ଭୁବନେଶ୍ବର: ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତି ଅସମ୍ମାନ କରାଯାଉଛି। ଆଉ କିଛି ଦିନ ପରେ କାର୍ତ୍ତିକ ମାସ। ବନ୍ଦ ରହିଥିବା ଶ୍ରୀମନ୍ଦିରର ୪ ଦ୍ବାରକୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ। ଯାହାଫଳରେ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ। ପରିକ୍ରମା ପ୍ରକଳ୍ପ ସହ ୪ ଦ୍ବାରା ଖୋଲା କାର୍ଯ୍ୟକ୍ରମକୁ ଯୋଡ଼ା ନ ଯାଉ। ଆସନ୍ତା ୧୬ ତାରିଖରେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଓ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ୪ ଦ୍ବାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି। ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ନିଜର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି। ରାଜ୍ୟ ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ବାସ ଓ ଭାବାବେଗ ସହ ଖେଳ ନ ଖେଳନ୍ତୁ। ଲୋକମାନେ ଲମ୍ବା ଧାଡ଼ିରେ ଖରାରେ ଠିଆ ହେଉଛନ୍ତି। ଦେଶ ଓ ବିଶ୍ବରୁ ଭକ୍ତମାନେ ଆସି ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସହ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି। ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି ଓ ମରାମତି କାର୍ଯ୍ୟ କରାଯାଉ। କଂଗ୍ରେସ ପକ୍ଷରୁ ହେଉଥିବା ଶୋଭାଯାତ୍ରା ପରେ ପୁରୀ ମନ୍ଦିର ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ। ଦାବି ପୂରଣ ନ ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ, ଯଦି ଶ୍ରୀମନ୍ଦିରର ୪ ଦ୍ବାର ଖୋଲା ନ ଯାଏ ତାହାଲେ ହବିଷ୍ୟାଳୀମାନେ ନାହିଁ ନ ଥିବା ଅସୁବିଧାରେ ପଡ଼ିବେ। ଏହାସହ ୧୮୦୫ ମସିହାରେ ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ରହିଥିବା ଚାର୍ଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ରହିଛି। ୧୯୦୫ ମସିହାର ମଧ୍ୟ ତାଲିକା ରହିଛି। ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି। ୨୦୧୮ ମସିହାରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଯେଉଁ ୧୭ ଜଣିଆ ରତ୍ନ ଭଣ୍ଡାରରେ ଅଳଙ୍କାର ଆକଳନ ପାଇଁ ଯାଇଥିଲେ ସେମାନେ ଭିତରକୁ ପଶିପାରିଲେ ନାହିଁ। କାରଣ ତାଙ୍କ ପାଖରେ ଘରର ଚାବି ନ ଥିଲା। ଶ୍ରୀମନ୍ଦିରର ସ୍ବତ୍ବଲିପି ଅଛି। ଯେଉଁଥିରେ ତ୍ରି ସୁରକ୍ଷା ବାବଦରେ ଉଲ୍ଲେଖ ରହିଛି। ମାତ୍ର ଚାବି ହଜିଲା, ମିଳିଲା ନାହିଁ। ସେହିଦିନଠାରୁ ହାଇକୋର୍ଟଙ୍କ ନିର୍ଦେଶ ଥିଲେ ମଧ୍ୟ କାର୍ଯ୍ୟକାରୀ ହେଲାନାହିଁ। ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁଭଳି ଭାବେ ବିଭ୍ରାନ୍ତ କରାଯାଉଛି ତାହା ଅନ୍ଧକୁ ହାତୀ ଦେଖାଇବା ଭଳି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଶିବାନନ୍ଦ ରାୟ, ଜୟୀରାମ ପଟ୍ଟନାୟକ, ଅମିୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର ଓ ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।