ଭୁବନେଶ୍ବର: ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ମାମଲାରେ ରାଜ୍ୟ ଭିଜିଲାନ୍ସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିବା ଆରମ୍ଭ କରିଛି। ଅଭୟ ପାଠକଙ୍କ ପୁଅ ଆକାଶ ଆକାଉଣ୍ଟରେ ୯ କୋଟି ୪୮ଲକ୍ଷ ଟଙ୍କା ନୁହେଁ, ବରଂ ୧୪ କୋଟି ୭୭ଲକ୍ଷ ଟଙ୍କା ରହିଛି। ଏଥିରେ ଅନ୍ୟାନ୍ୟ ସୂତ୍ରରୁ ୫କୋଟି ୨୯ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ଅଧିକାରୀମାନେ ରେକର୍ଡ ଯା଼ଞ୍ଚ ବେଳେ ଧରିଛନ୍ତି।ହେଲେ ପ୍ରଶ୍ନ ଉଠୁଛି, ପୁନେରେ ଆକାଶ କାରବାର କରୁଥିବା ବେଳେ ତାଙ୍କ ଭୁବନେଶ୍ବର ଆକାଉଣ୍ଟରେ କାହିଁକି ଟଙ୍କା ଜମା ହେଉଥିଲା ଓ କିଏ କରୁଥିଲା? ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଆକାଶଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉପରେ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଏହି ଲିଙ୍କ୍କୁ ଧରି ଆସନ୍ତାକାଲି ଦୁଇଟି ଘରୋଇ ବ୍ୟାଙ୍କର ଏକାଧିକ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ୍ କରାଯାଇଛି।
ଅନ୍ୟପକ୍ଷରେ ତଦନ୍ତ ପରିସର ବୃଦ୍ଧି କରି ଭିଜିଲାନ୍ସ ଏସ୍ଆଇଟି ଟିମ୍ ଆଜି ପାଠକଙ୍କର ଘନିଷ୍ଠ ବୋଲି କୁହାଯାଉଥିବା ଜଣେ ଡିଏଫଓ ଓ ଦୁଇଜଣ ଏସିଏଫ୍ଙ୍କୁ ଢେର୍ ସମୟ ଯାଏ ପଚରାଉଚରା କରିଛି। ସେମାନେ ଶ୍ରୀ ପାଠକଙ୍କ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସମାନ୍ତରାଳ ଭାବେ ପାଠକଙ୍କ କେଳେଙ୍କାରୀ କେଉଁ କେଉଁ ସଂସ୍ଥାକୁ ଓ କେତେ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ସେ ଦାୟିତ୍ବରେ ଥିବା ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଏବଂ ପିସିସିଏଫ୍ କାର୍ଯ୍ୟାଳୟରେ ଚଢଉ କରାଯାଇଛି। ଅନେକ ରେକର୍ଡ ଜବତ କରିଛି। ତାଙ୍କର ବ୍ୟକ୍ତିଗତ ଫାଇଲ୍ ଆଣିବା ସହିତ ଏସବୁ କାର୍ଯ୍ୟାଳୟରୁ ହଜାର ହଜାର ପୃଷ୍ଠାର ଦସ୍ତାବିଜ୍ ଜବତ କରିଛି। ତାଙ୍କ ସଂପର୍କରେ କିଛି ଠୋସ୍ ତଥ୍ୟ ଭିଜିଲାନ୍ସ ଜଙ୍ଗଲ ବିଭାଗକୁ ମାଗିଛି। ହେଲେ କେଉଁ କେଉଁ ଫାଇଲ୍ ମାଗାଯାଇଛି, ସେ ନେଇ କିଛି କହିବାକୁ ଚାହିଁନାହାନ୍ତି। ଚଢ଼ଉ ବେଳେ ଜଣାପଡ଼ିଥିଲା ଯେ ପାଠକଙ୍କ ପୁତୁରା ହର୍ଷ ଓ ତାଙ୍କ ପତ୍ନୀଙ୍କ ନାମରେ ଭୁବନେଶ୍ବରରେ ୬ଟି ଜମି ରହିଛି। ଏହି ଜମି ସଂପର୍କରେ ଖୋଳତାଡ଼ କରିବା ଲାଗି ଆଜି ଭିଜିଲାନ୍ସର ଏକ ଟିମ୍ ସବ୍ ରେଜିଷ୍ଟର କାର୍ଯ୍ୟାଳୟରେ ଚଢଉ କରିଥିଲେ। ସେଠାରୁ ଏହି ଜମିର ବେଞ୍ଚ ମାର୍କ ମୂଲ୍ୟ କେତେ ଥିଲା, କେତେ ଟଙ୍କାରେ କିଣାଯାଇଛି ଓ କେଉଁଭଳି ଭାବେ ଅର୍ଥ ପୈଠ ହୋଇଥିଲା, ଏସବୁ ସଂପର୍କରେ ଖବର ସଂଗ୍ରହ କରିଛି। ସେହିଭଳି ପାଠକଙ୍କ ପୁଅ ପଢ଼ୁଥିବା ସଂସ୍ଥାରୁ ମଧ୍ୟ ପାଠପଢ଼ା ଖର୍ଚ୍ଚର ହିସାବ ନିଆଯାଇଛି।
ଚଢ଼ଉ ବେଳେ ଭିଜିଲାନ୍ସ ଦେଖିଥିଲା ଯେ ପାଠକ ଏକାଧିକ ଟ୍ରାଭେଲ୍ ଏଜେନ୍ସିରୁ ବିମାନ, ହୋଟେଲ୍ ଆଦି ବୁକ୍ କରିଛନ୍ତି। ଆଜି ସେମାନଙ୍କୁ ଡାକି ପଚରାଉଚରା କରାଯାଇଛି। ସେମାନଙ୍କ ଠାରୁ ମିଳିଥିବା ତଥ୍ୟର ମେଳକ ଚାଲିଛି। ସେହିଭଳି ପାଠକଙ୍କ ଡ୍ରାଇଭର ଜୁମାରାତଙ୍କୁ ବି ଜେରା କରାଯାଇଛି। ସେଠାରେ ତାଙ୍କୁ ଅଧିକାରୀମାନେ ଦୁଇଘଣ୍ଟା ଧରି ପଚରାଉଚରା କରିଥିଲେ। ସେହିପରି ଚଢ଼ଉ ସମୟରେ ଜବତ ହୋଇଥିବା ଫୋନ, ଲାପଟପ ଓ ଅନ୍ୟାନ୍ୟ ସାମଗ୍ରୀକୁ ଫରେନ୍ସିକ ଯାଞ୍ଚ ପାଇଁ ଦିଆଯାଇଛି। ଆଜି ଭିଜିଲାନ୍ସ ଏକ ପ୍ରେସ ଇସ୍ତାହାରରେ ଜଣାଇଛି ଯେ ଏସ୍ଆଇଟି ଟିମ୍ରେ ୩ଜଣ ଅତିରିକ୍ତ ଏସ୍ପି, ୪ଜଣ ଡିଏସ୍ପି, ୩ଜଣ ଇନ୍ସପେକ୍ଟର, ବ୍ୟାଙ୍କ କନସଲ୍ଟାଣ୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ୍, ଫରେନ୍ସିକ୍ ଅଡିଟର ଆଦି ସାମିଲ ହୋଇଛନ୍ତି। ହେଲେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ମାମଲାର ପରିସର ଧୀରେ ଧୀରେ ବଢୁଥିବା ପରିପ୍ରେକ୍ଷୀରେ ଅଧିକ ଅଫିସର ଏହି ଟିମ୍ରେ ନିଆଯିବ। ଇତିମଧ୍ୟରେ ଆକାଶଙ୍କ ଟାଟା ମୋଟର୍ସ ସଂପର୍କିତ ଜବତ କାଗଜପତ୍ର ଭିଜିଲାନ୍ସ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି ଓ ଏହାର ପୃଥକ୍ ତଦନ୍ତ ଚାଲିଛି।
ଉଲ୍ଲେଖଥାଉକି, ଆଜି ୟୁନିଟ୍-୯ରେ ଥିବା ଅଭୟକାନ୍ତଙ୍କ ସରକାରୀ ବାସଭବନ(କ୍ବାର୍ଟର ନଂ ୫ଆର୧/୧)ରେ ୮ ଜଣିଆ ଟିମ୍ ପ୍ରାୟ ଦେଢ଼ଘଣ୍ଟା ଧରି ଚଢ଼ଉ କରିଥିଲେ। ଏହି ସରକାରୀ ଘରୁ ଭିଜିଲାନ୍ସ ଟିମ୍ କମ୍ପ୍ୟୁଟରର ଏକ ହାର୍ଡଡିସ୍କ ଜବତ କରିଛନ୍ତି। ଏହି କମ୍ପ୍ୟୁଟରରେ ସିସିଟିଭି ସଂଯୋଗ ଥିବାରୁ ଘରକୁ କିଏ କିଏ ଆସିଛନ୍ତି? ସେମାନଙ୍କର ଏହି କଳାକାରବାରରେ କଣ ସମ୍ପର୍କ ରହିଛି? ସେ ନେଇ ଏହି ଫୁଟେଜ୍ରୁ ପ୍ରମାଣ ମିଳିବ ବୋଲି ଭିଜିଲାନ୍ସ କହିଛି। ଏହି ଖୋଳତାଡ଼ ହେଲେ ଯେଉଁମାନେ ଘରକୁ ଆସିଛନ୍ତି ସେମାନଙ୍କୁ ମଧ୍ୟ ଜେରା କରାଯାଇପାରେ।
