ଓପେପା କର୍ମଚାରୀଙ୍କ ଦରମା ସ୍ଥିର ରଖିବା ପ୍ରସଂଗ: ଅନ୍ତରୀଣ ରହିତାଦେଶ ବଳବତ୍ତର

କଟକ : ଓଡ଼ିଶା ପ୍ରାଇମେରି ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି(ଓପେପା) କର୍ମଚାରୀଙ୍କ ଦରମା/ପ୍ରାପ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ହାରରେ ସ୍ଥିର ରଖିବା ସଂପର୍କିତ ସରକାରଙ୍କ ୨୦୧୯, ଅଗଷ୍ଟ୧ର ବିଜ୍ଞପ୍ତି ଉପରେ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସରକାର ଜବାବ ଦାଖଲ କରି ନଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ଗତ ଅଗଷ୍ଟ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୨୦୧୯, ମାର୍ଚ୍ଚ ୩୧ରେ ଓପେପା କର୍ମଚାରୀ ଯେଉଁ ଦରମା ପାଉଥିଲେ ବର୍ତ୍ତମାନ ସେହି ହାରରେ ସେମାନଙ୍କ ଦରମା ସ୍ଥିର ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରି ବିଜ୍ଞପ୍ତି ଆଇନ ଉଲ୍ଲଂଘନ କରି ପ୍ରକାଶ କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏପରି ବିଜ୍ଞପ୍ତି ରଦ୍ଦ କରାଯିବା ସହିତ ଓପେପା କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ହାରରେ ବର୍ଦ୍ଧିତ ହାରରେ ଦରମା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଜତ କୁମାର ରଥ ମାମଲା ପରିଚାଳନା କରୁଛନ୍ତି। ଆଇନଜୀବୀ ଅଭିଜିତ ମିଶ୍ର ତାଙ୍କୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର