ହୀରାକୁଦର ୨୦ ଗେଟ୍ ଖୋଲା

ସମ୍ବଲପୁର: ଗତ ୩ ଦିନ ଧରି ଉପର ମୁଣ୍ଡରେ ଲଗାଣ ବର୍ଷା କ‌ାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି। ଶୁକ୍ରବାର ଜଳ ପ୍ରବେଶ ୪ ଲକ୍ଷ କ୍ୟୁସେକ୍ ଛୁଇଁଥିବା ବେଳେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଉ ୧୦ଟି ଗେଟ୍ ଖୋଲା ଯାଇଛି। ଗୁରୁବାର ୧୦ଟି ଗେଟ୍ ଖୋଲା ଥିବା ବେଳେ ଶୁକ୍ରବାର ୨ଟି ପର୍ଯ୍ୟାୟରେ ଆଉ ୧୦ ଗେଟ୍ ଖୋଲିଛି। ତେବେ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି। ଗୁରୁବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୩.୭୯ ଫୁଟ୍ ଥିବା ବେଳେ ଶୁକ୍ରବାର ସକାଳ ୬ଟା ବେଳକୁ ତାହା ୬୧୫.୧୭ ଫୁଟ୍‌ ରହିଥିଲା। ଶୁକ୍ରବାର ସକାଳ ୭ଟାରୁ ୮ ମଧ୍ୟରେ ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲିଥିଲା। କିନ୍ତୁ ସକାଳ ୯ଟା ବେଳକୁ ହାରାହାରି ଜଳପ୍ରବେଶ ୪ ଲକ୍ଷ ୨୦ ହଜାର କ୍ୟୁସେକ୍‌ ଅତିକ୍ରମ କରିଥିଲା ଓ ଜଳସ୍ତର ବଢ଼ି ବଢ଼ି ଚାଲିଥିଲା।

ଫଳରେ ଦିନ ୧୧ଟା ୩୦ରେ ଆଉ ୬ଟି ଗେଟ୍ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ବନ୍ଧ ବାମ ସ୍ପିଲ୍‌ୱେ’ର ୧୩ଟି ଓ ଡାହାଣ ସ୍ପିଲ୍‌ୱେ’ର ୭ଟି ସ୍ଲୁଇସ୍ ଗେଟ୍ ଖୋଲା ସରିଥିଲା। ଶୁକ୍ରବାର ସଂଧ୍ୟା ୬ଟା ବେଳକୁ ହୀରାକୁଦ ଜଳସ୍ତର ୬୧୬.୧୫ ଫୁଟ୍‌ ଥିଲା। ସେତେବେଳେ ଜଳଭଣ୍ଡାରକୁ ହାରାହାରି ୩ ଲକ୍ଷ ୯୩ ହଜାର ୩୨୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ବିଭିନ୍ନ ମାର୍ଗ ଦେଇ ୩ ଲକ୍ଷ ୪୦ ହଜାର ୮୯୦ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ’ର ୨୦ଟି ଗେଟ୍ ଦେଇ ୩ ଲକ୍ଷ ୬ ହଜାର ୯୮୦ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ଯାଉଥିଲା।‌ ସେହିପରି ପାୱାର୍ ଚାନେଲ୍ ଦେଇ ୩୦,୮୪୩ କ୍ୟୁସେକ୍‌, ବଗରଡ଼ ମୁଖ୍ୟ କେନାଲ୍ ଦେଇ ୨,୪୯୪ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍ ଦେଇ ୩୦୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୨୧ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୫୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।

ସେତିକିବେଳେ ହୀରାକୁଦ ତଳମୁଣ୍ଡ ବେଲଗାଁଠାରେ ୩୦ ହଜାର କ୍ୟୁସେକ୍, ପଥର୍ଲାଠାରେ ୮୭ ହଜାର କ୍ୟୁସେକ୍‌, ଖଇରମାଳଠାରେ ୩ ଲକ୍ଷ ୭୫ ହଜାର କ୍ୟୁସେକ୍, ବରମୂଳଠାରେ ୧ ଲକ୍ଷ ୮୯ ହଜାର କ୍ୟୁସେକ୍ ଓ ମୁଣ୍ଡଳିଠାରେ ୩ ଲକ୍ଷ ୯ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨୦.୮୦ ମିଲିମିଟର୍‌ ଓ ତଳ ମୁଣ୍ଡରେ ୭.୨୭ ମିଲିମିଟର୍‌ ହାରାହାରି ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ବର୍ତ୍ତମାନର ବନ୍ୟା ସ୍ଥିତି ସଂପର୍କରେ ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ କହି‌ବା ହେଲା ଯେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଉପର ମୁଣ୍ଡରୁ ଅତ୍ୟଧିକ ପାଣି ନ ଆସିଲେ ଆଉ ଅଧିକ ଗେଟ୍‌ ଖୋଲିବା ଆବଶ୍ୟକତା ନାହିଁ। ବର୍ଷା କମିଥିବାରୁ ଆଉ ଅଧିକ ପାଣି ଆସିବା ଆଶଂକା ମଧ୍ୟ ନାହିଁ ବୋଲି ସେ ସୂଚନା ଦେଇଥିଲେ। ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଥିଲେ ଯେ ସରକାର ଓ ପ୍ରଶାସନ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି। ପରିସ୍ଥିତି ଉପରେ ନଜର ରହିଛି।

ସମ୍ବନ୍ଧିତ ଖବର