ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଚାଲିଛି ବହିଷ୍କାର ପର୍ବ। ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନକୁ ନେଇ ଶୀର୍ଷ ନେତୃତ୍ବକୁ ଟାର୍ଗେଟ୍ କଲେ ଦଳରୁ ତଡ଼ା ଖାଇବାକୁ ପଡ଼ୁଛି। ଗତ ସପ୍ତାହ ଭିତରେ ୬ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଗଲାଣି। ଆଗକୁ ଆଉ କିଛି ନେତା ମଧ୍ୟ ବହିଷ୍କୃତ ହୋଇପାରନ୍ତି ବୋଲି ଦଳରେ ଜୋରଦାର ଆଲୋଚନା ହେଉଛି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଆସନ ସଂଖ୍ୟାରେ ବୃଦ୍ଧି ହୋଇଛି। ଦଳରେ ଏବେ ୧୪ଜଣ ବିଧାୟକ ଅଛନ୍ତି। ଏହାସହ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଦ୍ବିତୀୟବାର ବିଜୟୀ ହୋଇଛନ୍ତି। ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ କଂଗ୍ରେସ ଚଳିତ ନିର୍ବାଚନରେ କଂଗ୍ରେସ ବେଶ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ୯ରୁ ୯୦ ଡାକରା ଦେଇଥିଲେ। ହେଲେ ପୂର୍ବ ନିର୍ବାଚନ ତୁଳନାରେ ଦଳରେ ବିଧାୟକଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କାହିଁକି ଦଳ ଖରାପ ପ୍ରଦର୍ଶନ କଲା ତାହାକୁ ନେଇ ଦଳ ଭିତରେ କାଦୁଅଫିଙ୍ଗା ଆରମ୍ଭ ହୋଇଯାଇଥିଲା। ନିର୍ବାଚନ ଫଳାଫଳ ପରେ ଜୁନ୍ ୬ ତାରିଖରେ ପ୍ରଭାରୀ ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଦଳବିରୋଧୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
ପ୍ରଥମେ ଏଥିରେ ବଳି ପଡ଼ିଥିଲେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ତାଙ୍କୁ ୬ବର୍ଷ ପାଇଁ ଦଳର ବହିଷ୍କାର କରାଯାଇଥିଲା। ବହିଷ୍କାର ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ବର୍ଷିଥିଲେ ଶ୍ରୀ ଚୌଧୁରୀ। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଖରାପ ପ୍ରଦର୍ଶନ ଓ ବିଜେଡି ନେତାଙ୍କଠାରୁ ଅର୍ଥ ନେଇ ଟିକେଟ୍ ବଦଳାଇବା ଘଟଣାରେ ସଭାପତିଙ୍କ ସଂପୃକ୍ତ ଥିବା ଅଭିଯୋଗ ଆଣିଥିଲେ। ସେହିପରି ବଲାଙ୍ଗୀରରେ ଦଳର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ ସଂପାଦକ ମହମ୍ମଦ ଆକବର ଖାନ୍।
ପିସିସି ସଭାପତି ଓ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ଟାର୍ଗେଟ୍ କରିଥିଲେ। ତାଙ୍କୁ ମଧ୍ୟ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିବା ଚର୍ଚ୍ଚା ହେଉଛି। ଏହାସହ ନରେଶ ମହାନ୍ତି, ଦୀପକ ସୋରେନ୍, ଡି.ମାଧବୀ ଓ ସୁକାନ୍ତ ଦାସଙ୍କୁ ମଧ୍ୟ ସମାନ ଢଙ୍ଗରେ ଦଳରୁ ବିଦା କରାଯାଇଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ବହିଷ୍କାର କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ବହିଷ୍କୃତ ନେତା ନରେଶ ମହାନ୍ତି କହିଛନ୍ତି, ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇନାହିଁ। ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ନିର୍ବାଚନ ପୂର୍ବରୁ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଦଳରୁ ବହିଷ୍କାର କରାଯିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲି। ହୁଏତ ପିସିସି ସଭାପତି ପୁରୁଣା ରାଗ ଏବେ ଶୁଝାଇଥିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।