କଟକ : ସରକାରୀ ବ୍ୟବସ୍ଥାରେ ରାଜ୍ୟର କେବଳ ଏସ୍ସିବି ମେଡିକାଲ କଲେଜରେ ‘ଓପନ୍ହାର୍ଟ ସର୍ଜରି’ ଅସ୍ତ୍ରୋପଚାର ହୋଇପାରୁଥିଲା। ଏବେ କିନ୍ତୁ ବନ୍ଦ ହୋଇଯିବ ‘ଓପନ୍ହାର୍ଟ ସର୍ଜରି’! ପ୍ରଥମରୁ ଆବଶ୍ୟକ ୮ ଜଣ ବଦଳରେ ୪ଜଣ ବିଶେଷଜ୍ଞଙ୍କୁ ନେଇ ଚାଲିଥିଲା ବିଭାଗ। ହେଲେ ଏବେ ୪ ବଦଳରେ ୨ଜଣଙ୍କୁ ନେଇ ଚାଲିବ ବିଭାଗ। ଏମ୍ସିଆଇ ଗାଇଡ୍ ଲାଇନ୍ କହୁଛି ୨ଜଣ ବିଶେଷଜ୍ଞରେ ଓପନ୍ ହାର୍ଟ ସର୍ଜରି କରାଯାଇପାରିବ ନାହିଁ। ଏଥିପାଇଁ ଡାକ୍ତରୀ ଟିମ୍ ଦରକାର। ତେଣୁ ଓପନ ହାର୍ଟ ସର୍ଜରି ଆଗକୁ ଏସସିବିରେ କେମିତି ହେବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ, ରାଜ୍ୟରେ ୭ଟି ମେଡିକାଲ କଲେଜ ମଧ୍ୟରୁ କଟକ ବଡମେଡିକାଲ ଓ ବ୍ରହ୍ମପୁର ଏମ୍କେସିଜିରେ ହୃଦ୍ବକ୍ଷଶଲ୍ୟ ବିଭାଗ (କାର୍ଡିଓଥୋରାସିସ୍) ରହିଛି। ବ୍ରହ୍ମପୁରରେ ଓପନ୍ହାର୍ଟ ସର୍ଜରି ହୋଇପାରୁନଥିବା ବେଳେ ସେଠାରେ ମଧ୍ୟ ଡାକ୍ତର ନାହାନ୍ତି। ଏସ୍ସିବିରେ ବର୍ଷକୁ ପାଖାପାଖି ୧୮୦ ଜଣ ରୋଗୀଙ୍କର ଓପନ୍ହାର୍ଟ ସର୍ଜରି କରାଯାଉଛି। ବିଭାଗରେ ସପ୍ତାହକୁ ଦିନେ ଅର୍ଥାତ୍ ଗୁରୁବାର ଓପିଡି ରହୁଛି। ଯେଉଁଠି ପାଖାପାଖି ୩୦ରୁ ଅଧିକ ରୋଗୀ ଆସିଥାନ୍ତି ଚିକିତ୍ସା ଓ ସର୍ଜରି ପାଇଁ ଭର୍ତ୍ତି ହେବାକୁ। କିନ୍ତୁ ସେଥିରୁ ମାତ୍ର ୪/୫ଜଣ ରୋଗୀଙ୍କୁ ୱାର୍ଡକୁ ନିଆଯାଉଥିବା ବେଳେ ବାକି ସମସ୍ତଙ୍କୁ ଫେରାଇ ଦିଆଯାଏ। ଅପେକ୍ଷା କରିବାକୁ କହି ପରବର୍ତ୍ତୀ ତାରିଖରେ ଆସିବା ପାଇଁ ସମୟ ଧାର୍ଯ୍ୟ କରାଯାଏ। ଫଳରେ ମାସକୁ ଶହେରୁ ଅଧିକ ରୋଗୀ ଏଭଳି ଫେରିଥାନ୍ତି। ଯେଉଁମାନଙ୍କୁ ମାସ ମାସ ଧରି ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ ପଡିଥାଏ। ବିଭାଗରେ ପ୍ରତ୍ୟହ ଓପନ୍ହାର୍ଟ ସର୍ଜରି ହେଉଥିବାବେଳେ ଛୁଟି ହେଲେ ଅସ୍ତ୍ରୋପଚାର ବନ୍ଦ ରୁହେ।
/sambad/media/post_attachments/wp-content/uploads/2019/10/scb-1-1.jpg)
