ସୁନ୍ଦରଗଡ଼ରେ ଡ୍ରଗ୍ସ ବେପାର ଖୋଲାମେଲା, ତାତିଲେ ଲୋକେ, ଡ୍ରଗ୍ସ ଅଭିଯୁକ୍ତ ଯୁବତୀଙ୍କୁ ମାଡ଼

 

ସୁନ୍ଦରଗଡ଼:  ରାଜଗାଙ୍ଗପୁରରୁ ସୁନ୍ଦରଗଡ଼ ଡ୍ରଗ୍ସ କାରବାର ବେଧଡ଼କ ଚାଲିଛି। ବିଶେଷ କରି ସୁନ୍ଦରଗଡ଼, ରାଜଗାଙ୍ଗପୁର ସହର ଧିରେ ଧିରେ ବ୍ରାଉନସୁଗର ଓ ଅନ୍ୟ  ମାରାତ୍ମକ ନିଶା କବଳକୁ ପଶିଯାଇଛି। ଯୁବ ଓ ଛାତ୍ରଙ୍କୁ ପଥଭ୍ରଷ୍ଟ କରି ବଡ଼ ଧରଣର ବିପଦର କାରଣ ହୋଇଛି। ୧୫ରୁ ୩୦ ବର୍ଷ ବୟସର ଯୁବକମାନେ ନିଶା କବଳରେ ପଡ଼ି ସର୍ବସ୍ବାନ୍ତ ହେଉଥିବା ବେଳେ ସେମାନଙ୍କ ଜୀବନ ହାନିର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।  କିନ୍ତୁ ବିଡ଼ମ୍ବନା, ଏହାକୁ ରୋକିବା ପାଇଁ ପୁଲିସ ଆଗ୍ରହ ପ୍ରକାଶ କରୁ ନାହିଁ।

ଏପରିକି ନିଶା ଦ୍ରବ୍ୟ ବିକ୍ରି ସମ୍ପର୍କରେ କେହି ସୂଚନା ଦେଲେ ମଧ୍ୟ ପୁଲିସ ଅନେକ ସମୟରେ ନିରବ ରହୁଥିବା ଓ କେବେ କେବେ ଚଢ଼ାଉ ପୂର୍ବରୁ ନିଶା ବେପାରୀଙ୍କୁ ଆଗୁଆ ସୂଚନା ମିଳି ଯାଉଥିବା ଅଭିଯୋଗ ରହିଛି। ଗୋଟିଏ ପଟେ  ପୁଲିସର ସନ୍ଦେହଜନକ ନିଷ୍କ୍ରିୟତା  ଓ ଅନ୍ୟପଟେ  ନିର୍ବାଚିତ ପ୍ରତିନିଧି, ରାଜନେତାମାନେ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନକରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଓ ରାଜନେତାଙ୍କ ନିଦ ମଧ୍ୟରେ  ଡ୍ରଗ୍ସର ଖୋଲାମେଲା କାରବାରକୁ ନେଇ ସହରରେ ଅସନ୍ତୁଷ୍ଟ ଲାଗି ରହିଛି। ଏହିକ୍ରମରେ ପତ୍ରାପଡ଼ାର ଢୁକୁପଡ଼ାରେ ଖୋଲାଖୋଲି ଡ୍ରଗ୍ସ କାରବାର ଚାଲିଥିବା ଅଭିଯୋଗ କରି  ରବିବାର ରାତିରେ ଲୋକେ ତାତି ଉଠିଥିଲେ।  ଡ୍ରଗ୍ସ ଅଭିଯୋଗରେ କିରେଇ ଅଞ୍ଚଳର ଜଣେ ଯୁବତୀକୁ ଢୁକୁପଡ଼ାରେ ଧରି ମହିଳାମାନେ ନିସ୍ତୁକ ପିଟିଥିଲେ। ଏପରିକି ସେଠାରେ ଦେହ ବେପାର ମଧ୍ୟ ଚାଲିଥିବା ଲୋକେ ଅଭିଯୋଗ କରିଥିଲେ। ଏହା ପରେ ଯୁବତୀ ଜଣକ ବ୍ରାଉନସୁଗର ଯୋଗାଉଥିବା ରାଜଗାଙ୍ଗପୁରର କିଛି ଯୁବକଙ୍କ ନାମ କହିଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳକୁ ଆସି ଆଇନକୁ ହାତକୁ ନନେବାକୁ ମହିଳାମାନଙ୍କୁ ତାଗିଦ୍ କରିଥିଲା। ଯୁବତୀ ଜଣକ ନିୟମିତ ଢୁକୁପଡ଼ାକୁ ଆସି ଡ୍ରଗ୍ସ ବେପାର ଚଲାଇଥିବା ସମ୍ପର୍କରେ  ପୂର୍ବରୁ ଅନେକ ଥର  ସୂଚନା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମହିଳାମାଗନେ ଆଇନକୁ ହାତକୁ ନେଇଥିବା ପ୍ରକାଶ କରିଥିଲେ। ପ୍ରକାଶଯୋଗ୍ୟ, ସହରର ଲୁହୁରାଢିପା, କିରେଇ, ପତ୍ରାପଡ଼ା, ରାଣୀବଗିଚା, କଲେଜ ରୋଡ୍, କେନ୍ଦ୍ରୀୟ ବିଦ୍ୟାଳୟ ଅଞ୍ଚଳରେ ନିଶାଦ୍ରବ୍ୟ ବେପାରୀ ଓ ଯୋଗାଣକାରୀଙ୍କ ଅସ୍ଥାୟୀ ଆଡ୍ଡା ରହିଛି।

