ଭୁବନେଶ୍ବର : ୭୨ ଘଣ୍ଟା ବିତିଲାଣି। ସାତକୋଶିଆରେ ‘ସୁନ୍ଦରୀ’କୁ କାବୁ କରିପାରୁନି ବନ ବିଭାଗ। ଓୟୁଏଟି, ନନ୍ଦନକାନନ ଓ ଶିମିଳିପାଳର ବିଶେଷଜ୍ଞ ଟିମ୍ ଦିନରାତି ଏକ କରି ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଧରାଛୁଆଁ ଦେଉନି ‘ସୁନ୍ଦରୀ’। କେତେବେଳେ ଆଖି ଆଗରୁ ଚମ୍ପଟ ମାରୁଛି ତ ଆଉ କେତେବେଳେ ନିଶାନା ଲଗାଇବାରେ ବିଫଳ ହେଉଛନ୍ତି ବିଶେଷଜ୍ଞ ଦଳ। ୩ ଦିନ ହେଲେ ସାତକେଶିଆରେ ସୁନ୍ଦରୀ ଓ ବିଶେଷଜ୍ଞ ଟିମ୍ ମଧ୍ୟରେ ଏଭଳି ଛକାପଞ୍ଝା ଚାଲୁରହିଥିବା ବେଳେ ବନ ବିଭାଗର ରଣନୀତିକୁ ନେଇ ଏବେ ସନ୍ଦେହ ଉପୁଜିଛି। କୁମ୍କି(ତାଲିମପ୍ରାପ୍ତ) ହାତୀଙ୍କ ବିନା ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ଭଳି ଏତେ ବଡ଼ ପଦେକ୍ଷପ କିଭଳି ନିଆଯାଉଛି ବୋଲି ପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।
ବାଘ ହେଉ କିମ୍ବା ବାଘୁଣୀ। ଯେତେବେଳେ ବି ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ ହୁଏ ସେତେବେଳେ କୁମ୍କି ହାତୀର ଆବଶ୍ୟକ ପଡ଼ିଥାଏ। ଅତିକମ୍ରେ ଦୁଇଟି ହାତୀ ରହିବା ନିତ୍ୟାନ୍ତ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ ବାଘୁଣୀକୁ ଟ୍ରାକ୍ କରାଯିବା ପରେ ହାତୀ ସହୟତାରେ ତା’ ପାଖରେ ପହଞ୍ଚିଥାନ୍ତି ବିଶେଷଜ୍ଞ। ହାତୀ ଉପରେ ବସି ଟ୍ରାଙ୍କୁଲାଇଜ୍ କରିବା ସହଜ ହୋଇଥାଏ। ବାଘ/ବାଘୁଣୀର ଆଗ ଓ ପଛ ପାର୍ଶ୍ବରେ ଗୋଟିଏ ଲେଖାଏ ହାତୀ ଜଗି ରହିଥାନ୍ତି। ହାତୀଙ୍କ ଉପରେ ବସିଥିବା ମାହୁନ୍ତ ସୁବିଧା ପାଇବା କ୍ଷଣି ବାଘକୁ ଲକ୍ଷ୍ୟ କରି ଗୁଳି ଚଳାଇ ବାଘ/ବାଘୁଣୀକୁ ବେହୋସ କରିଥାନ୍ତି। ଏଭଳି ପଦ୍ଧତି ଦ୍ବାରା କମ୍ ସମୟରେ ବାଘୁଣୀକୁ ଧରାଯାଇପାରନ୍ତା। ଏବେ ଯେଉଁ ପଦ୍ଧତିରେ ‘ସୁନ୍ଦରୀ’କୁ ଧରିବାକୁ ଉଦ୍ୟମ ହେଉଛି ତାହା ଫଳପ୍ରଦ ହେବାକୁ ବହୁ ସମୟ ଲାଗିପାରେ। ଏପରିକି ଯଦି ବାଘୁଣୀ ଘଞ୍ଚ ଜଙ୍ଗଲକୁ ଚାଲିଯିବ ତେବେ ବିଶେଷଜ୍ଞ ଟିମ୍କୁ ନିରାଶ ହେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏବେ ଓଡ଼ିଶାରେ କୁମ୍କି ହାତୀଙ୍କ ସଂଖ୍ୟା ବହୁତ କମ୍। ଶିମିଳିପାଳରେ ମାତ୍ର ଦୁଇଟି କୁମ୍କି ହାତୀ ରହିଥିବା ବେଳେ ଚନ୍ଦକାରେ ଦୁଇଟି ରହିଛନ୍ତି। କାଠ ମାଫିଆଙ୍କ କବଳରୁ ଗଛକୁ ରକ୍ଷା କରିବା ପାଇଁ ଚନ୍ଦକା ଜଙ୍ଗଲରେ ଏମାନଙ୍କୁ ରଖାଯାଇଛି। ଏହି ୪ଟି ହାତୀ ବ୍ୟତୀତ ଓଡ଼ିଶାରେ ଆଉ କୁମ୍କି ହାତୀ ନାହାନ୍ତି। ହାତକୋଶିଆରେ ତାଲିମପ୍ରାପ୍ତ ହାତୀ ନ ଥିବାରୁ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବା ସହଜ ହେଉ ନାହିଁ। ସାତକୋଶିଆରେ ବାଘ ଜଗିବା ପାଇଁ ଶିମିଳିପାଳରୁ ହାତୀ ଆଣିବାକୁ ଯୋଜନା ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ହୋଇପାରିଲାନି। ଲୋକଙ୍କ ବିରୋଧ ଯୋଗୁଁ କୁମ୍କି ହାତୀ ଅଧା ବାଟରୁ ଶିମିଳିପାଳକୁ ଫେରିଯାଇଥିଲେ। ଏବେ ପୁଣିଥରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଛି। କର୍ଣ୍ଣାଟକରୁ ୩ଟି କୁମ୍କି ହାତୀ ଓଡ଼ିଶା ଆଣିବାକୁ ୩ ମାସ ତଳୁ ଯୋଜନା ହୋଇଛି ଯେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରି ହୋଇନି। ବନ ବିଭାଗ ଅଧିକାରୀଙ୍କ ସବୁବେଳେ ଗୋଟିଏ ଉତ୍ତର ଖୁବ୍ଶୀଘ୍ର କର୍ଣ୍ଣାଟକି କୁମ୍କି ହାତୀ ଓଡ଼ିଶା ଆସିବେ। କେବେ ଆସିବେ ତାହାର ସ୍ପଷ୍ଟ ସୂଚନା କାହା ପାଖରେ ନାହିଁ। ପରିବେଶବିତ୍ ବିଶ୍ବଜିତ୍ ମହାନ୍ତିଙ୍କ କହିବାନୁଯାୟୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ କୁମ୍କି ହାତୀ ଆବଶ୍ୟକତା ରହିଛି। ହେଲେ ଓଡ଼ିଶାରେ କୁମ୍କି ହାତୀଙ୍କ ଅଭାବ। ଶିମିଳିପାଳରେ କେବଳ ଦୁଇଟି ହାତୀ ରହିଛି। ନନ୍ଦନକାନନରେ ପ୍ରାୟ ୨୦ଟି ହାତୀ ରହିଥିଲେ ମଧ୍ୟ ସେମାନଙ୍କୁ ତାଲିମ ଦିଆଯାଉ ନାହିଁ। ଉପଯୁକ୍ତ ମାହୁନ୍ତ ବି ନାହାନ୍ତି। ଏବେ କେବଳ ବାଘ ଆଗରେ ଛେଳି ରଖି ବିଶେଷଜ୍ଞ ଟିମ୍ ଟ୍ରାଙ୍କୁଲାଇଜ୍ କରିବ। ନ ହେଲେ ଗଛ ଉପରେ ମଞ୍ଚା ବାନ୍ଧି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବେ। ଏହା କରିବା ଏତେ ସହଜ ନୁହେଁ। ବିପଦର ଆଶଙ୍କା ବି ରହୁଛି ବୋଲି େସ କହିଛନ୍ତି।