ତାଳଚେର-ବିମଳାଗଡ଼ ରେଳପଥ ପ୍ରସଙ୍ଗ: ‘ପାଲଲହଡାରେ ଜମି ଅଧିଗ୍ରହଣ କାର୍ଯ୍ୟାଳୟ ଖୋଲୁ’

ଭୁବନେଶ୍ବର : ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ନିମନ୍ତେ ବହୁବର୍ଷ ଧରି ରାଉରକେଲା, ଦେବଗଡ଼ ଓ ପାଲଲହଡ଼ା ଅଞ୍ଚଳର ଜନସାଧାରଣ ଦାବି କରି ଆସୁଛନ୍ତି। ଏହି ରେଳପଥ ନିର୍ମାଣ ହେଲେ ପାଲଲହଡ଼ା, ଦେବଗଡ଼ ଓ ବଣାଇ ପରି ଆଦିବାସୀ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ଉନ୍ନତି ଘଟିବ। ଉକ୍ତ ରେଳପଥ ଲାଗି ତାଳଚେରରେ ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟ ଖୋଲାଯାଇ ମାତ୍ର ୫୦ କିମିର ଜମି ଅଧିଗ୍ରହଣ କରାଯାଇଛି। ଏହି ରେଳପଥର ମଧ୍ୟବର୍ତ୍ତୀ ସ୍ଥାନ ପାଲଲହଡ଼ାରେ ଜମି ଅଧିଗ୍ରହଣ କାର୍ଯ୍ୟାଳୟ ଖୋଲିବାକୁ ରେଳ ବିଭାଗ ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ପୂର୍ବତନ ବିଧାୟକ ବିଭୁଧେନ୍ଦ୍ର ପ୍ରତାପ ଦାସ ଦାବି କରିଛନ୍ତି।

ଶ୍ରୀ ଦାସ କହିଛନ୍ତି, ତାଳଚେରଠାରେ ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟ ନିମନ୍ତେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନାହାନ୍ତି। ରାଜ୍ୟ ସରକାର ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା ନ କଲେ ଉକ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୧୦ ବର୍ଷ ଲାଗିବ।

ପ୍ରକାଶଥାଉକି, ଉକ୍ତ ରେଳପଥ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ଶ୍ରୀ ଦାସ ୨୦ ଜଣ ସର୍ବଦଳୀୟ ବିଧାୟକଙ୍କ ସ୍ବାକ୍ଷର ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସୁପାରିଶ ସହ ଦିଲ୍ଲୀଠାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଶ୍ରୀ ପାଶ୍ବାନ ଉକ୍ତ ରେଳପଥ ଲାଗି ସର୍ଭେ ପାଇଁ ନିର୍ଦେଶ ଦେଇଥିଲେ। ଶ୍ରୀ ଦାସ ପୁନର୍ବାର ଦିଲ୍ଲୀଗ୍ରସ୍ତ କରି ଦିଲ୍ଲୀପ ରାୟଙ୍କଠାରୁ ତତ୍କାଳୀନ ରେଳମନ୍ତ୍ରୀ ନୀତିଶ କୁମାରଙ୍କ ପାଖକୁ ପତ୍ର ଲେଖିଥିଲେ। ଏହା ବ୍ୟତୀତ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଯୋଜନା କମିସନ ଏହାର ନିର୍ମାଣ ପାଇଁ ଅନୁମୋଦନ କରିଥିଲେ।

ସମ୍ବନ୍ଧିତ ଖବର