ଯାଜପୁର: ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡକୁ ୫ବର୍ଷ ପୂରିବ। ହେଲେ ଏଯାଏ ଏହି ମାମଲା ଉପରୁ ପରଦା ହଟିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା? ହତ୍ୟା ପୂର୍ବରୁ ତାଙ୍କ ସହିତ କ’ଣ ଘଟିଥିଲା? ଏହି ଘଟଣାରେ ଆଉ କିଏ ସଂପୃକ୍ତ ଥିଲେ କି? ଏ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିନାହିଁ। ଏପଟେ ସ୍ବର୍ଗତ ସ୍ମିତାରାଣୀଙ୍କ ସ୍ବାମୀ ସୁଶୀଲ ବିଶ୍ବାଳ ଓ ତାଙ୍କର ଏକମାତ୍ର ଶିଶୁକନ୍ୟାଙ୍କୁ ନ୍ୟାୟ ମିଳିପାରିନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସ୍ମିତାରାଣୀ ମୃତ୍ୟୁ ପରେ  ତାଙ୍କ ପରିବାରକୁ କ୍ଷତିପୂରଣ, ପ୍ରାପ୍ୟ ମିଳିନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ତାଙ୍କ ପରିବାରକୁ ସରକାରୀ ସୁବିଧା ଗ୍ରାଚ୍ୟୁଇଟି, ଭବିଷ୍ୟନିଧି ପାଣ୍ଠି ଅର୍ଥ, ଏନପିଏସ୍‌ ସମେତ କୌଣସି ସରକାରୀ ପ୍ରାପ୍ୟ ମିଳିନାହିଁ। ଏହାକୁ ନେଇ ସ୍ମିତାରାଣୀଙ୍କ ସ୍ବାମୀ ଶ୍ରୀ ବିଶ୍ବାଳ କ୍ଷୋଭପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆପତ୍ତି ଉଠାଇଥିବା ଥିବା ତତ୍କାଳୀନ ବିରୋଧୀ ବିଜେପି ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ଏହି ଘଟଣାରେ ସେତେବେଳର ଶାସକ ବିଜେଡିକୁ ଘେରିଥିଲା। ଏବେ ସରକାର ବଦଳିବା ପରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀଙ୍କ ରଙ୍ଗଶାଳାର ଏହି ଚର୍ଚ୍ଚିତ ଘଟଣା ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି।     

Advertisment

ପ୍ରକାଶ ଯେ ୨୦୧୯ ସେପ୍ଟେମ୍ବର ୧୬ ତାରିଖରେ ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ହରିଦାସପୁର ପିଇଓ ଶ୍ରୀମତୀ ବିଶ୍ବାଳଙ୍କୁ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ରଙ୍ଗଶାଳାରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଦିନ ସ୍ମିତାରାଣୀ ସରକାରୀ କାର୍ଯ୍ୟରେ ହରିଦାସପୁର ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ତନଖି କରିବାକୁ ଯାଇଥିଲେ। ମଧ୍ୟାହ୍ନରେ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ (ରଙ୍ଗଶାଳା)କୁ ସ୍ମିତାରାଣୀଙ୍କୁ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା। ସେଠାରେ ହିଁ ପୂର୍ବ ଯୋଜନା ମୁତାବକ ତାଙ୍କୁ ହତ୍ୟା 
କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ପୁଲିସ ପ୍ରଶାସନ ଉଦ୍ୟମ କରିଥିଲା। ଏପରିକି ଅନୁସନ୍ଧାନ ପୂର୍ବରୁ  ତତ୍କାଳୀନ ଏସ୍‌ପି ଚରଣସିଂ ମୀନା ଏହାକୁ ଆତ୍ମହତ୍ୟା ଦର୍ଶାଇ ବିବାଦରେ ଫସିଥିଲେ। ଏହି ଘଟଣାରେ କେବଳ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଥିଲା। ତେବେ ସ୍ମିତାରାଣୀଙ୍କ ହତ୍ୟାକାଣ୍ଡ ଦିନ ତରବରିଆ ଭାବେ ଶବ ବ୍ୟବଚ୍ଛେଦ  କରି ରାତାରାତି ପୋଡ଼ି ଦିଆଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ରଙ୍ଗଶାଳାକୁ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଭାଙ୍ଗିଦେଇଥିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସେତେବେଳେ ବିଜେପିର ଏକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଏହାର ସିବିଆଇ ତଦନ୍ତ ଦାବି କରିଥିଲେ।