଦ୍ବାର ଖୋଲିବା କ୍ଷଣି ମୁହଁରେ ଅସରନ୍ତି ଖୁସି ସହ ପରିବାରଜନଙ୍କ ଗହଣରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
ବାଇଶି ପାହାଚରେ ବସିଲେ ମୁଖ୍ୟମନ୍ତ୍ରୀ
ପୁରୀ: ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ବାଇଶି ପାହାଚରେ ବସିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଓ ରାଜ୍ୟ ସ୍ବାଧୀନ ମନ୍ତ୍ରୀମାନେ ବି ବାଇଶିପାହାଚରେ ବସିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ବାଇଶିପାହାଚରେ ବସିବାର ବିଶ୍ବାସ ରହି ଆସିଛି। ଏହି ବିଶ୍ବାସ ରକ୍ଷା କରି ମୁଖ୍ୟମନ୍ତ୍ରୀ ଆଜି ବାଇଶି ପାହାଚରେ ବସି ଆନନ୍ଦିତ ହୋଇଛନ୍ତି ଓ ଆତ୍ମତୃପ୍ତି ଲାଭ କରିଛନ୍ତି।