ଫୁଲବାଣୀ: ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ପ୍ରାର୍ଥୀ କରିବା ଦିନଠୁ ଦଳ ମଧ୍ୟରେ ବିଦ୍ରୋହ ବଢ଼ିବାରେ ଲାଗିଛି। ପଦ୍ମନାଭଙ୍କୁ ଖୋଲା ବିରୋଧ କରିବା ସହିତ ଏଠାକାର ରାଜନୀତିରେ ମୁଣ୍ଡ ନପୂରାଇବାକୁ ନେତା ଓ କର୍ମୀ କଡ଼ା ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଜୟଶ୍ରୀଙ୍କ ପ୍ରାର୍ଥିତ୍ବ ଓ ଫୁଲବାଣୀ ରାଜନୀତିରେ ପଦ୍ମନାଭଙ୍କ ଅଯଥା ହସ୍ତକ୍ଷେପକୁ ବିରୋଧ କରି ଖଜୁରୀପଡ଼ା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଏବଂ ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ସମର୍ଥକମାନେ ଗତକାଲି ଖଜୁରୀପଡ଼ା ଠାରେ ପଦ୍ମନାଭ ବେହେରା, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ ଏବଂ ବିଧାୟକ ପ୍ରାର୍ଥୀ ଜୟଶ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନର ଦଳ ପୁନର୍ବିଚାର କରୁ ବୋଲି କର୍ମୀମାନେ ଦାବି କରିଛନ୍ତି। ପଦ୍ମନାଭ ବୀରମହାରାଜପୁରରେ ନିର୍ବାଚନ ଲଢ଼ୁଥିବା ବେଳେ କାହିଁକି ଫୁଲବାଣୀ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି ବୋଲି ଖଜୁରୀପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ, ଗତ ପୌର ନିର୍ବାଚନରେ ପଦ୍ମନାଭଙ୍କ ଅଯଥା ହସ୍ତକ୍ଷେପ କାରଣରୁ ପୌରାଧ୍ୟକ୍ଷା ଆସନରେ ବିଜେଡିକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା ଓ ଫୁଲବାଣୀ ପୌରାଧ୍ୟକ୍ଷା ପଦ ବିଜେପି ହାତକୁ ଚାଲି ଯାଇଥିଲା। ଏବେ ସାଧାରଣ ନିର୍ବାଚନରେ ପଦ୍ମନାଭ ମୁଣ୍ଡ ଖେଳାଇଲେ ପରିସ୍ଥିତି ଭଲ ହେବନି ବୋଲି ବୀରେନ୍ଦ୍ର ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଟିକେଟ କଟିବା ପରେ ବର୍ତ୍ତମାନର ବିଧାୟକ ଅଙ୍ଗଦ କହଁର ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ଅଙ୍ଗଦ କୁଆଡ଼େ ଅସନ୍ତୁଷ୍ଟ ଅଛନ୍ତି ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ଏଠାରେ ଉଲ୍ଲେଖେଯାଗ୍ୟ ଯେ ଦେବେନ୍ଦ୍ର କହଁର ମଧ୍ୟ ଫୁଲବାଣୀ ବିଧାନସଭା ପାଇଁ ଏଥର ବିଜେଡିରୁ ଜଣେ ଆଶାୟୀ ଥିଲେ। ପଦ୍ମନାଭଙ୍କ ଦୃଢ଼ ବିରୋଧୀ ଭାବେ ପରିଚିତ ଖଜୁରୀପଡ଼ା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ବୀରେନ୍ଦ୍ର କହଁର ମଧ୍ୟ ଜୟଶ୍ରୀଙ୍କ ପ୍ରାର୍ଥିତ୍ବକୁ ଖୋଲା ବିରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/padmanava.jpg)