ଜେରାରେ ଗୁମର ଫିଟିଲା: ଅଶ୍ୱଜିତ ହତ୍ୟାକାଣ୍ଡରେ ଟିଟୋ ହାତ

ଆଉ ଜଣେ ସହଯୋଗୀଙ୍କୁ ଉଠାଇଲା ଏସ୍‌ଟିଏଫ୍‌

ମାର୍ଶାଘାଇ /କେନ୍ଦ୍ରାପଡ଼ା: ଯିଏ ସମାନ୍ତରାଳ ଗ୍ୟାଙ୍ଗ ଗଢି ଟିଟୋକୁ ଚାଲେଞ୍ଜ ଦେବାକୁ ଉଦ୍ୟମ କରୁଥିଲା, ତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦିଆଯାଉଥିଲା। ଏହି କାରଣରୁ ଅଶ୍ୱଜିତ ଓରଫ ଲୁଲୁକୁ ହତ୍ୟା କରାଯାଇଥିଲା ବୋଲି ଆଜି ମାର୍ଶାଘାଇ ଥାନା ପୁଲିସର ଜେରା ସମୟରେ ଗ୍ୟାଙ୍ଗଷ୍ଟର ଟିଟୋ ସ୍ୱୀକାର କରିଛି। ଅନ୍ୟପକ୍ଷରେ ଟିଟୋର ଅନ୍ୟ ଜଣେ ସହଯୋଗୀଙ୍କୁ ଏସ୍‌ଟିଏଫ୍‌ ଉଠାଇ ନେଇଛି। ଟିଟୋର ସ୍ୱୀକାର ଅନୁସାରେ, ମାର୍ଶାଘାଇ ଓ କେନ୍ଦ୍ରାପଡା ଅଞ୍ଚଳରେ ତାକୁ ଟକ୍କର ଦେବାକୁ ଉଦ୍ୟମ କରିଥିଲା ଲୁଲୁ। ୨୦୧୩ ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନ ୩ଟା ୪୫ ମିନିଟରେ ୫ ନମ୍ବର (କ) ଜାତୀୟ ରାଜପଥର ତାରିଣୀ ଢ଼ାବା ସମ୍ମୁଖରେ ଲୁଲୁକୁ ଗୁଳି କରି ହତ୍ୟା କରାଯାଇଥିଲା। ସେତେବେଳେ ମାର୍ଶାଘାଇ ଥାନା ପୁଲିସ (କେସ୍‌ ନଂ ୨୫୮/୨୦୧୩) ରୁଜ୍ଜୁ କରିଥିବା ମାମଲାରେ ଟିଟୋର ସଂପୃକ୍ତି ଦର୍ଶାଯାଇ ନଥିଲା। କିନ୍ତୁ ଟିଟୋ ଏସ୍‌ଟିଏଫ୍‌ ଦ୍ୱାରା ଗିରଫ ହେବା ପରେ ମାର୍ଶାଘାଇ ଥାନା ପୁଲିସ ସେହି ମାମଲାକୁ ପୁଣିଥରେ ଖୋଲି ଟିଟୋକୁ ରିମାଣ୍ଡରରେ ଆଣି ଜେରା କରିବା ପରେ ଏଥିରେ ଟିଟୋର ସଂପୃକ୍ତି ଘଟଣା ସାମନାକୁ ଆସିଛି। ଗତକାଲି ରାଜକିଶୋର ବେହେରା ହତ୍ୟାକାଣ୍ଡରେ ମଧ୍ୟ ସଂପୃକ୍ତ ଥିବା ଟିଟୋ ଜେରାରେ ସ୍ୱୀକାର କରିଥିଲା। ଆଜି ଟିଟୋକୁ ମାରାଥନ୍‌ ଜେରା କରାଯାଇଥିବା ବେଳେ ଆସନ୍ତାକାଲି ତାକୁ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ।

ଅନ୍ୟପକ୍ଷରେ, ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସ୍‌ମାନ ଅଲ୍ଲୀକୁ ଜମି କିଣାବିକାରେ ସହାୟତା ଯୋଗାଇ ଆସିଥିବା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର କମଳେଶ ଚଇନିକୁ ଗତକାଲି ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଉଠାଇ ନେଇଛି । କେନ୍ଦ୍ରାପଡ଼ା ପାର୍ଶ୍ୱ ୫ ନଂ(କ) ଜାତୀୟ ରାଜପଥ ପାଖ ଗୋପ ଛକ ନକିଟରେ ୩୬ ଡିସିମିଲ୍‌ ମୂଲ୍ୟବାନ ଜମିକୁ ଜଣେ ମହିଳାଙ୍କ ଠାରୁ ଜୋର ଜବରଦସ୍ତ ଅକ୍ତିଆର କରାଯାଇଥିବା ଅଭିଯୋଗ ହୋଇଥିଲା। ସେହି ସ୍ଥାନରେ ଟିଟୋର କୋବ୍ରା ଟାନ୍ସପୋର୍ଟର ଗାଡ଼ି, ବିଭିନ୍ନ ଠିକା କାମ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ସେଠାରେ ଗଚ୍ଛିତ ରଖା ଯାଉଥିଲା। ଏଥିରେ କମଲେଶ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୁରାକ୍‌ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ତାକୁ ଉଠାଇ ନେଇଛି ।

ସମ୍ବନ୍ଧିତ ଖବର