ଖୋଲୁଛି ନକଲି ସାର୍ଟିଫିକେଟ ଗୁମର, କୋଚିଂ ସେଣ୍ଟରରେ କଳା କାରନାମା

ପୁଲିସ କବ୍‌ଜାରେ ମାଷ୍ଟରମାଇଣ୍ଡ ମନୋଜ, ସହଯୋଗୀ ଆଲୋକ ବି ଅଟକ

ବଲାଙ୍ଗୀର: ନକଲି ସାର୍ଟିଫିକେଟ ଜରିଆରେ ମୋଷ୍ଟମାଷ୍ଟର ଚାକିରି ଘଟଣା ପ୍ରଘଟ ହେବା ପରେ ଆରମ୍ଭ ହୋଇଛି ତନାଘନା। ନକଲି ସାର୍ଟିଫିକେଟ କାରବାରର ପର୍ଦ୍ଦାଫାସ ହୋଇଛି। କେଉଁ ସାର୍ଟିଫିକେଟ ଓ କେଉଁ ବିଶ୍ବବିଦ୍ୟାଳୟର ଦରକାର? ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟଠୁ ନେଇ ଏଠିକାର ସ୍ଥାନୀୟ କଲେଜ, ସ୍କୁଲ, ବିହାର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ବଡ଼ ବଡ଼ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଓ ମାର୍କସିଟ ସବୁ ମିଳୁଥିଲା ଏହି କୋଚିଂ ସେଣ୍ଟରରେ। ଯିଏ ଯେଉଁ କୋର୍ସର ସାର୍ଟିଫିକେଟ ଚାହୁଥିଲା ତାକୁ ଦିଆଯାଉଥିଲା। ବାହାର ଲୋକ ଜାଣିବା ପାଇଁ ଥିଲା କୋଚିଂ ସେଣ୍ଟର। ପ୍ରକୃତରେ କିନ୍ତୁ ଚାଲିଥିଲା ନକଲି ସାର୍ଟିଫିକେଟର କାରଖାନା। ବଲାଙ୍ଗୀର ସହର ଭିତରେ ସିଭିଲ କୋର୍ଟ ତଥା ଚର୍ଚ୍ଚ ସମ୍ମୁଖରେ ଥିବା ରିଲାଏନ୍ସ ଏଜୁକେସନାଲ କମ୍ପ୍ଲେକ୍ସ କୋଚିଂ ସେଣ୍ଟରରେ ଚାଲିଥିଲା ଏଭଳି କଳା କାରନାମା।

ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍‌ର ଅଧିକାରୀମାନେ କୋଚିଂ ସେଣ୍ଟରରେ ଚଢ଼ଉ କରି ପୁଳା ପୁଳା ନକଲି ସାର୍ଟିଫିକେଟ ଓ ଗଦା ଗଦା ସିଲ୍‌ ମୋହର ଜବତ କରିଛନ୍ତି। କୋଚିଂ ସେଣ୍ଟର ମାଲିକ ତଥା ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ପୁଲିସ ପଚରାଉଚରା କରୁଛି। ଏହି ମାମଲାରେ ପୁଲିସ ୨୦ରୁ ଅଧିକ ଯୁବକ/ଯୁବତୀଙ୍କୁ ଟାଉନ ଥାନାକୁ ଆଣି ଜରୋ କରୁଛି। ସେହିପରି ବେଲପଡ଼ା ଥାନାରେ ବି ପାଞ୍ଚ ଜଣ ଅଟକ ଥିବା ସୂଚନା ମିଳିଛି। ଶୁକ୍ରବାର ପୁଲିସର ସ୍ୱତନ୍ତ୍ର ଟିମ୍‌ ପୋଷ୍ଟାଲ ଚାକିରିର ମେରିଟ୍‌ ତାଲିକାରେ ଥିବା ସୁବଳୟା ଭୋଇଙ୍କ ସହ ଆଉ କେତେ ଜଣଙ୍କୁ ବେଲପଡ଼ା ଥାନାକୁ ଆଣି ପଚରାଉଚରା କରିଥିଲା। ବଲାଙ୍ଗୀରରେ କୋଚିଂ ସେଣ୍ଟର ଚଳାଉଥିବା ମନୋଜ ମିଶ୍ର ଏସବୁ ଲିଙ୍କ୍‌ରେ ଥିବା ପୁଲିସ ଜାଣିବାକୁ ପାଇଥିଲା।

ଗଦା ଗଦା ସାର୍ଟିଫିକେଟ, ମାର୍କସିଟ ଓ ସିଲ୍‌ ମୋହର ମିଳିଲା,
କମ୍ପ୍ୟୁଟର, ହାର୍ଡଡିକ୍ସ, ପ୍ରିଣ୍ଟର, ଜେରକ୍ସ ମେସିନ ଜବତ,
ନଗଦ ସାଢ଼େ ୩ଲକ୍ଷ ଟଙ୍କା ମିଳିଛି, ୨୫ରୁ ଅଧିକଙ୍କୁ ଅଟକ

ସଂଧ୍ୟାରେ ମନୋଜ ଓ ତାଙ୍କ ପାର୍ଟନର ଆଲୋକଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିଥିଲା। ସେଠାରୁ ସୁରାକ ପାଇ କୋଚିଂ ସେଣ୍ଟରରେ ଶନିବାର ସକାଳ ୧୦ଟାରୁ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ମାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ଉପସ୍ଥିତିରେ ପୁଲିସ କୋଚିଂ ସେଣ୍ଟରର ସବୁ କାଗଜପତ୍ର ଯାଞ୍ଚ କରିଥିଲା। ଦୁଇଟି କ୍ଲାସ୍‌ରୁମ୍‌ ସମ୍ମୁଖରେ ଥିବା ବେଳେ ଭିତର ଅଫିସରେ ଥିଲା ନକଲି ସାର୍ଟିଫିକେଟ ତିଆରି ସାମଗ୍ରୀ କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ ଓ କାଗଜପତ୍ର। କମ୍ପ୍ୟୁଟରରୁ ସବୁ ଲିଭାଇ ଦିଆଯାଇଥିବା ବେଳେ ଏକ ହାର୍ଡଡିସ୍କରେ ସବୁ ସାର୍ଟିଫିକେଟର ସଫ୍ଟକପି ରହିଥିଲା। ଗୋଟିଏ ବାକ୍ସରୁ ଏକ ପଲିଥିନରେ ଥିବା ନଗଦ ସାଢ଼େ ୩ ଲକ୍ଷ ଟଙ୍କା ଥିଲା। ଫାଇଲମାନଙ୍କରେ ଗଦା ଗଦା ସାର୍ଟିଫିକେଟ ଓ ମାର୍କସିଟ ବାହାରିଥିଲା।