କିଏ କିଏ ଜମା କରିଥିଲେ, ଖୋଳତାଡ଼ ଆରମ୍ଭ
ଜେରା ହେଲେ ଡିଏଫ୍ଓ, ଏସ୍ସିଏଫ୍, ଟୁର୍ ଅପରେଟର
ପାଠକଙ୍କ ଘର ଓ କାର୍ଯ୍ୟ କରିଥିବା ୭ଟି ସ୍ଥାନରେ ଚଢ଼ଉ
ଆଜି ବ୍ୟାଙ୍କ ଅଧିକାରୀଙ୍କ ପାଳି, ନୋଟିସ୍ ଯାଇଛି
ଭୁବନେଶ୍ବର: ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ହେଉଛନ୍ତି ଅଭୟ ପାଠକ। ଅତ୍ୟନ୍ତ ନମ୍ର ଓ ମିଷ୍ଟଭାଷୀ ପାଠକଙ୍କର ବିଭାଗରେ ସ୍ବତନ୍ତ୍ର ଦବ୍ଦବା ଥିଲା। ସରକାରରେ ତାଙ୍କର ସ୍ବତନ୍ତ୍ର ପ୍ରଭାବ ଥିବା କାରଣରୁ ତାଙ୍କୁ ବହୁତ ଖାତିର୍ କରୁଥିଲେ ସମସ୍ତେ। ଏମିତିରେ ବି ପାଠକ ଅଭିଜ୍ଞ। କେତେବେଳେ କୋରାପୁଟ ତ ଆଉ କେବେ ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବ୍ରହ୍ମପୁର ଆଦି ଅଞ୍ଚଳରେ ଜଙ୍ଗଲ ବିଭାଗର ବିଭିନ୍ନ ପଦପଦବିରେ କାର୍ଯ୍ୟ କରିଛନ୍ତି ଡିଏଫ୍ଓ, କେନ୍ଦୁପତ୍ର, ଜଙ୍ଗଲ ଉନ୍ନୟନ ନିଗମ ଭଳି ସଂସ୍ଥାରେ। ହେଲେ ଏହି ଅତି ପ୍ରଭାବଶାଳୀ ଅଧିକାରୀ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ। ସମଗ୍ର ରାଜ୍ୟରେ ଏହାକୁ ନେଇ ଆଲୋଡ଼ନ। ସରକାରରେ ଜଣେ ଜଣେ ଅଧିକାରୀଙ୍କ କାରନାମା କେତେ ସାଂଘାତିକ ସ୍ତରରେ ପହଞ୍ଚିଲାଣି, ଏହା ତାର ଗୋଟିଏ ନମୁନା ମାତ୍ର।
ଏହି ଘଟଣା ସଂପର୍କରେ ଆଗକୁ କଣ ହେଉଛି, ତାହା ଜାଣିବା ଲାଗି ସବୁ ମହଲରେ ଯେମିତି ଉତ୍ସାହ ପ୍ରକାଶ ପାଉଛି, ସମସ୍ତଙ୍କ ମନରେ ପ୍ରଶ୍ନ ବି ଉଠିଲାଣି ଯେ ଶ୍ରୀ ପାଠକ ଏମିତି କି ସମ୍ମୋହନ ବିଦ୍ୟାର ଅଧିକାରୀ ଯେ ତାଙ୍କର ଏହି କାରନାମା ସଂପର୍କରେ କେହି ଜାଣିପାରିଲେନି? ପୁଲିସ, କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ, ଜଙ୍ଗଲ ବିଭାଗର ସଚିବ, ମନ୍ତ୍ରୀ କାହାକୁ କିଛି ଜଣାପଡ଼ିଲାନି? ଏମିତି କେମିତି ହେଲା? ସମସ୍ତଙ୍କୁ ସେ ବୋକା ବନାଇଦେଲେ ନା ସମସ୍ତେ ସବୁ ଜାଣି ଆଉ କିଛି କାରଣରୁ ନିରବ ରହିଥିଲେ? କେମିତି ପାଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଏ ପହଞ୍ଚିପାରିଲେ?
