କୋରାପୁଟ: ଡିପ୍‌ଥେରିଆ ନିୟନ୍ତ୍ରଣ କରିବା କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା ଜାରି ରହିଛି। ପ୍ରତି ବ୍ଲକ୍‌ରୁ ତତ୍କାଳ ତଥ୍ୟ ସଂଗ୍ରହ ନିମନ୍ତେ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟନ୍ତ୍ରଣକକ୍ଷ ଖୋଲିଛି। ସେହିପରି ଗ୍ରାମାଞ୍ଚଳରୁ ମିଳୁଥିବା ତଥ୍ୟକୁ ଏକାଠି କରିବାକୁ ବ୍ଲକ୍‌ସ୍ତରରେ ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୃଥକ୍‌ ଭାବେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

Advertisment

ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟର ଜଣେ ଶିଶୁଙ୍କ ଡିପ୍‌ଥେରିଆରେ ମୃତ୍ୟୁ ପରେ ଅଧିକ ସତର୍କ ହୋଇଛି ସ୍ବାସ୍ଥ୍ୟ ବିଭାଗ। ତେଣୁ ପ୍ରଥମ ପର୍ଯ୍ୟାୟରେ ଆଜି ୬୦ଜଣ ସରକାରୀ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଦିଆଯାଇଛି। ନିୟମିତ ଭାବେ ଏହି କର୍ମଚାରୀମାନେ ଗାଁରେ ରହି ଟ୍ରାକିଂ, ଟେଷ୍ଟିଂ, ସଚେତନତା ସହ ଟିକାକରଣ ପ୍ରକ୍ରିୟାକୁ ନିରୀକ୍ଷଣ କରୁଛନ୍ତି। ଯାହାଫଳରେ କର୍ମଚାରୀ ସଂକ୍ରମିତ ହେବାର ସମ୍ଭାବନା ରହିଥିବାରୁ ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜ୍ବର, କାଶ, ତଣ୍ଟିଫୁଲା ଓ ଶର୍ଦ୍ଦି ଭଳି ଲକ୍ଷ୍ୟ ରହିଥିଲେ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷାକୁ ଗୁରୁତ୍ବ ଦିଆଯାଇଛି। କୁମ୍ଭାରୀପୁଟ ଗାଁରେ ୩୮୫ ପରିବାର ରହୁଥିବା ବେଳେ ଜନସଂଖ୍ୟା ୧୨୩୬ ରହିଛି। ଆଜି ୨୫୨ ପରିବାରର ୧୦୫୦ଜଣ ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଛି। ଶୂନରୁ ୫ବର୍ଷ ମଧ୍ୟରେ ୧୦୬ଜଣ, ୫ରୁ ୧୦ବର୍ଷ ମଧ୍ୟରେ ୮୮ଜଣ ଓ ୧୦ରୁ ୧୬ବର୍ଷ ମଧ୍ୟରେ ୧୦୨ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା। ପୂର୍ବରୁ ଗତ ୨୦ ତାରିଖରେ ମଧ୍ୟ ୨୪୮ ପରିବାରର ୯୮୨ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାରି ମଧ୍ୟରେ ୪ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା କରାଯାଇଛି। ସମସ୍ତ ନମୁନା ନେଗେଟିଭ୍‌ ରହିଥିବା ସୂଚନା ମିଳିଛି।