କିଛି ପ୍ରିଣ୍ଟ ହୋଇଥିବା ବେଳେ ଆଉ କିଛି ପ୍ରିଣ୍ଟ ହୋଇନଥିଲା। କଲର ପ୍ରିଣ୍ଟର ବି ମହଜୁଦ ଥିଲା। ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସେଠାରୁ ଚିଠି କରାଯାଉଥିବା ବେଳେ ଅନେକ ଚିଠିପତ୍ର ପୁଲିସ ଜବତ କରିଛି। ବସ୍ତା ବସ୍ତା ସାର୍ଟିଫିକେଟ ଓ ମାର୍କସିଟ ବାହାରିଛି। ବିଭିନ୍ନ ବ୍ୟାଙ୍କ ଜମା ଖାତା, ଚେକ୍‌ବହି ବି ପୁଲିସ ପାଇଛି। ଅପରାହ୍ନରେ ନକଲି ସାର୍ଟିଫିକେଟ କୋଚିଂ ସେଣ୍ଟରରେ ପ୍ରିଣ୍ଟ ହୋଇ ବିକ୍ରି କରାଯାଉଥିବା ପ୍ରମାଣ ପାଇବା ପରେ ପୁଲିସ ୧୨ଟା ୩୦ରେ ମାଷ୍ଟର ମନୋଜ ଓ ତାଙ୍କ ପାର୍ଟନର ଆଲୋକଙ୍କୁ କୋଚିଂ ସେଣ୍ଟରକୁ ଆଣିଥିଲା। ଉଭୟ ଆସୁ ଆସୁ ପୂରା ଦମରେ କହିଥିଲେ, ପୁଲିସ କୌଣସି କାଗଜ ପାଇବ ନାହିଁ। ଆମେ ବିଶ୍ବବିଦ୍ୟାଳୟ ସହ ଲିଙ୍କ୍‌ ରଖିଛୁ। ହେଲେ ପୁଲିସ ମନୋଜ ଲୁଚାଇ ରଖିଥିବା ସବୁ ଫାଇଲ ଦେଖାଇବା ପରେ ଉଭୟେ ଆଉ ମୁହଁ ଖୋଲିନଥିଲେ। ପରେ ଉଭୟଙ୍କୁ ପୁଲିସ ବହୁ ସମୟ ଧରି ଜେରା କରିଥିଲା। ରାକେଟରେ ଆଉ କେଉଁମାନେ ସଂପୃକ୍ତ ସେମାନଙ୍କ ସୂଚନା ପାଇଛି ପୁଲିସ। ଏଥିରେ ଶିକ୍ଷକମାନଙ୍କ ବି ହାତ ରହିଛି। ବଲାଙ୍ଗୀର ସହରର ଆଉ କେତେ ଜଣଙ୍କ ସମେତ ଆଗଲପୁର ଓ ବେଲପଡ଼ା ଅଂଚଳର କେତେ ଜଣ ଏହି ଏହି ରାକେଟରେ କାମ କରୁଥିବା ଜଣାପଡ଼ିଛି। ସେହିପରି ରାଜେଶ ଚୌହାନ ନାମକ ଜଣେ ବ୍ୟକ୍ତିଙ୍କ ଏହି ନକଲି ସାର୍ଟିଫିକେଟ କାରସାଦିରେ ସଂପୃକ୍ତି ନେଇ ପୁଲିସ ତଦନ୍ତ କରୁଛି।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଡାକ ମଣ୍ଡଳ ପାଇଁ ବାହାରିଥିବା ୮୩ଟି ବିପିଏମ୍‌, ଏବିପିଏମ୍‌ ଓ ଡାକସେବକ ପଦ ପାଇଁ ପ୍ରାର୍ଥୀମାନେ ଆବେଦନ କରିଥିଲେ। ସେ ଭିତରୁ ୩୭ ଜଣ ପ୍ରାର୍ଥୀଙ୍କ ୯୭ ପ୍ରତିଶତରୁ ଅଧିକ ମାର୍କ ଥିବା ବେଳେ ସେମାନେ ଓଡ଼ିଶା ବୋର୍ଡ ପିଲାଙ୍କଠାରୁ ବି ମେରିଟ ଲିଷ୍ଟରେ ଆଗରେ ଅଛନ୍ତି। ଏପରିକି ଗତ ବର୍ଷ ୫ ଜଣ ପିଲା ନକଲି ସାର୍ଟିଫିକେଟ ହାତେଇ ପୋଷ୍ଟମାଷ୍ଟର ଚାକିରି କରୁଛନ୍ତି। ସନ୍ଦେହ ହେବାରୁ ଏଥର ପ୍ରମାଣପତ୍ର ଯାଞ୍ଚ ସମୟରେ ତାହା ନକଲି ବୋଲି ଡାକ ଅଧୀକ୍ଷକ ଜାଣିବାକୁ ପାଇଥିଲେ। ପୁଲିସକୁ ଲିଖିତ ଏତଲା ଦେଇଥିଲେ। ଆଉ ଏହି ମାମଲାରେ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ପୁଲିସ ତତ୍ପରତା ପ୍ରକାଶ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର