କଟକ: ରାଜ୍ୟ ସରକାରଙ୍କ ଏକମାତ୍ର ସରକାରୀ ମେଡିକାଲ କଲେଜ ଭାବେ କଟକର ଏସ୍ସିବିରେ ହେଉଥିଲା ଓପନ୍ ହାର୍ଟ ସର୍ଜରି। ଏକ୍ମୋ ଚିକିତ୍ସା ପାଇଁ ଏବେ ଓପନ ହାର୍ଟ ସର୍ଜରି ବନ୍ଦ ହୋଇଯାଇଛି। ଓପନ୍ ହାର୍ଟ ସର୍ଜରିଠାରୁ ଆରମ୍ଭ କରି ସିଟିଭିଏସ୍ ବିଭାଗର ବିଭିନ୍ନ ଅସ୍ତ୍ରୋପଚାର ବି ବନ୍ଦ ହୋଇଯାଇଛି। ଏକ୍ମୋ ଚିକିତ୍ସା ପାଇଁ ଏସ୍ସିବି କାର୍ଡ଼ିଓଥୋରାସିସ୍ ଆଣ୍ଡ ଭାସ୍କୁଲାର ସର୍ଜରି (ସିଟିଭିଏସ୍) ବିଭାଗର ୪ଟି ଆଇସିୟୁକୁ ବ୍ୟବହାର କରି ଏକ୍ମୋ ୟୁନିଟ୍ ସ୍ଥାପନ କରାଯାଇଛି । କିନ୍ତୁ ବିଭାଗରେ ଆଉ ନୂଆ ଆଇସିୟୁ ବ୍ୟବସ୍ଥା କରାଯାଇନି । ଅସ୍ତ୍ରୋପଚାର କକ୍ଷକୁ ଆଇସିୟୁରେ ରୂପାନ୍ତର କରିବା ପାଇଁ ଯୋଜନା ବି କାର୍ଯ୍ୟକାରୀ ହୋଇପାରିନି। ଫଳରେ ଓପନ୍ ହାର୍ଟ ସର୍ଜରି ସଂପୂର୍ଣ୍ଣ ବନ୍ଦ ରହିଛି। ଯେଉଁଥିପାଇଁ ନିକଟ ଅତୀତରେ ପାଖାପାଖି ୪୫ରୁ ଅଧିକ ରୋଗୀ ଅସ୍ତ୍ରୋପଚାର ନପାଇ ଫେରିଛନ୍ତି। ଯେଉଁସବୁ ଅସ୍ତ୍ରୋପଚାର ପରେ ଆଇସିୟୁ ଆବଶ୍ୟକ, ସେଭଳି ଅସ୍ତ୍ରୋପଚାର ସବୁ ବି ବିଭାଗରେ ବନ୍ଦ ରହିଛି। ଅନ୍ୟପଟେ ଏକ୍ମୋ ୟୁନିଟ୍ ଖୋଲାଯିବା ପରେ ଆଜି ପର୍ଯ୍ୟନ୍ତ ୭ଜଣ ରୋଗୀ ଏକ୍ମୋ ଚିକିତ୍ସା ସୁବିଧା ପାଇଛନ୍ତି। ସେଥିରୁ ୪ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଓପନ ହାର୍ଟ ସର୍ଜରି ମାଗଣାରେ ପାଉଥିବା ଗରିବ ରୋଗୀ ଏବେ ସମସ୍ୟାରେ ପଡ଼ିଛନ୍ତି।
କରୋନା ପାଇଁ ଗଲା କିଛି ମାସ ହେଲା ନିୟମିତ ଅସ୍ତ୍ରୋପଚାର ବନ୍ଦ ରହିଥିଲା। କିନ୍ତୁ ସବୁ ସ୍ବାଭାବିକ ହେଲା ବେଳକୁ ଏସ୍ସିବିରେ ଏକ୍ମୋ ଚିକିତ୍ସା ପାଇଁ ଅନ୍ୟ ଚିକିତ୍ସା ବନ୍ଦ ହୋଇଗଲା। ଏସ୍ସିବି ସିଟିଭିଏସ୍ ବିଭାଗରେ ମାସକୁ ପାଖାପାଖି ୧୫ଟି ଓପନ୍ ହାର୍ଟ ସର୍ଜରି ହୋଇଥାଏ। ଏହାବ୍ୟତୀତ ଫୁସ୍ପୁସ୍, ଖାଦ୍ୟନଳୀ, ରକ୍ତନଳୀ ଭଳି ଅନେକ ଅସ୍ତ୍ରୋପଚାର କରାଯାଏ। ବିଭାଗରେ ପ୍ରତି ଗୁରୁବାର ଓପିଡି ହେଉଥିବାବେଳେ କରୋନା ପାଇଁ ରୋଗୀ ସଂଖ୍ୟା କମିଥିଲେ ମଧ୍ୟ ୧୫ ପାଖାପାଖି ରୋଗୀ ଆସିଥାନ୍ତି। ଏବେ ଅଢେଇ ମାସରୁ ଅଧିକ ହେବ ଓପନ୍ ହାର୍ଟ ସର୍ଜରି ପୂରା ବନ୍ଦ। ବିଭାଗରେ ୨ଟି ଓଟି ଓ ୪ଟି ଆଇସିୟୁ ରହିଛି। ତେବେ ୪ଟି ଆଇସିୟୁରେ ଏବେ ଏକ୍ମୋରେ ବ୍ୟବସ୍ଥା କରାଯାଇଛି। ଫଳରେ ବିଭାଗରେ ଏବେ ଆଇସିୟୁ ନାହିଁ। ଏଭଳି ସ୍ଥିତିରେ ଆଇସିୟୁ ପାଇଁ ବିଭାଗରେ ଥିବା ୨ଟି ଓଟିରୁ ଗୋଟିଏକୁ ଆଇସିୟୁ କରିବା ପାଇଁ ଚିଠି କରାଯାଇଥିବା ଜଣାପଡିଛି। କିନ୍ତୁ ଏ ସଂପର୍କରେ ଅଧିକ କିଛି କହିବାକୁ ଏସ୍ସିବି ଅଧୀକ୍ଷକ ଓ ଜରୁରିକାଳୀନ ଅଧିକାରୀ ମନା କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/scb-scbmch.nic_.in_-1.jpg)