ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଥମେ ବିଶଦ ଭାବେ ଆଲୋଚନା ହେବ। ଏହା ପରେ ଯାଇ ରତ୍ନଭଣ୍ଡାର ସଂକ୍ରାନ୍ତରେ ସରକାରଙ୍କୁ ଚିଠି ଲେଖାଯାଇପାରିବ। ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ କାର୍ଯ୍ୟକାରୀ ପ୍ରସଙ୍ଗରେ ଏମିତି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। କେବଳ ସେତିକି ନୁହେଁ, ଶ୍ରୀ ଦାସ ଏକଥା ବି କହିଛନ୍ତି ଯେ ରତ୍ନଭଣ୍ଡାରର ବାକି ଅଳଙ୍କାର ସୁରକ୍ଷିତ ଅଛି ଏବଂ କିଛି କୁଆଡ଼େ ଯାଇନାହିଁ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଖୁବ୍ ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବାକୁ ଯାଉଛି। ପରିଚାଳନା କମିଟିର ଆଲୋଚନା ଓ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ନିକଟରେ ହାଇକୋର୍ଟ ରତ୍ନଭଣ୍ଡାର ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ ଶ୍ରୀମନ୍ଦିର ପ୍ରଶାସନର ରାଜ୍ୟ ସରକାରଙ୍କୁ ଚିଠି ଦେବାର ଦୁଇ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସରକାର ବାଧ୍ୟ ଓ ଏହି କମିଟି ତଦାରଖରେ ହିଁ ରତ୍ନଭଣ୍ଡାର ଖୋଲିବ। ଏହା ପରେ ସ୍ବାଭାବିକ ଭାବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିଲା ଯେ ଶ୍ରୀମନ୍ଦିର ପ୍ରଶାସନ କେବେ ସରକାରଙ୍କୁ ଚିଠି ଲେଖିବେ।

Advertisment

ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରତ୍ନଭଣ୍ଡାର ଖୋଲିବା ପ୍ରମୁଖ ପ୍ରସଙ୍ଗ ରହିଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଥିଲେ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି ଲେଖିଛନ୍ତି। ଚିଠିର ତର୍ଜମା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛି। ଏ ଦିଗରେ ରାଜ୍ୟ ସରକାରଙ୍କ ଆବଶ୍ୟକ ପଦକ୍ଷେପ ଓ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ସୁପାରିସ କରିବ।

ଏହି ବୈଠକରେ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟ ଅବା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ମଧ୍ୟ ପରିଚାଳନା କମିଟି ପ୍ରସ୍ତାବ ଦେବାକୁ ସ୍ଥିର ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇ ଏହି ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ସୁପାରିସ କରାଯିବାକୁ ସମସ୍ତେ ସହମତ ହୋଇଥିଲେ ବୋଲି ଶ୍ରୀ ବର୍ମା କହିଥିଲେ। ହେଲେ ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ତ୍ବରିତ କୌଣସି ପଦକ୍ଷେପ ନେଇନଥିଲା। ଏହା ଭିତରେ ହାଇକୋର୍ଟ ଅନୁରୂପ ଏକ କମିଟି ଗଠନ ସପକ୍ଷରେ ମତ ରଖିବା ସହିତ ଏ ସଂକ୍ରାନ୍ତ ପ୍ରକ୍ରିୟା ପାଇଁ ସରକାରଙ୍କୁ ଚିଠି ଲେଖିବା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି ଓ ସରକାରଙ୍କ ପାଇଁ କଣ୍ଟ ଧାର୍ଯ୍ୟ କରିଛନ୍ତି। ଫଳରେ ପ୍ରସଙ୍ଗଟି ପୁଣି ନାଟକୀୟ ମୋଡ଼ ନେଇଛି। ଉଲ୍ଲେଖଥାଉକି, ୨୦୨୪ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବରୁ ନିଷ୍ପତ୍ତି ନେଇଥିଲା।