ଏସବୁ ସ୍ଥାନରେ ଗ୍ରାହକ ପହଞ୍ଚୁଛନ୍ତି, ଅଥବା ବେପାରୀ ଏଠାରୁ ଗ୍ରାହକଙ୍କ ପାଖକୁ ନିଶାଦ୍ରବ୍ୟ  ଯାଉଛି।  ସ୍କୁଲ, କଲେଜ ପିଲା ଏସବୁ ନିଶା ପ୍ରେମରେ ପଡ଼ିଥିବା ବେଳେ ଅଭିଭାବକମାନେ ଘୋର ଚିନ୍ତାରେ ଦିନ କାଟୁଛନ୍ତି।  ସବୁଠାରୁ ଉଦବେଗଜନକ କଥା ହେଲା, ନିଶା କାରବାର ସହ ସମତଳ ଦେଇ ଚୋରି, ଲୁଟ୍ ମଧ୍ୟ ବଢ଼ୁଛି। ନିଶାଦ୍ରବ୍ୟ କିଣିବାକୁ ଟଙ୍କା ନପାଇ  ଅନେକ ଯୁବକ ଏପରି ଅସାମାଜିକ ବାଟ ଆପଣେଇଛନ୍ତି। ଏଥିରେ ଯୁବଗୋଷ୍ଠୀଙ୍କ ଅମୂଲ୍ୟ ଜୀବନ ଓ ଭବିଷ୍ୟତ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏସ୍ଥିତିରେ ସୁନ୍ଦରଗଡ଼ରେ  ନିଶା ଓ ତଦ୍ଜନିତ ଅପରାଧ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ରାଜନେତା ସଭାସମିତି, ଉତ୍ସବରୁ ସମୟ ବାହାର କରି ପୁଲିସକୁ ଏଥିପାଇଁ ଉତ୍ତରଦାୟୀ କରି ଏହାକୁ ରୋକିବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ଡ୍ରଗ୍ସ ବସ୍ତି ସ୍ଥାନାନ୍ତର ଦାବି

ସୋମବାର ପୂର୍ବାହ୍ନରେ ପତ୍ରାପଡ଼ାର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଡ୍ରଗ୍ସ କାରବାର ଚଲାଇଥିବା ଢୁକୁପଡ଼ାର ବେଆଇନ ବସ୍ତିକୁ ସ୍ଥାନାନ୍ତର କରିବାକୁ ଦାବି ଜଣାଇଛନ୍ତି। ଡ୍ରଗ୍ସରେ ସ୍କୁଲ ପିଲା ଓ ଯୁବକମାନଙ୍କ ଜୀବନହାନି ହେଉଥିବାରୁ ତୁରନ୍ତ ଏହାକୁ ରୋକିବା ପାଇଁ ପୁଲିସ, ପ୍ରଶାସନ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର