ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅବ୍ୟବସ୍ଥା

ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ଆୟୋଜିତ ପରିବାର ନିୟନ୍ତ୍ରଣ ଅସସ୍ତ୍ରୋପଚାର ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ମହିଳାମାନେ ସକାଳ ୭ଟା ସମୟରେ ନିଜର ଅସସ୍ତ୍ରୋପଚାର ନେଇ ନାମ ପଞ୍ଜିକରଣ କରିଥିଲେ । ଏହାପରେ ସେମାନଙ୍କର ରକ୍ତଚାପ, କରୋନା, ମଧୁମେହ, ହେମୋଗ୍ଳୋବିନ ଏବଂ  ଗର୍ଭବତୀ ଅଛନ୍ତି କି ନାହିଁ ସେନେଇ ସେମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସକାଳ ୯ଟାରେ ଅସ୍ତ୍ରୋପଚାର ଆରମ୍ଭ ହେବ ବୋଲି କୁହାଯାଇଥିଲା । ହେଲେ ଅସ୍ତ୍ରୋପଚାର କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିଥିଲା ।

ମଧ୍ୟାହ୍ନ ୧୨ଟା ସମୟରେ ଓଟିରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ତେଣୁ ପଞ୍ଜିକୃତ ମହିଳା ଓ ସେମାନଙ୍କ ସଂପର୍କୀୟମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା । ଛୋଟ ଛୋଟ ପିଲାଙ୍କୁ କୋଳରେ ଧରି ଅପେକ୍ଷା କରିଥିବା ମହିଳାମାନେ ହନ୍ତସନ୍ତ ହୋଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ପରିବାର ନିୟନ୍ତ୍ରଣ ଶିବିର ପରିଚାଳନା କାର୍ଯ୍ୟ ସଂପାଦନ ନେଇ ଖୋଦ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ଼ ନିୟମ ପାଳନ କରିନଥିବା ଅଭିଯୋଗ ହେଉଛି । କର୍ମୀମାନେ ମଧ୍ୟ କୋଭିଡ଼ ନିୟମ ଲଲ୍ଲଂଘନ କରିଥିବା ଅଭିଯୋଗ ଉଠୁଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଆଜି ଗୋଟିଏ ଦିନରେ ୯୮ ଜଣ ମହିଳା ଅସ୍ତ୍ରୋପଚାର କରାଇଛନ୍ତି । ମୋଟ ୯୯ ଜଣ ପଞ୍ଜିକୃତଙ୍କ ମଧ୍ୟରୁ ଜଣେ ମହିଳା ବିଳମ୍ବ ହେତୁ ଫେରିଯାଇଥିଲେ । ମହାମାରୀ କୋଭିଡ଼ କଟକଣା ଯୋଗୁ ବର୍ତ୍ତମାନ ପରିପ୍ରେକ୍ଷୀରେ  ଦିନକୁ ୩୦ ଜଣ ମହିଳାଙ୍କର ଅସ୍ତ୍ରୋପଚାର କରାଯିବା କଥା । ଅର୍ଥାତ ୩୦ ଜଣ କରି ୯୮ ଜଣ ମହିଳାଙ୍କର ତିନିଦିନରେ ଅସ୍ତ୍ରୋପଚାର କରାଯିବା କଥା । ହେଲେ  ଆଜି ମାତ୍ର  ଗୋଟିଏ ଦିନ ଭିତରେ ବହୁ ସଂଖ୍ୟାରେ ମହିଳାଙ୍କର ଅସ୍ତ୍ରୋପଚାର କରାଯିବ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଗୋଟିଏ ବଡ଼କଥା ହେଉଛିଯେ, ୩ ଜଣ ଡାକ୍ତର ଉପସ୍ଥିତ ରହି ଅସ୍ତ୍ରୋପଚାର କରାଇବା କଥା । ହେଲେ କେବଳ ଜଣେ ମାତ୍ର ପ୍ରସୂତି ଓ ମହିଳା ବିଶେଷଜ୍ଞ ସମସ୍ତଙ୍କୁ ଲାପ୍ରୋସ୍କୋପି ମାଧ୍ୟମ ଯୋଗେ ଅସ୍ତ୍ରୋପଚାର କରାଇଥିଲେ । ତେଣୁ ଅସ୍ତ୍ରୋପଚାର କାର୍ଯ୍ୟରେ ବହୁ ବିଳମ୍ବ ଘଟିବାକୁ ନେଇ ସଂପର୍କୀୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାତି ୭ଟା ସମୟରେ ଅସସ୍ତ୍ରୋପଚାର ଶେଷ ହୋଇଥିଲା ।

ସମ୍ବନ୍ଧିତ ଖବର