ବିଭାଗରେ ଏମ୍ସିଆଇ ଗାଇଡ୍ ଲାଇନ୍ ଅନୁସାରେ ପ୍ରଫେସର ୨ଜଣ, ଆସୋସିଏଟ୍ ପ୍ରଫେସର ୨ଜଣ, ଆସିଷ୍ଟାଣ୍ଟ ପ୍ରଫେସର ୩ଜଣ, ସିନିୟର ରେସିଡେଣ୍ଟ ଜଣେ ରହିବା କଥା। କିନ୍ତୁ ବର୍ତ୍ତମାନ ପ୍ରଫେସର ଜଣେ, ଆସିଷ୍ଟାଣ୍ଟ ପ୍ରଫେସର ଜଣେ, ସିନିୟର ରେସିଡେଣ୍ଟ ଜଣେ ଓ ଆସିଷ୍ଟାଣ୍ଟ ସର୍ଜନ ଜଣେ ରହିଛନ୍ତି। ବର୍ତ୍ତମାନ ସିନିୟର ରେସିଡେଣ୍ଟଙ୍କୁ ପଦୋନ୍ନତି ଦିଆଯାଇ ଏମ୍କେସିଜି ମେଡିକାଲକୁ ବଦଳି କରାଯାଇଛି ଓ ଆସିଷ୍ଟାଣ୍ଟ ସର୍ଜନଙ୍କୁ ବରଗଡ ଜିଲ୍ଲା ମେଡିକାଲକୁ ବଦଳି କରାଯାଇଛି। ଡେପୁଟେସନ୍ରେ ଥିବା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବିଭାଗରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଫଳରେ ଏବେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ହାତରେ ବିଭାଗ। ୪ବଦଳରେ ଏବେ ୨ଜଣଙ୍କୁ ନେଇ ବିଭାଗରେ ହେବ ରୋଗୀ ଚିକିତ୍ସା। ଏମ୍ସିଆଇ ଗାଇଡ୍ ଲାଇନ୍ ଅନୁସାରେ ୨ଜଣ ଡାକ୍ତରଙ୍କୁ ନେଇ ଓପନ୍ ହାର୍ଟ ସର୍ଜରି ଅସ୍ତ୍ରୋପଚାର କରାଯାଇପାରିବ ନାହିଁ। ଏସସିବିରେ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଅତ୍ୟାଧୁନିକ ଜ୍ଞାନ କୌଶଳ ବଦଳରେ ୧୯୮୪ର ଷ୍ଟନାଲ୍ ସ’ ରେ ଚାଲିଛି ଅସ୍ତ୍ରୋପଚାର। ଏହି ଅସ୍ତ୍ରୋପଚାର ପାଇଁ ହୃଦ୍ବକ୍ଷ ଶୈଲ୍ୟ ବିଭାଗ ପକ୍ଷରୁ ଟ୍ରାନ୍ସ ଇସୋଫାଜିଆଲ ଇକୋ କାଡିଓଗ୍ରାମ୍ ମେସିନ୍ ଆସିବା କଥା। କିନ୍ତୁ ତାହା ଏପର୍ଯ୍ୟନ୍ତ ଆସି ପାରୁନି। ଘରୋଇ ବ୍ୟବସ୍ଥାରେ ଓପନ୍ହାର୍ଟ ସର୍ଜରି କଲେ୨ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆଗକୁ ଗରିବ ରୋଗୀଙ୍କ ଅବସ୍ଥା କ’ଣ ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Open-Heart-Surgery-Will-Be-Closed-in-SCB_Thumbnail.jpg)