କେଉଁ ପରିସ୍ଥିତିରେ ଓ କାହା ଇଙ୍ଗିତରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଛଡ଼ାଗଲା? ସେ ମୁଖ୍ୟମନ୍ତ୍ରୀଙ୍କୁ ୫ଲକ୍ଷ ଟଙ୍କାର ଚେକ୍ (ରିଲିଫ୍ ପାଣ୍ଠିକୁ) ଦେବାର ସାହସ କଲେ କେମିତି? ସର୍ବୋପରି ଏ ସଂକ୍ରାନ୍ତରେ ଏତଲା ହେବାପରେ ବି କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ନ ନେଇ ଆଉ କାହାକୁ ଅପେକ୍ଷା କରିଥିଲା?
ମନ୍ତ୍ରୀ, ସଚିବ, ପୁଲିସ, ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ କରୁଥିଲେ କଣ?
ପାଠକ ଛୁଟିରେ ଗଲାବେଳେ ଅନୁମତି ନେଇଛନ୍ତି ନା ନାହିଁ?
କାହା ପ୍ରରୋଚନାରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଆକାଶ?
ଅଭିଯୋଗ ପରେ ବନୀକରଣ ବ୍ୟବସ୍ଥାର ଅଡିଟ୍ ହୋଇଛି କି?
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କହିବା କଥା, ଅତୀତରେ ଠକ ଚିଟ୍ଫଣ୍ଡ ସଂସ୍ଥା ସିସୋର୍ ଟିଭି ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ହୋଇଥିଲେ ବୋଲି ବିଜେଡି ଓ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ବିରୋଧୀ ରାଜନୈତିକ ଦଳ ଢେର୍ ଅପମାନିତ କରିଛନ୍ତି। ଏତେ ପରେ ବି କେହି ଶିଖିଲେନି? ନା ସବୁକିଛି ଠିକ୍ ଚାଲିଥିଲା ଓ ହଠାତ୍ ସମୀକରଣ ବଦଳିଗଲା? ମୁଖ୍ୟମନ୍ତ୍ରୀଙ୍କୁ ଅକଳରେ ପକାଇବା ପାଇଁ କେହି ଷ଼ଡ଼ଯନ୍ତ୍ର କରିନାହାନ୍ତି ତ?
ପାଠକ ପ୍ରସଙ୍ଗ ପ୍ରଶାସନିକ ଅଧିକାରୀମାନଙ୍କୁ ବି ଆଚମ୍ବିତ କରୁଛି। କିଛି ଅଧିକାରୀ କହିଛନ୍ତି ଯେ ପୁରୀ, କଟକ ଓ ଭୁବନେଶ୍ବର ଭିତରେ ବିନାନୁମତିରେ ଆତଯାତ ହେଲେ ଚଳିବ। କିନ୍ତୁ ଛୁଟି ଦିନରେ ବି କେହି ନିଜ କାର୍ଯ୍ୟସ୍ଥଳ ଛାଡ଼ିଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା କଥା। ଆଉ ରାଜ୍ୟ ବାହାରକୁ ଗଲେ ତ ଅନୁମତି ନେଇ ଯିବାକୁ ପଡ଼ିବ। ଏବେ ପ୍ରଶ୍ନ ଉଠୁଛି, ପାଠକ ଲକ୍ଡାଉନ୍ ସମୟରେ ଏତେ ଥର ଚାର୍ଟର ବିମାନରେ ବାହାରକୁ ଗଲେ। ସେ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ଏବଂ ଜଙ୍ଗଲ ବିଭାଗର ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ମୋନା ଶର୍ମାଙ୍କ ଠାରୁ ଅନୁମତି ନେଇଥିଲେ ନା ନାହିଁ? ଯଦି ନେଇଥିଲେ, ସ୍ବତନ୍ତ୍ର ବିମାନରେ ଏତେ ଥର ଗସ୍ତ କରୁଥିବା ଏହି ଅଧିକାରୀଙ୍କ ସଂପର୍କରେ କାହାର ସନ୍ଦେହ େହଲାନି କେମିତି?
