ନୂଆ ଫର୍ମାସି କଲେଜ ଖୋଲିବା ଉପରେ କଟକଣା କୋହଳ ପ୍ରସଙ୍ଗ : ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଫାର୍ମାସିରେ ଡିପ୍ଲୋମା ଓ ଡିଗ୍ରି ପାଠ୍ୟକ୍ରମ ପାଇଁ ନୂଆ କଲେଜ ଖୋଲିବା ଉପରେ ୫ ବର୍ଷ ପାଇଁ ଜାରି କରାଯାଇଥିବା କଟକଣାକୁ ଓଡ଼ିଶା ପାଇଁ କୋହଳ କରିବା ପ୍ରସଙ୍ଗରେ ବିଚାର କରି ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାର ଓ ଫାର୍ମାସି କାଉନସିଲ ଅଫ୍‌ ଇଣ୍ଡିଆକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ଶେଷ ସୁଦ୍ଧା ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ପ୍ରାଥମିକତା ହୋଇଥିବାବେଳେ ଏବେ ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ପେସାଦାରଙ୍କ ଅଭାବ ରହିଥବା ପ୍ରସଂଗକୁ ଦୃଷ୍ଟିରେ ରଖି ନୂଆ ଫାର୍ମାସି କଲେଜ ଖୋଲିବା ଉପରେ ରହିଥିବା କଟକଣା ଓଡ଼ିଶା ପାଇଁ ଉଠାଇବା ପ୍ରସଂଗରେ କେନ୍ଦ୍ର ସରକାର ବିଚାର କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇଟି ମାମଲାର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୯, ଜୁଲାଇ ୧୭ ଓ ସେ‌ପ୍ଟେମ୍ବର ୯ରେ ଫାର୍ମାସି କାଉନସିଲ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରି ୨୦୨୦-୨୧ ଶିକ୍ଷା ବର୍ଷରୁ ଡିପ୍ଲୋମା ଓ ଡିଗ୍ରି ଫାର୍ମାସି କୋର୍ସରେ ଶିକ୍ଷାଦାନ ପାଇଁ ନୂଆ କଲେଜ ଖୋଲିବା ଉପରେ ୫ ବର୍ଷ ପାଇଁ ଅଙ୍କୁଶ ଜାରି କରିଥିଲେ। ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ସି.ଭି.ରମଣ ଗ୍ଲୋବାଲ ୟୁନିଭରସିଟି ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଡିଏମଇଟିଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୦, ସେପ୍ଟେମ୍ବର ୨ରେ ରାଜ୍ୟ ସରକାର ଫାର୍ମାସି କାଉନସିଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ଓଡ଼ିଶାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସମୀକ୍ଷାରୁ ଆବଶ୍ୟକ ସଂଖ୍ୟକ ଫାର୍ମାସି କଲେଜ ନଥିବା ସ୍ପଷ୍ଟ ହେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ସଂଖ୍ୟାରେ ପେସାଦାରଙ୍କ ଆବଶ୍ୟକତା ଥିବା ବେଳେ ଓଡ଼ିଶା ପାଇଁ ଏହି କଟକଣା କୋହଳ ପାଇଁ ରାଜ୍ୟ ସରକାର ଫାର୍ମାସି କାଉନସିଲକୁ ଅନୁରୋଧ କରିଥିଲେ। କିନ୍ତୁ ଏହି ପ୍ରସଂଗରେ କିଛି ନି‌ଷ୍ପତ୍ତି ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।

ସମ୍ବନ୍ଧିତ ଖବର