ଅପ‌େରସନ୍ ବ୍ଲାକ୍‌ଆଉଟ୍‌ : ଲାଞ୍ଚୁଆ ବାବୁଙ୍କ କଳା କାରନାମା

ବିକ୍ରି ହେଉଛନ୍ତି ବିଦ୍ୟୁତ ବିଭାଗର ଯନ୍ତ୍ରୀ ଓ ବାବୁ। ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର। କେମିତି ଗାନ୍ଧୀମୁଣ୍ଡ ଥିବା ନାଲିନେଳି ନୋଟ ଦେଖିବା ପରେ ଅଫିସରଙ୍କ ମୁହଁରେ ପାଣି ଆସି ଯାଉଛି; ‘ଅପ‌େରସନ୍‌ ବ୍ଲାକ୍‌ଆଉଟ୍‌’ରେ ତାହା ସ୍ପଷ୍ଟ ଭାବେ ଦେଖା ଯାଉଛି। ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବା ସରକାରୀ ଚାକିରିଆ କେମିତି ଉପୁରି କମାଇବାକୁ ଟାକି ବସିଛନ୍ତି ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଉପଭୋକ୍ତାମାନେ ଗରମରେ ଆଉଟୁପାଉଟୁ ହେଉଥିବାବେଳେ ଏହି ସରକାରୀବାବୁମାନେ ପକେଟରେ ଲକ୍ଷ ଲକ୍ଷ ଟଙ୍କା ଭର୍ତି କରି ପ୍ରା‌ୟୋଜିତ ବିଦ୍ୟୁତ କାଟ କରୁଛନ୍ତି। ଲୋକଙ୍କ ପ୍ରତି ଥିବା ଉତ୍ତର ଦାୟିତ୍ବ, ସେବା, ନିଷ୍ଠା ଓ ସ୍ବଚ୍ଛତାକୁ ଜଳାଞ୍ଜଳି ଦେଇ କିଭଳି ନିଜ ସ୍ବାର୍ଥରେ ମାତିଛନ୍ତି ତାହା ଏହି ରିୟଲିଟି ଚେକ୍‌ରେ ଧରା ପଡ଼ିଯାଇଛି। ଅସାଧୁ ଉପାୟରେ ନିଜ ପଦର ଦୁରୁପଯୋଗ କରି ଗାଁ ଓ ସହରରେ କେଉଁଠି କେତେବେଳେ ବିଦ୍ୟୁତ କାଟ ହେବ ତାହା ନିଷ୍ପତ୍ତି ନେଉଛନ୍ତି କରିତକର୍ମା ବାବୁମାନେ।

ଲିଙ୍କିଙ୍ଗ୍ ଗୁରୁ ଡଟ୍‌ କମ୍‌ ପକ୍ଷରୁ କରାଯାଇଥିବା ‘ଅପରେସନ୍ ବ୍ଲାକ୍‌ଆଉଟ୍‌’ ଆଜି କନକ ନ୍ୟୁଜ୍‌ରେ ପ୍ରସାରିତ ହେବା ପରେ ବିଦ୍ୟୁତ ବିଭାଗର କିଛି ଅସାଧୁ ଅଧିକାରୀଙ୍କ କଳା କାରନାମା ସାମ୍ନାକୁ ଆସିଛି, ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ଜାଲରେ ପଡ଼ିଗଲେ ରାଜଧାନୀର ଦୁଇ ଯନ୍ତ୍ରୀ
ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଅଂଚଳ ରାଜଧାନୀ ଭୁବନେଶ୍ୱର। ଏହିଠାରୁ କାମ କରନ୍ତି ସରକାର। ଏହିଠାରୁ କ୍ରିୟାଶୀଳ ହୁଏ ପୂରା ପ୍ରଶାସନିକ କଳ। ହେଲେ ଟଙ୍କା ପାଇଁ ରାଜଧାନୀ ଭୁବନେଶ୍ୱରରେ ବି ବିଜୁଳି କାଟ ହୋଇପାରେ, ତାହା କ୍ୟା‌ମେରାରେ କଏଦ ହୋଇ ନ ଥିଲେ କେହି ବିଶ୍ବାସ କରି ନ ଥାନ୍ତେ। ଅପରେସନ୍‌ ବ୍ଲାକଆଉଟ୍‌ରେ ଭିଏସ୍‌ଏସ୍‌୍ ନଗର ଜେଇ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ସୁବ୍ରତ ଦାସ ଏଭଳି ଡିଲ୍‌ କରି ଫସି ଯାଇଛନ୍ତି।
ଦଶହରା ଛୁଟି ପୂର୍ବ ସମୟ। ଜେଇ ସୁବ୍ରତ ଦାସଙ୍କୁ ଲିଙ୍କିଙ୍ଗ ଗୁରୁ ଡଟ୍‌ କମ୍‌ର ସାମ୍ବାଦିକ ନିଜକୁ ଇନଭର୍ଟର କମ୍ପାନିର କର୍ମଚାରୀ ପରିଚୟ ଦେଇ ଭେଟିଥିଲେ। ଏକ ହୋଟେଲରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଆଉ ମୋଟା ଅଙ୍କର ଲାଞ୍ଚ ମିଳିବ ବୋଲି ପ୍ରତିଶ୍ରୁତି ପାଇବା ପରେ ସେ ରାଜି ହୋଇ ଯାଇଥିଲେ ବିଦ୍ୟୁତ କାଟ୍ କରିବା ପାଇଁ। ଏହା ପରେ ସେ ବରମୁଣ୍ଡାର ଡିଭିଜନରେ ଜେଇ ସୁବ୍ରତ ମିଶ୍ରଙ୍କୁ ସାଙ୍ଗରେ ଆଣି ଡିଲ କରିଥିଲେ ଏବଂ ଦୁହେଁ ଇନଭର୍ଟର କମ୍ପାନି କର୍ମଚାରୀଙ୍କ କଥା‌ ରାଜି ହୋଇ ନିଜ ନିଜ ଅଞ୍ଚଳରେ ସମାନ ସମୟରେ ବିଦ୍ୟୁତ କାଟ କରିଥିଲେ।

ନିଜେ ଖାଇବେ, ତଳ ଅଫିସରଙ୍କୁ ବି ଖୁଆଇବେ
ରାୟଗଡା ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦ। ଦିନେ ବିଜୁଳି ରାଜସ୍ବ ବଢାଇବା ସହ ବିଭାଗର କ୍ଷତି କମ୍ କରି ହୋଇଥିଲେ ସମ୍ମାନିତ। ହେଲେ ପକେଟ ଗରମ ହେବା ଅଫର ପାଇ ଖୁସିରେ ହୋଇଗଲେ ଗଦଗଦ। ଇନଭଟର କମ୍ପାନିର ଦାବି ମୁତାବକ, ଦିନକୁ କିଛି ଘଂଟା ବିଜୁଳି କାଟିବାକୁ ପ୍ରସ୍ତୁତ ହୋଇଗଲେ। ଇନ୍‌ଭଟର କମ୍ପାନିକୁ ମୁନାଫା ଦେବାକୁ ବିଭାଗର କ୍ଷତି କରିବାକୁ ପ୍ରସ୍ତୁତ ହୋଇଗଲେ। ସେଥିପାଇଁ ପ‌କ‌େଟ୍‌ରେ ୫ ଲକ୍ଷ ଟଙ୍କା ପୂରାଇବାକୁ ପ୍ରସ୍ତୁତ ହୋଇଯାଇ ଥିଲେ ନିର୍ବାହୀ ଯନ୍ତ୍ରୀ ଜଣକ। ତେବେ ତଳେ ଥିବା କର୍ମକାରୀଙ୍କୁ ସାଙ୍ଗରେ ନ ନେଲେ ବିଜୁଳି କାଟିବାକୁ ଅସୁବିଧା ଅଛି କହି ସେଥିପାଇଁ ୫ଲକ୍ଷ ଟଙ୍କାକୁ ବଢାଇ ୯ ଲକ୍ଷ ଟଙ୍କା କରିବାକୁ ଦେଇଥିଲେ ପ୍ରସ୍ତାବ। ନିଜେ ୫ ଲକ୍ଷ ପକେଟ୍‌ରେ ପୂରାଇବା ପରେ ଜେଇ ଓ ଏସ୍‌ଡିଓଙ୍କୁ ୪ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ଅପରେସନ୍‌ ବ୍ଲାକ୍‌ଆଉଟ୍‌ରେ ତାଙ୍କର ଏହି କଳା କାରନାମା ପଦାକୁ ଆସିବା ପରେ ଅସଲ ମୁଖା ଖୋଲି ଯାଇଛୁ।