କେବଳ ସେତିକି ନୁହେଁ, ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଢେର୍ ଦିନ ଆଗରୁ ବିଭିନ୍ନ ବିଭାଗରେ ଗୋଟିଏ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଇଥିଲେ। ତାହା ହେଲା, ସେହି ବିଭାଗର ଜଣେ ଅତିରିକ୍ତ ବା ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଶକ୍ତ ନଜର ରଖିବେ। ସଂପୃକ୍ତ ସିଭିଓ କୌଣସି ଅଧିକାରୀଙ୍କ ଉପରେ ସନ୍ଦେହ ହେବା ମାତ୍ରେ ରାଜ୍ୟ ଭିଜିଲାନ୍ସକୁ ସୂଚନା ଦେବା କଥା। ଆହୁରି ମଧ୍ୟ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଅଧିକାରୀ ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ତୀକ୍ଷ୍ମ ନଜର ରଖିବା ଏମାନଙ୍କର ଦାୟିତ୍ବ। ଯଦି ଏସବୁ ବ୍ୟବସ୍ଥା ରହିଛି, ତେବେ ପାଠକଙ୍କ ସଂପର୍କରେ କେତେବେଳେ, କିଏ ଓ କଣ ରିପୋର୍ଟ ଦେଇଛନ୍ତି, ତାହା ଏବେ ତଦନ୍ତ ସାପେକ୍ଷ। ଯଦି ରିପୋର୍ଟ ଆସୁନାହିଁ, ତାହାହେଲେ ଏହା ପଛର ରହସ୍ୟ କଣ?
ଚାଞ୍ଚଲ୍ୟକର କଥା ହେଉଛି ଯେ କିଛି ଦିନ ହେଲାଣି ରାଜ୍ୟରେ ବନୀକରଣ ଦୁର୍ନୀତି ଅଭିଯୋଗ ଜୋର ଧରିଛି। କେବଳ ଗଣମାଧ୍ୟମରେ ଏହି ତଥ୍ୟ ଆସୁଛି ତା ନୁହେଁ, ଖୋଦ୍ ଲୋକାୟୁକ୍ତଙ୍କ ନିକଟକୁ ଏ ପ୍ରସଙ୍ଗ ଯାଇ ପହଞ୍ଚିଲାଣି। ଭିଜିଲାନ୍ସ ଏବେ ଲୋକାୟୁକ୍ତଙ୍କ ସୁପାରିସରେ ତିନିଟି ମାମଲା ଉପରେ ତଦନ୍ତ ଜାରି ରଖିଛି। ଜଙ୍ଗଲ ବିଭାଗର ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ସଚିବ ଡାକ୍ତର ମୋନା ଶର୍ମା ଏହା ପରେ ବନୀକରଣ କାର୍ଯ୍ୟକ୍ରମ ସଂପର୍କରେ ସରଜମିନ ଅନୁଧ୍ୟାନ କରିବା ଲାଗି ଆଗ୍ରହ ଦେଖାଇଥିଲେ? କେବେ ଓ କେଉଁଠିକୁ ସେମାନେ ଯାଇ ବିଭାଗୀୟ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି? ଏହା ଏବେ ସାମ୍ନାକୁ ଆସିବା ଦରକାର। ଅନ୍ୟଥା ଯଦି ଆନ୍ତଃ ବିଭାଗ ଅଡିଟ୍ ଟିମ୍ ନାହାନ୍ତିଁ, ମନ୍ତ୍ରୀ ଚାହିଁଥିଲେ ସରକାରଙ୍କ ଅନୁମତି କ୍ରମେ ନିଜଆଡୁ ବନୀକରଣ କାର୍ଯ୍ୟକ୍ରମକୁ ସିଏଜି ଅଡିଟ୍ ପରିସରକୁ ନେଇପାରିଥାନ୍ତେ। ଅନ୍ୟଥା ପଞ୍ଚାୟତିରାଜ ବିଭାଗର ଅଡିଟ୍ ଟିମ୍କୁ ବ୍ୟବହାର କରାଯାଇପାରିଥାନ୍ତା। ଏସବୁ ହେଲାନି କାହିଁକି?
ଭିଜିଲାନ୍ସ ତଦନ୍ତର ଅଗ୍ରଗତି ଓ ସାମ୍ନାକୁ ଆସୁଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମୁଦାୟ ଘଟଣାର ଗମ୍ଭୀରତାକୁ ବଢ଼ାଇ ଦେଇଛି। ଏଥିସହିତ ଜଙ୍ଗଲ ବିଭାଗ କାର୍ଯ୍ୟ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/f65h465sfh465sf4h65sfh465sfhfhsfh.jpg)