ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସାଇବର୍‌ ଅପରାଧ ବଢ଼ି ଚାଲିଛି। ସାଇବର୍‌ ଅପରାଧକୁ ରୋକିବା ପାଇଁ ହେଲେ ଦକ୍ଷ ପୁଲିସ ଅଫିସର୍‌ଙ୍କ ଆବଶ୍ୟକତା ରହିଛି। ଭିତ୍ତିଭୂମିର ବିକାଶ ଦ୍ୱାରା ଏଭଳି ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

Advertisment

ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଲିସ ଭବନରେ ଆୟୋଜିତ ସାଇବର କ୍ରାଇମ୍‌ ତାଲିମ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ର୍ଶମା କହିଥିଲେ ଯେ, ରାଜ୍ୟରେ ପ୍ରତିଦିନ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ, ସପିଂ, ବିଭିନ୍ନ ଆପ୍‌, ମୋବାଇଲ୍‌ ନମ୍ବର ଓ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କୁ ଠକେଇ କରାଯାଉଛି। କେତେବେଳେ ଆକାଉଣ୍ଟ ହ୍ୟାକ୍‌ କରି ତ କେତେବେଳେ ଏଟିଏମ୍‌ ବ୍ୟବହାର କରି ପୁଣି କେତେବେଳେ ଫୋନ୍‌ କଲ ମାଧ୍ୟମରେ ଠକେଇ କରାଯାଉଛି। ବର୍ତମାନ ରାଜ୍ୟରେ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରଠାରେ ସାଇବର ଥାନା ରହିଛି। ଯାହାକି ସାଇବର ଅପରାଧକୁ ରୋକିବାରେ ପର୍ଯ୍ୟାପ୍ତ ନୁହେଁ। ଖୁବ୍‌ଶୀଘ୍ର ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର୍‌ ଥାନା କରାଯିବ। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ଶର୍ମା କହିଛିନ୍ତି। ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ ଯେ, ଅତ୍ୟାଧୁନିକ ଜ୍ଞାନକୌଶଳ ସହ ତାଳଦେଇ କାମ କରିବା ଦରକାର। ଏଥିପାଇଁ ମଝିରେ ମଝିରେ ସମସ୍ତ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ସାଇବର୍‌ କ୍ରାଇମ୍‌ ଉପରେ ତାଲିମ୍‌ ଦିଆଯିବ।

ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ହେବ
ସମସ୍ତ ପୁଲିସ ଅଫିସରଙ୍କୁ ଦିଆଯିବ ତାଲିମ

ଆଜିର କର୍ମଶାଳାରେ ଦିଲ୍ଲୀରୁ ଆସିଥିବା ସାଇବର୍‌ କ୍ରାଇମ୍‌ ବିଶେଷଜ୍ଞ ଈଶାନ୍‌ ସିହ୍ନା ୭୦ରୁ ଅଧିକ ଏସ୍‌ପି ର‍୍ୟାଙ୍କ୍‌ର ଅଫିସରଙ୍କଠାରୁ ଆରମ୍ଭ କରି ଏସ୍‌ଆଇମାନଙ୍କୁ ସୋସିଆଲ ମିଡିଆ ମନିଟରିଂ, ସସ୍‌ପେକ୍ଟ ଟ୍ରାକିଂ, ସାଇବର୍‌ ଓଭର/କଭର୍ଟ ଅପରେସନ୍‌, ଡାର୍କ ନେଟ୍‌ ଓ କାଉଣ୍ଟରନେଟ୍‌, ଟେରୋରିଜମ୍‌ ଆଦି ବିଷୟରେ ତାଲିମ ଦେଇଥିଲେ। ଆଜିର ଏହି କର୍ମଶାଳାରେ ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି(କ୍ରାଇମ୍‌ବ୍ରାଞ୍ଚ) ଅରୁଣ ବୋଥ୍ରା, ଆଇଜି(ଗୁଇନ୍ଦା) ଘନଶ୍ୟାମ ଉପାଧ୍ୟାୟ, ଏସ୍‌ଟିଏଫ୍‌ ଡିଆଜି ହିମାଂଶୁ ଲାଲ, ଏସ୍‌ପି(କ୍ରାଇମ୍‌ବ୍ରାଞ୍ଚ) ରାଜେଶ ପଣ୍ଡିତ, ଏସ୍‌ପି(ଏସ୍‌ଟିଏଫ୍‌) ସତ୍ୟଜିତ ନାୟକଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ତାଲିମ ନେଇଥିଲେ।