ସାଧୁତା ପରୀକ୍ଷାରେ ଫେଲ ମାରିଲେ ଅଭିମନ୍ୟୁ
ସାଧୁତାର ପରୀକ୍ଷାରେ ଫେଲ୍ ମାରିଲେ ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା। ଗାନ୍ଧୀ ନୋଟ ପାଇବା କଥା ଶୁଣିବା ପରେ ବଦଳି ଯାଇଥିଲା ବାବୁଙ୍କ ଚରିତ୍ର। ଅପରେସନ୍ ବ୍ଲାକ୍‌ ଆଉଟରେ ଅଭିମନ୍ୟୁଙ୍କ ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି। ଇନଭର୍ଟର କମ୍ପାନିଠାରୁ ଟଙ୍କା ନେଇ ମନଇଚ୍ଛା ପାୱାର କଟ୍ କରିବାକୁ ରାଜି ହୋଇ ଯାଇଥିଲେ ସେ। କେବଳ ନିଜେ ନୁହନ୍ତି, ବରଂ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ଅନ୍ୟ ଅଫିସରଙ୍କୁ ମଧ୍ୟ ଦୁର୍ନୀତିର ନକ୍ସା ଦେଖାଇବାକୁ ଭୁଲି ନାହାନ୍ତି। ୨ ଘଣ୍ଟା ନୁହେଁ ବରଂ ୫ ମିନିଟ ପୂର୍ବରୁ କଲ କଲେ ସେ ପାୱାର କଟ୍‌ କରିଦେବେ ଏବଂ ଏଥିରେ କୌଣସି ପ୍ରକାର ସମସ୍ୟା ଦେଖା ଦେବ ନାହିଁ ବୋଲି ଦମ୍ଭ ଦେଖାଇଥିଲେ ଅଭିମନ୍ୟୁ। ଆଜି ତାଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ କନକ ନ୍ୟୁଜ୍‌ରେ ପ୍ରତିକ୍ରିୟା ରଖିଛନ୍ତି ଅଭିମନ୍ୟୁ ଜେନା। କହିଛନ୍ତି, ମୋତେ ଫସାଇ ଦେବାକୁ ଚେଷ୍ଟା କରାଯାଉଛି। ଭିଡିଓକୁ ଏଡିଟ୍‌ କରାଯାଇ ମୋତେ ଫସାଇ ଦିଆଯାଇଛି। ଏପରିକି ଆପଣ ମୋତେ କହିଥିଲେ କ’ଣ, କଲେ କ’ଣ ବୋଲି ଲିକିଂ ଗୁରୁ ଡଟ୍ କମ୍‌ର ସାମ୍ବାଦିକଙ୍କୁ ଫୋନ୍‌ରେ ପଚାରିଥିଲେ ଅଭିମନ୍ୟୁ। ଆଉ ଏହା ପରେ ଯେତେବେଳେ ପୁଣିଥରେ ଅଭିମନ୍ୟୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସେ ଆଉ ଫୋନ୍ ଉଠାଇ ନ ଥିଲେ।

ବିଦେଶ ଭ୍ରମଣ ଲୋଭରେ ଫସିଗଲେ ଭଗବାନ
୫ ଲକ୍ଷ ଟଙ୍କା। ତା ସାଙ୍ଗକୁ ବିଦେଶ ଭ୍ରମଣର ପ୍ରସ୍ତାବ। ଏସବୁ ଶବ୍ଦ ଶୁଣିବା ପରେ ବଦଳିଗଲା ନିର୍ବାହୀ ଯନ୍ତ୍ରୀଙ୍କ ଚରିତ୍ର । ଲୋଭ ମଣିଷକୁ ଅନ୍ଧ କରିଦିଏ । ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀ ସେମାନଙ୍କୁ ହଇରାଣ କରିବାକୁ ପଛାଇଲେ‌ ନାହିଁ । ବିଭାଗ, ସରକାର ଏସବୁକୁ ପଛ କରି କିଭଳି ନିଜ ସ୍ୱାର୍ଥ ପାଇଁ ଜଣେ କେବଳ କାମ କରେ ତାହା ଦେଖା ଦେଇଥିଲେ ନବରଙ୍ଗପୁର ଟାଉନ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁ। ଇନଭର୍ଟର କମ୍ପାନିର କର୍ମଚାରୀଙ୍କ ସହ ଡିଲ୍‌ ଚୂଡ଼ାନ୍ତ ହେବା ପରେ ବିଦ୍ୟୁତ କାଟ କାର୍ଯ୍ୟକାରୀ କରିବାକୁ ଦେଇଥିଲେ ପ୍ରତିଶ୍ରୁତି। ପିକ୍ ଆୱାରରେ ସଂଧ୍ୟା ୬ଟାରୁ ରାତି ୧୧ଟା ଭିତରେ ପାୱାର କଟ୍ ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ ସେ। ଏପରିକି ନବରଙ୍ଗପୁର ସହରରେ ପାୱାର କଟ୍‌ ହେବ ବୋଲି ସେ ସାମ୍ବାଦିକମାନଙ୍କୁ ମଧ୍ୟ ଆଗତୁରା କହି ଦେଇଥିଲେ। ଏଭଳି ଲାଞ୍ଚୁଆ ଅଧିକାରୀଙ୍କ ମୁଖା ଖୋଲି ଦେଇଛି ଅପରେସନ୍‌ ବ୍ଲାକ୍‌ଆଉଟ୍‌।

ଆମ କଥା ବୁଝି ଦିଅନ୍ତୁ, ଆମେ ଆପଣଙ୍କ କଥା ବୁଝିବୁ
ଇନଭର୍ଟର କମ୍ପାନିର ଲାଞ୍ଚ ପ୍ରସ୍ତାବ ଶୁଣି ଜଟଣୀ ଜେଇ ସୁବ୍ରତ ତ୍ରିପାଠୀଙ୍କ ମନକୁ ଛୁଇଁଗଲା ପାପ। ୧୦୦ ପ୍ରତିଶତ ନହେଲେ ବି ୫୦ ପ୍ରତିଶତ ସହାୟତା କରିବାକୁ ରାଜି ହୋଇଗଲେ ଜେଇ। ସଂଧ୍ୟାରେ ନହେଲେ ବି ଦିନବେଳା ଲାଇନ କାଟି ଫାଙ୍କିଦେବେ ଜୁନିୟର ଇଂଜିନିୟର। ଜେଇଙ୍କ କଥାରୁ ଜଣାପଡୁଥିଲା ଠକିବାର କୌଶଳ ସରକାରୀ ବାବୁଙ୍କୁ ବେଶ୍‌ ଜଣା। ଅଭ୍ୟାସଗତ ଭାବେ ସେ ଏଭଳି କରି ଆସୁଥିବାର ଏକ ଧାରଣା ବି ତିଆରି ହେଲା। କହିଥିଲେ, ଫନି ବାତ୍ୟା ପରେ ଲୋକେ ଦିନରାତି ବିନା ବିଜୁଳି, ପାଣିରେ ରହିଲେ। ଆଉ ଏବେ ରହି ପାରିବେ ନାହିଁ। ଆପଣ ଆମ କଥା ବୁଝିଦେଲେ ଆମେ ଆପଣଙ୍କ କଥା ବୁଝିବୁ। ଦିନବେଳା ଯାହା ହେବ । ତେଣୁ ପିକ୍ ଲୋଡ ଆୱାରରେ କାଟିବାଟା ସମ୍ଭବ ନୁହେଁ । ଦିନବେଳେ କେତେବେଳେ କେମିତ କାଟିବୁ।

ସମ୍ବନ୍ଧିତ ଖବର