ଭୁବନେଶ୍ୱର: ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲିବ। ତାହା ମଧ୍ୟରୁ ୩୪ଟିର ନିର୍ମାଣ ଶେଷ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ଦୂରଦୂରାନ୍ତରୁ ଯାଉଥିବା ଲୋକମାନଙ୍କ ଯାତ୍ରା ସୁବିଧାଜନକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟକ କରିଥିଲେ। ଏହି ସୁବିଧା କେନ୍ଦ୍ରରେ ଟଏଲେଟ୍, କାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଯାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି କେନ୍ଦ୍ରଗୁଡ଼ିକର ବିକାଶ କରାଯାଇଛି। ଏଗୁଡ଼ିକ ପର୍ଯ୍ୟଟକ, ମହିଳା ଓ ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ବହୁତ ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏପରି କେନ୍ଦ୍ରର ବିକାଶ କରାଯିବ। ଏଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ୫ଟି ସୁବିଧା କେନ୍ଦ୍ରକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସିଧାସଳଖ ଉଦ୍ଘାଟନ କରିଥିଲା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉଦ୍ଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା କେନ୍ଦ୍ରଗୁଡ଼ିକ ହେଲା କଟକ ଜିଲ୍ଲାର ଯାତମୁଣ୍ଡେଇ ଛକ, ଯାଜପୁରର ଡୁବୁରି-କଳିଙ୍ଗ ନଗର, ନୟାଗଡ଼ର ଓଡ଼ଗାଁ, ସମ୍ବଲପୁରର ଧମା ଓ ଢେଙ୍କାନାଳର କପିଳାସ। ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ସଚିବ ପ୍ରାରମ୍ଭିକ ସୂଚନା ଦେଇଥିଲେ। ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉନ୍ନୟନ କମିସନର୍, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
ଉଦ୍ଘାଟିତ ହେଲା ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର
/sambad/media/post_attachments/wp-content/uploads/2018/08/m22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)