ଓପେପା କର୍ମଚାରୀଙ୍କ ଦରମା ସ୍ଥିର ରଖିବା ପ୍ରସଙ୍ଗ, ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ଓଡ଼ିଶା ପ୍ରାଇମେରି ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି(ଓପେପା) କର୍ମଚାରୀଙ୍କ ଦରମା/ପ୍ରାପ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ହାରରେ ସ୍ଥିର ରଖିବା ସଂପର୍କିତ ସରକାରଙ୍କ ୨୦୧୯, ଅଗଷ୍ଟ୧ର ବିଜ୍ଞପ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହିତ ହାଇକୋର୍ଟ ପ୍ରତିପକ୍ଷଙ୍କୁ ଏହି ମାମଲାରେ ଜାବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୧କୁ ଧାର୍ଯ୍ୟ କରାଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇଟି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୧୯୯୬ରେ ‌ଓପେପା ସୋସାଇଟି ଆକ୍ଟ ଅନୁସାରେ ଗଠନ କରାଯାଇଥିଲା। ୨୦୧୩, ଅକ୍ଟୋବର ୨୯ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା ପରିଷଦ ବୈଠକ ନିଷ୍ପତ୍ତି ଅନୁସାରେ ଏବେ ଓପେପାର ଅଧିକାରୀ ଓ କର୍ମଚାରୀ ଦରମା ପାଉଛନ୍ତି। ଏହି ନିଷ୍ପତ୍ତି ଓପେପା ନିର୍ବାହୀ କମିଟି ୨୦୧୪, ମାର୍ଚ୍ଚ ୩ରେ ଅନୁମୋଦନ କରିଥିଲା। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଦରମା ହାରରେ ଓପେପା ନିର୍ବାହୀ କମିଟି ଦ୍ବାରା ସୃଷ୍ଟି ହୋଇଥିବା ପଦବିରେ ନିଯୁକ୍ତି ପାଇଥିବା ବ୍ୟକ୍ତି ପ୍ରାପ୍ୟ ପାଇବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ସତ୍ବେ ଓପେପା ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ କମ୍ ଦରମା ପ୍ରଦାନ କରାଯାଉଥିଲା। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କ ପକ୍ଷରୁ ଗତ ଅଗଷ୍ଟ ୧ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୨୦୧୯, ମାର୍ଚ୍ଚ ୩୧ରେ ଓପେପା କର୍ମଚାରୀ ଯେଉଁ ଦରମା ପାଉଥିଲେ ବର୍ତ୍ତମାନ ସେହି ହାରରେ ସେମାନଙ୍କ ଦରମା ସ୍ଥିର ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରି ବିଜ୍ଞପ୍ତି ଆଇନ ଉଲ୍ଲଂଘନ କରି ପ୍ରକାଶ କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏପରି ବିଜ୍ଞପ୍ତି ରଦ୍ଦ କରାଯିବା ସହିତ ଓପେପା କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ହାରରେ ବର୍ଦ୍ଧିତ ହାରରେ ଦରମା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀ ବିଶ୍ବରଂଜନ ପ୍ରଧାନ ଓ ଅନ୍ୟମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଜତ କୁମାର ରଥ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅଭିଜିତ ମିଶ୍ର ତାଙ୍କୁ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର