ଭୁବନେଶ୍ୱର : ଅକ୍ଟୋବର ୧ ତାରିଖରୁ ମନ୍ଦିର ଖୋଲ, ନ ହେଲେ ୭ ତାରିଖରୁ ରାଜ୍ୟବ୍ୟାପୀ ସେବାୟତ କରିବେ ଆନ୍ଦୋଳନ। ୭ ତାରିଖ ଦିନ ରାଜ୍ୟର ସେବାୟତମାନଙ୍କର ୧୦୦ ଜଣ ପ୍ରତିନିଧି ମାଷ୍ଟର କ୍ୟାଣ୍ଟିନ୍ରେ ପହଞ୍ଚି ବିଧାନସଭା ପର୍ଯ୍ୟନ୍ତ ଶୋଭାଯାତ୍ରା କରିବେ। ଏଭଳି ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ଆଜି ସଂଘ ପକ୍ଷରୁ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ତଥା ବାରିପଦା ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ କାମେଶ୍ବର ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ଏ ନେଇ ଦେବୋତ୍ତର କମିସନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଘର ଅଭିଯୋଗ ମୁତାବକ, ପ୍ରାୟ ୬ ମାସ ହେବ ରାଜ୍ୟର ହଜାର ହଜାର ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବନ୍ଦ ରହିଛି। ଯେଉଁ ଜଜମାନଙ୍କ ଦକ୍ଷିଣାରେ ସେବାୟତ ଚଳୁଥିଲେ ସେମାନେ ଆସୁନାହାନ୍ତି କିମ୍ବା ସରକାର ମଧ୍ୟ ସେବାୟତଙ୍କୁ ସହାୟତା ପ୍ରଦାନ କରୁନାହାନ୍ତି। ଏଣୁ ରାଜ୍ୟର ଲକ୍ଷାଧିକ ସେବାୟତ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି। ଦୁଇ ଦୁଇ ଥର ସରକାରଙ୍କୁ ସଂଘ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଇତିମଧ୍ୟରେ ସରକାର ସୂର୍ଯ୍ୟମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳ ଖୋଲିବାକୁ ସ୍ବୀକୃତି ଦେଇଛନ୍ତି। ୧୦୦ ଜଣଙ୍କୁ ନେଇ ସଭା ସମିତି କରିବା ଅନୁମତି ମିଳିଛି। ଏଣୁ କୋଭିଡ୍ କଟକଣା ପାଳନ ପୂର୍ବକ ମନ୍ଦିର ଖୋଲିବାକୁ ଅନୁମତି ଦେବାକୁ ସଂଘ ଦାବି କରିଛି।
ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଜ୍ୟୋତିଶଙ୍କର ଖୁଣ୍ଟିଆ, ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ପାଣି, ଉପସଭାପତି ହରିହର ନନ୍ଦଙ୍କ ସମେତ ନୀଳଗିରି ଜଗନ୍ନାଥ ମନ୍ଦିର, ଆରଡ଼ି ଆଖଣ୍ଡଳମଣି, ଯାଜପୁର ବିରଜା, ଝଙ୍କଡ଼ ଶାରଳା, କଟକ ଧବଳେଶ୍ଵର, କେନ୍ଦ୍ରାପଡ଼ା ବଳଦେବ ଜୀଉ, ଅଲାରନାଥ, ରଣପୁର ଜଗନ୍ନାଥ ମନ୍ଦିର, କାକଟପୁର ମା' ମଙ୍ଗଳା ମନ୍ଦିର, ତାରା ତାରିଣୀ, ଶ୍ରୀଲୋକନାଥ, ସାକ୍ଷୀ ଗୋପୀନାଥ ଓ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ପ୍ରତିନିଧିମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Mandira-Sebayata-Press-Meet.jpg)