ସମ୍ବଲପୁର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହେଣ୍ଡଲୁମ୍‌ ଟେକ୍‌ନୋଲଜି (ଆଇଆଇଏଚ୍‌ଟି) ବରଗଡ଼ରେ ଭବିଷ୍ୟତରେ ୪ ବର୍ଷିଆ ଡିଗ୍ରି ପାଠ୍ୟକ୍ରମ ଖୋଲିପାରେ। ‌ଏ ନେଇ ସରକାର ବିଚାର କରୁଛନ୍ତି ବୋଲି କେନ୍ଦ୍ର ବୟନ ମନ୍ତ୍ରୀ କହିଛନ୍ତି। ଲୋକସଭାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କେବଳ ଦେଶର ୨ଟି ଆଇଆଇଏଚ୍‌ଟି ସାଲେମ୍‌ ଓ ବାରଣାସୀରେ ‘ହ୍ୟାଣ୍ଡଲୁମ ଆଣ୍ଡ ଟେକ୍ସଟାଇଲ୍‌ ଟେକ୍‌ନୋଲଜି’ରେ ୪ ବର୍ଷିଆ ବିଟେକ୍‌ ପାଠ୍ୟକ୍ରମ ପ୍ରଚଳିତ ଅଛି। ବରଗଡ଼ ସମେତ ଅନ୍ୟ ସମସ୍ତ ଆଇଆଇଏଚ୍‌ଟିରେ ଏହାର ୩ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ଚାଲୁଛି।

Advertisment

ଏହି ସମସ୍ତ ଆଇଆଇଏଚ୍‌ଟିରେ ଡିପ୍ଲୋମା ସହିତ ୪ ବର୍ଷିଆ ଡିଗ୍ରି ପାଠ୍ୟକ୍ରମ ଖୋଲିବାକୁ ସରକାର ଯୋଜନା ରଖିଛନ୍ତି। ସୁବିଧା ସୁଯୋଗ ଦେଇ ପର୍ଯ୍ୟାୟ କ୍ରମେ ଏ ଗୁଡ଼ିକ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବରଗଡ଼ରେ ସମାନ୍ତରାଳ ଭାବେ ଅନ୍ୟ ସ୍ପେସିଆଲାଇଜେସନ୍ ପାଠ୍ୟକ୍ରମ ଖୋଲିବା ତଥା ବାନ୍ଧଶିଳ୍ପୀଙ୍କୁ ତାଲିମ ଦେବା ଓ ବିଶ୍ବ ବଜାରରେ ସମ୍ବଲପୁରୀ ଶାଢ଼ିର ମାର୍କେଟିଂ ନେଇ କୌଣସି ଯୋଜନା ରହିଛି ‌କି ବୋଲି ଶ୍ରୀ ପୂଜାରୀଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କେବଳ ସାଲେମ ଓ ବାରଣାସୀରେ ଟେକ୍ସଟାଇଲ୍ ପ୍ରୋସେସିଂ ଉପରେ ଦେଢ଼ ବର୍ଷିଆ ପୋଷ୍ଟ ଡିପ୍ଲୋମା ପାଠ୍ୟକ୍ରମ ରହିଛି।

ବୁଣାକାରଙ୍କ ବୈଷୟିକ ଦକ୍ଷତାର ବିକାଶ ପାଇଁ ପୂର୍ବରୁ ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦିଆ ଯାଉଥିଲା। ୨୦୨୦-୨୧ ପରଠାରୁ ଏହା ସମର୍ଥ ଯୋଜନାରେ ଆସୁଛି। ସମ୍ବଲପୁରୀ ସମେତ ସମସ୍ତ ହସ୍ତତନ୍ତର ଅନ୍ତର୍ଜାତୀୟସ୍ତରରେ ମାର୍କେଟିଂ ଓ ପ୍ରଚାରପ୍ରସାର ପାଇଁ ହସ୍ତତନ୍ତ ରପ୍ତାନି ଓ ପ୍ରୋତ୍ସାହନ ପରିଷଦ (ଏଚ୍‌ଇପିସି) ପକ୍ଷରୁ ଅନ୍ତର୍ଜାତୀୟ ମେଳା ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।