ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ପୋଷ୍ଟ: ଅଭିଯୁକ୍ତକୁ ଗିରଫ କଲା କେନ୍ଦ୍ରାପଡ଼ା ପୁଲିସ

ପାଟଣା: କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜ‌ଣେ ନାବାଳିକା ଓ ତାଙ୍କ ବାପାଙ୍କ ନାମରେ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ଆଜି କେନ୍ଦ୍ରାପଡ଼ା ପୁଲିସ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଗ୍ରାମର ଜଣେ ଯୁବକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଚନ୍ଦନ ମାଟିଆ।

ପୁଲିସ ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ବାପାଙ୍କ ନାମରେ ଚନ୍ଦନ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ଖୋଲିଥିଲା। ଉକ୍ତ ଆକାଉଣ୍ଟରୁ ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିଲା। ସେହିପରି ସମ୍ପୃକ୍ତ ନାବାଳିକା ଏବଂ ତାଙ୍କ ବାପାଙ୍କ ମୋବାଇଲକୁ ମଧ୍ୟ ଅଶ୍ଳୀଳ ଫଟୋ ପଠାଉଥିଲା। ବାରମ୍ବାର ଫୋନ୍‌ କରି ନାବାଳିକାଙ୍କୁ ହଇରାଣ କରୁଥିଲା। ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା କେନ୍ଦ୍ରାପଡ଼ା ଟାଉନ ଥାନାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୫୪/୨୧ ଦଫା ୪୧୯, ୪୬୯, ୫୦୦, ୫୬୧, ୫୦୭ରେ ଏକ ମାମଲା ରୁଜୁ କରିଥିଲା। କେନ୍ଦ୍ରାପଡ଼ା ଟାଉନ୍‌ ଥାନା ଏସ୍‌ଆଇ ସୁମନ୍ତ କିଷାନଙ୍କ ନେତୃତ୍ବରେ ଆସିଥିବା ପୁଲିସ ଟିମ୍‌ ତୁରୁମୁଙ୍ଗା ଥାନା ଅଧିକାରୀ ବୈଦ୍ୟନାଥ ସାହୁଙ୍କ ସହଯୋଗରେ ରାଜନଗର ଗ୍ରାମରେ ଚଢ଼ଉ କରି ଚନ୍ଦନ ଏବଂ ଅନ୍ୟଜଣେ ଯୁବକଙ୍କୁ ଉଠାଇ ନେଇଥିଲେ। ସମ୍ପୃକ୍ତ ଯୁବକକୁ ପୁଲିସ ପଚରାଉଚରା ପରେ ଛାଡ଼ି ଦେଇଥିବାବେଳେ ଚନ୍ଦନକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର