କଟକ : ଏସ୍‌ସିବିରେ ଏବେ ଓପନ୍ ହାର୍ଟ ସର୍ଜରି ବନ୍ଦ ହୋଇଯାଇଛି। ଅସ୍ତ୍ରୋପଚାର ପାଇଁ ରୋଗୀ ଓ ଡାକ୍ତର ସମସ୍ତେ ପ୍ରସ୍ତୁତ ଥିବାବେଳେ ଅକ୍ସିଜେନ ପ୍ଲାଣ୍ଟର ଭାକ୍ୟୁମ୍‌ କମ୍ପ୍ରେସର କାମ କରୁନଥିବା ଜଣାପଡ଼ିଥିଲା। ଯାହାଫଳରେ ‌ଓଟିକୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ରୋଗୀଙ୍କୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି।

Advertisment

କଟକ ବଡ଼ଡାକ୍ତରଖାନା ସିଟିଭିଏସ୍‌ ବିଭାଗରେ ଅକ୍ସିଜେନ ପ୍ଲାଣ୍ଟର ଭେକ୍ୟୁମ୍‌ କମ୍ପପ୍ରେସର ବହୁତ ପୁରୁଣା ହୋଇଗଲାଣି। କେବଳ ମରାମତି କରି କାମଚଳା ଢଙ୍ଗରେ କାମ ଚାଲିଥିବାବେଳେ ବାରମ୍ବାର ଏହା ଅଚଳ ହେବା ସହ ଅକ୍ସିଜେନ୍‌ ଯୋଗାଣରେ ସମସ୍ୟା ମଧ୍ୟ ହେଉଥିବା ଅଭିଯୋଗ ହୋଇ ଆସୁଛି। ଗତକାଲି ବାଲେଶ୍ବର ଅଞ୍ଚଳର ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସମୟ ଦିଆଯିବା ସହ ରୋଗୀଙ୍କୁ ଓଟିକୁ ନିଆଯାଇଥିଲା। ହେଲେ ସେହି ସମୟରେ ଆଗୁଆ ବ୍ୟବସ୍ଥା ତଦାରଖ କରିବା ସମୟରେ ଅକ୍ସିଜେନ ପ୍ଲାଣ୍ଟର ଭାକ୍ୟୁମ୍‌ କଂପ୍ରେସର କାମ କରୁନଥିବା ଜଣାପଡ଼ିଥିଲା। ଫଳରେ ରୋଗୀଙ୍କୁ ଓଟିରୁ ଫେରାଇ ଦିଆଯାଇଥିଲା ଓ ଅସ୍ତ୍ରୋପଚାର ବନ୍ଦ ରଖାଯାଇଥିଲା।

ଏସ୍‌ସିବି କାର୍ଡିଓଥୋରାସିସ୍‌ (ସିଟିଭିଏସ୍‌) ବିଭାଗରେ ଏଭଳି ସ୍ଥିତି ଯୋଗୁଁ ଏବେ ଓପନ୍‌ ହାର୍ଟ ବନ୍ଦ ରହିଛି। ସଂପୃକ୍ତ ବିଭାଗ ଓ ଅଧୀକ୍ଷକଙ୍କ ପକ୍ଷରୁ ଏହାର ମରାମତି ଦାୟିତ୍ବ ନେଇଥିବା ଜିଇଡି ବିଭାଗକୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଯଦି ଭେକ୍ୟୁମ୍‌ କମ୍ପ୍ରେସର ଅଚଳ ରହେ ତାହେଲେ ସିଟିଭିଏସ୍‌ ବିଭାଗରେ ଓପନ୍‌ ହାର୍ଟ ସର୍ଜରି କରାଯାଇପାରିବନି। କାରଣ ଏଥିପାଇଁ ୨୪ ଘଣ୍ଟିଆ ଅକ୍ସିଜେନ୍ ଯୋଗାଣ ଆବଶ୍ୟକ। ଅନ୍ୟପଟେ ଏହାଦ୍ବାରା ଏକ୍‌ମୋ ସେବା ବି ପ୍ରଭାବିତ ହେବାର ଆଶଙ୍କା ରହିଛି। ଅବଶ୍ୟ ଏବେ ଏକ୍‌ମୋରେ କୌଣସି ରୋଗୀ ନାହାନ୍ତି। ଅନ୍ୟପଟେ ଅକ୍ସିଜେନ ପ୍ଲାଣ୍ଟର ଭାକ୍ୟୁମ୍‌ କମ୍ପ୍ରେସର କାମ କରୁନଥିବାରୁ ତାର ମରାମତି କରାଯାଉଛି ଓ ଖୁବ୍‌ଶୀଘ୍ର ତାହା ଠିକ୍‌ ହୋଇଯିବ ବୋଲି ଜିଇଡି-୧ର ଏସ୍‌ଡିଓ ସୋମେନ୍‌ ସାହୁ ସୂଚନା ଦେଇଛନ୍ତି। ତେବେ, ସିଡିଭିଏସ୍‌ ବିଭାଗରେ ଓପନ୍‌ ହାର୍ଟ ସର୍ଜରି ପାଇଁ ଅକ୍ସିଜେନ୍‌ ପ୍ଲାଣ୍ଟରୁ ୨୪ ଘଣ୍ଟିଆ ଅକ୍ସିଜେନ ଯୋଗାଣ ନହେଲେ ଅସ୍ତ୍ରୋପଚାର ହୋଇପାରିବନି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ଏକମାତ୍ର ମେଡିକାଲ କଲେଜଭାବେ ଏସ୍‌ସିବିରେ ଓପନ୍‌ ହାର୍ଟ ସର୍ଜରି ହେଉଥିବାବେଳେ ଅକ୍ସିଜେନ୍‌ ପ୍ଲାଣ୍ଟର ଏଭଳି ସମସ୍ୟା ଯୋଗୁଁ ଅସ୍ତ୍ରୋପଚାର ବନ୍ଦ ହେବା ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି।