ମୁଖା ଖୋଲିଦେଲା ‘ଅପରେସନ୍ ବ୍ଲାକଆଉଟ୍’ : ଲାଞ୍ଚ ନେଇ ବିଜୁଳିକାଟ

ଇନଭର୍ଟର କମ୍ପାନିଙ୍କ ସହ କରୁଥିଲେ ସଉଦା
ଲକ୍ଷ ଲକ୍ଷ ଟଙ୍କା ଓ ବିଦେଶ ଭ୍ରମଣ ଲୋଭରେ ବାବୁ
ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ଗଙ୍ଗା ଗୌରୀପ୍ରସାଦ ‘ହିରୋ’
‘ଲିଙ୍କିଙ୍ଗ୍ ଗୁରୁ ଡଟ୍‌କମ୍‌’ର ବଡ଼ ଅନୁସନ୍ଧାନ
‘କନକ ନ୍ୟୁଜ୍‌’ରେ ପ୍ରସାରଣ ପରେ ହଇଚଇ

ଭୁବନେଶ୍ବର : ଆପଣଙ୍କ ଅଞ୍ଚଳରେ ଲଗାତାର ଭାବେ କୌଣସି ନିର୍ଦିଷ୍ଟ ସମୟରେ ବିଜୁଳି କାଟ ହେଉଛି କି ? ଭାବୁଛନ୍ତି କି ଯାନ୍ତ୍ରିକ ତ୍ରୁଟି କାରଣରୁ ଏଭଳି ବିଜୁଳି କାଟ ହେଉଛି ବୋଲି ? ଏଭଳି ଭାବିବା ବୋଧହୁଏ ଭୁଲ ହୋଇପାରେ। ବିଦ୍ୟୁତ ବିଭାଗର କିଛି ଲାଞ୍ଚୁଆ ଅଧିକାରୀଙ୍କ କଳା କାରନାମା ପାଇଁ ବି ଆପଣ ବିଦ୍ୟୁତ ଯନ୍ତ୍ରଣା ଭୋଗୁ ଥାଇପାରନ୍ତି। ‘ଲିଙ୍କିଙ୍ଗ୍ ଗୁରୁ ଡଟ୍‌କମ୍‌’ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ‘ଅପରେସନ୍‌ ବ୍ଲାକ୍‌ଆଉଟ୍‌’ରୁ ଏଭଳି ଚକିତ କଲା ଭଳି ଚିତ୍ର ପଦାକୁ ଆସିଛି। ଆଜି ‘କନକ ନ୍ୟୁଜ୍‌’ରେ ଏହା ପ୍ରସାରିତ ହେବା ପରେ ଅଧଡଜନ୍‌ ଲାଞ୍ଚୁଆ ଅଧିକାରୀଙ୍କ ମୁଖା ଖୋଲିଯାଇଛି। ଲିଙ୍କିଙ୍ଗ ଗୁରୁ ଡଟ୍‌କମ୍‌ର ସାମ୍ବାଦିକମାନେ ନିଜକୁ ଏକ ଇନଭର୍ଟର କମ୍ପାନିର ମାର୍କେଟିଙ୍ଗ କର୍ମଚାରୀ ପରିଚୟ ଦେଇ ଏହି ବାବୁମାନଙ୍କୁ ଜାଲରେ ଛନ୍ଦାଇବା ପରେ ଲକ୍ଷ ଲକ୍ଷ ଟଙ୍କାର ଲାଞ୍ଚ ଓ ବିଦେଶ ଭ୍ରମଣ ଲୋଭରେ ସେମାନେ କେମିତି ପିକ୍‌ ଆୱାର୍‌ରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରିବାକୁ ରାଜି ହୋଇଯାଉଛନ୍ତି; ତାହା ଗୋପନ କ୍ୟାମେରାରେ କଏଦ୍‌ ହୋଇଯାଇଛି। ଆଉ କନକ ନ୍ୟୁଜ୍‌ରେ ଏସବୁ ଦୃଶ୍ୟ ପ୍ରସାରିତ ହେବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଶକ୍ତି ବିଭାଗ ମଧ୍ୟ ତ୍ବରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛି।

ଖୋର୍ଧା, ଜଟଣୀ, ଭିଏସଏସନଗର, ବରମୁଣ୍ଡା, ନବରଙ୍ଗପୁର, ଗୁଣୁପୁର ଆଦି ବିଦ୍ୟୁତ ସବ୍‌ଡିଭିଜନ୍‌ର କିଛି ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ କେମିତି ଇନଭର୍ଟର କମ୍ପାନିଠାରୁ ଲାଞ୍ଚ ନେଇ ବିଦ୍ୟୁତ କାଟ କରିବାକୁ ରାଜି ହୋଇ ଯାଉଛନ୍ତି ଏବଂ ନିର୍ଦ୍ଧା‌ରିତ ସମୟରେ ସେହିସବୁ ନିର୍ଦ୍ଦିଷ୍ଟ ଇଲାକାରୁ ବିଦ୍ୟୁତ କାଟ ମଧ୍ୟ କରୁଛନ୍ତି, ତାହାର ଗୁମର ଫିଟାଇଛି ଏହି ଷ୍ଟିଙ୍ଗ୍ ଅପ‌ରେସନ୍। କନକ ନ୍ୟୁଜ୍‌ରେ ଏହି କଳା କାରନାମାର ପ୍ରସାରଣ ପରେ ଏହାର ପ୍ରଭାବ ଏମିତି ପଡ଼ିଛି ଯେ ଶକ୍ତି ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ଅପରେସନ୍‌ରେ କେବଳ ଲାଞ୍ଚୁଆ ବାବୁମାନେ ଧରା ପଡ଼ିନାହାନ୍ତି, ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରି ଜଣେ ନିର୍ବାହୀ ଯନ୍ତ୍ରୀ ତାଙ୍କ ନିଷ୍ଠା ଓ ସଚ୍ଚୋ‌ଟତାର ପ୍ରମାଣ ମଧ୍ୟ ଦେଇଛନ୍ତି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସବ୍‌ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀପ୍ରସାଦ ପଟ୍ଟନାୟକଙ୍କୁ ତାଙ୍କ ସଚ୍ଚୋଟତା ପାଇଁ ପ୍ରଶଂସାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର