ଲୋକାର୍ପିତ ହେଲା ନେତାଜୀ ସଂଗ୍ରହାଳୟ

ପୁରୀ:‌ ବହୁଦିନରୁ ନିର୍ମାଣାଧୀନ ଅବସ୍ଥାରେ ପଡ଼ି ରହିଥିବା ପୁରୀ ଗୋପାଳବଲ୍ଲଭ ରୋଡ୍‌ସ୍ଥିତ ନେତାଜୀ ସଂଗ୍ରହାଳୟ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅତୀତର ଫଟୋଚିତ୍ର ସାଙ୍ଗକୁ ଆଜାଦ୍ ହିନ୍ଦ ଫୌଜର ନେତୃତ୍ବ ନେବା ବେଳର ପୋଷାକ, ଖଟ, ପାଲିଙ୍କି ଆଦି ସ୍ଥାନୀତ ହୋଇଛି। ପ୍ରଥମ ଦିନରେ ଆଜି ବହୁ ପର୍ଯ୍ୟଟକ ସଂଗ୍ରହାଳୟ ବୁଲି ଦେଖିଛନ୍ତି। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଅତିଥି ଭାବେ ଯୋଗ‌ ଦେଇ ନେତାଜୀ ସଂଗ୍ରହାଳୟର ଶୁଭ ଲୋକାର୍ପଣ କରିଥିଲେ। ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ। ପରେ ଅତିଥିମାନେ ସଂଗ୍ରହାଳୟ ଭିତରେ ଲାଗିଥିବା ଫଟୋଚିତ୍ର ସହ ଅନ୍ୟ ଜିନିଷ ବୁଲି ଦେଖିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ସଭାରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ଏହି ସଂଗ୍ରହାଳୟ ଦ୍ବାରା ନେତାଜୀଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିଛି। ସଂଗ୍ରହାଳୟର ବିକାଶମୂଳକ କାର୍ଯ୍ୟ ପାଇଁ ଆଗାମୀ ଦିନରେ ସଂସ୍କୃତି ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର