ରାୟଗଡ଼ାରେ ଅପରେସନ୍ ଗ୍ରୀନ୍ ଡାଇମଣ୍ଡ : ୩ ବର୍ଷରେ ୭୦୫୯ କେଜି ଜବତ, ୫୫ ଗିରଫ

ଚଢ଼ାଉ ସତ୍ତ୍ବେ ପାହାଡ଼ି ଇଲାକାରେ ହେଉଛି ଅବାଧ ଚାଷ

ରାୟଗଡ଼ା : ଗଂଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ରାୟଗଡ଼ା ଜିଲ୍ଲାର ପାହାଡିଆ ଅଞ୍ଚଳ। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଦୁର୍ଗମ ଅଞ୍ଚଳରେ ଅନାୟସରେ ଚାଲିଛି ଚାଷ। ମାଓ ପ୍ରବଣ ସହ ଏହି ସବୁ ଅଞ୍ଚଳକୁ ଯାତାୟାତ ସୁବିଧା ନଥିବାରୁ ସ୍ଥାନୀୟ ଅଧିବାସୀଙ୍କୁ ଢ଼ାଲ କରି ମାଫିଆ ଉଠାଉଛନ୍ତି ଫାଇଦା। ମାଫିଆଙ୍କ ସମେତ ମାଓବାଦୀଙ୍କ ପାଣ୍ଠି ବୃଦ୍ଧିରେ ଗଂଜେଇ କାରବାର ବେଶ୍ ସହାୟକ ହେଉଥିବାରୁ ଜିଲ୍ଲାରେ ଅପରେସନ୍ ଗ୍ରୀନ୍ ଡାଇମଣ୍ଡକୁ ଜୋରଦାର୍ କରିବାକୁ ଯାଉଛି ପୁଲିସ୍। ଖୁବ୍ ଶୀଘ୍ର ବଡ଼ ଧରଣର ଅପରେସନ୍ ଆରମ୍ଭ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍।

ଜିଲ୍ଲାର ପଦ୍ମପୁର, ଚନ୍ଦ୍ରପୁର, ଗୁଡାରି, ଗୁଣପୁର ବ୍ଲକରେ ବୃଦ୍ଧି ପାଇବାରେ ଲାଗିଛି ଗଂଜେଇ ଚାଷ। କନ୍ଧମାଳ-କଳାହାଣ୍ଡି-ଗଜପତିକୁ ଲାଗିଥିବା ଶହ ଶହ ଏକର ଜମିରେ ଚାଷ ହେଉଥିବା ବେଳେ ଅମଳ ପରେ ସତର୍କତାର ସହ ବିଭିନ୍ନ ତରିକାରେ ବାହାରକୁ ଚାଲାଣ କରୁଛନ୍ତି ମାଫିଆ। ପାଦ ଚଲା ରାସ୍ତାରେ ଜିଲ୍ଲା ସୀମାନ୍ତ ପାର କରିବା ପରେ ତେଲ ଟ୍ୟାଙ୍କର, ପରିବା/ଫଳ ବୋଝେଇ ଭ୍ୟାନ୍, ଯାତ୍ରୀବାହୀ ଟ୍ରେନରେ ବାହାର ରାଜ୍ୟକୁ ଚାଲାଣ ହେଉଛି। ଯାହାର ସୁରାକ୍ ଲାଗିଛି ପୁଲିସ୍ ହାତରେ। ଗତ ୩ ମାସରେ ରାୟଗଡ଼ା ପୁଲିସକୁ ଗଂଜେଇ ଚୋରା ଚାଲାଣ ରୋକିବା କ୍ଷେତ୍ରରେ ମିଳିଥିବା ସଫଳତାରୁ ଏହା ସ୍ପଷ୍ଟ। ଗତ ସପ୍ତାହରେ ତେଲ ଟ୍ୟାଙ୍କରରେ ୧ ହଜାରରୁ ଉର୍ଧ୍ବ ଗଂଜେଇ ବିହାରକୁ ଚାଲାଣ ହେଉଥିବା ବେଳେ ପୁଲିସ୍ ଜବତ କରିବା ସହିତ ଡ୍ରାଇଭରକୁ ଗିରଫ କରିଥିଲା। ଗିରଫ ଡ୍ରାଇଭର ଭିନ୍ନକ୍ଷମ ଏବଂ ଗୋଟିଏ ଗୋଡ ନଥିବା ଦେଖିବାକୁ ମିଳିଥିଲା। ପ୍ଲାଷ୍ଟିକ୍ ଗୋଡ ଲଗାଇ ଡ୍ରାଇଭର ଗାଡ଼ି ଚଳାଇ ଗଂଜେଇ ଚାଲାଣ କରୁଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ମାଫିଆ ଗଂଜେଇ ଚାଲାଣ ପାଇଁ ନୂଆ ତରିକା ଆପଣାଇବା ପରେ ଯାଞ୍ଚ ନେଇ ପୁଲିସର ଚିନ୍ତା ବଢ଼ିଛି।

କରୋନା ପାଇଁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ଥିବାରୁ ମାଫିଆ ସଡକ ପଥରେ ଗଂଜେଇ ଚାଲାଣକୁ ଗୁରୁତ୍ବ ଦେଇଛନ୍ତି। ଗତ ୩ ବର୍ଷରେ ରାୟଗଡ଼ା ପୁଲିସ୍ ୭୦୫୯ କେଜି ଗଂଜେଇ ଜବତ କରିବା ସହ ୫୫ ଜଣଙ୍କୁ ଗିରଫ କରିଛି। ୨୦୧୮ ମସିହାରେ ୧୬୩୬ କେଜି ଗଂଜେଇ ସହ ୧୬ ଜଣ, ୨୦୧୯ରେ ୧୮୨୩ କେଜି ଗଂଜେଇ ସହ ୨୧ ଜଣ, ୨୦୨୦ ଅଗଷ୍ଟ ସୁଦ୍ଧା ୩୬୦୦ କେଜି ଗଂଜେଇ ସହ ୧୮ ଜଣ ଗିରଫ ହୋଇଛନ୍ତି। ଆଗକୁ ଶୀତ ଦିନ ଆସୁଥିବାରୁ ଗଂଜେଇ ଚାଷ ପାଇଁ ପୁଣି ଥରେ ସଜବାଜ ହେଉଛନ୍ତି ମାଫିଆ। ପଦ୍ମପୁର ବ୍ଲକର କେନ୍ଦୁଗୁଡା ଫାଣ୍ଡି ଅଞ୍ଚଳରେ ସର୍ବାଧିକ ଗଂଜେଇ ଚାଷ ହେଉଥିବା ଜଣା ପଡିଛି। ଏହି ଅଞ୍ଚଳ ଗଜପତି ସୀମାନ୍ତକୁ ଲାଗିଥିବାରୁ ସହଜରେ ମାଫିଆଙ୍କୁ କାବୁ କରିବା ପୁଲିସ୍ ପକ୍ଷେ ସହଜ ହେଉନି। ଗଜପତି ଜିଲ୍ଲାର ମୋହନା ସମେତ ଆର୍. ଉଦୟଗିରି ବ୍ଲକକୁ ଏହି ଅଞ୍ଚଳ ଲାଗିଛି। ଏହି ଦୁଇ ବ୍ଲକର ଅଧିକାଂଶ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନଥିବା ବେଳେ ଯେଉଁ କିଛି ଅଞ୍ଚଳକୁ ରାସ୍ତା ଅଛି ତାହା ଘଞ୍ଚ ଜଙ୍ଗଲ ଦେଇ ଯାଇଛି। ଯାହା ଗଂଜେଇ ମାଫିଆଙ୍କୁ ବେଶ୍ ସୁହାଉଛି। ରାୟଗଡ଼ା ପୁଲିସ୍ ଓ ଅବକାରୀ ବିଭାଗ ବେଆଇନ ଗଂଜେଇ ଚାଷ ନେଇ ସୁରାକ୍ ପାଉଛି। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ ମାଓ ପ୍ରବଣ ଏବଂ ଅତି ସ୍ପର୍ଶକାତର ଅଞ୍ଚଳକୁ ପହଞ୍ଚିବା ସହଜସାଧ୍ୟ ହେଉନି।

ନିକଟରେ ମୁନିଗୁଡ଼ାରୁ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ସମୟରେ ଜିଆରପି ପୁଲିସ୍ ୨ ଜଣଙ୍କୁ ଗିରଫ କରିବା ସହ ୪ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା। ୨ ଅଭିଯୁକ୍ତ ଗଞ୍ଜାମ ପୋଲସରାର ସାଗର ପ୍ରଧାନ, ସନ୍ତୋଷ ସାହୁ ମୁନିଗୁଡ଼ାର କୁଖ୍ୟାତ ଗଞ୍ଜେଇ ବେପାରୀ ସଂପର୍କରେ ସୂଚନା ଦେବା ପରେ ଭୁବନେଶ୍ବର ଜିଆରପି ଟିମ୍ ତଦନ୍ତ ପାଇଁ ରାୟଗଡ଼ା ଆସିଥିଲା। ସେହିପରି ଗତ ଜୁଲାଇ ୧୪ ତାରିଖରେ ନାରକୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ ରାଞ୍ଜିରେ ଗଞ୍ଜେଇ ଭର୍ତ୍ତି ଦୁଇଟି ପିକଅପ୍ ଭ୍ୟାନକୁ ଜବତ କରିଥିଲା। ରାୟଗଡ଼ାରୁ ଯାଇଥିବା ଦୁଇ ଭ୍ୟାନରୁ ୨୨୫ କେଜି ଗଞ୍ଜେଇ ସହ ୯ ଜଣଙ୍କୁ ଗିରଫ କରିଥିଲା। ମେ ୩୧ ତାରିଖରେ ଗୁଡ଼ାରି ଥାନା ଖଇରାଗୁଡ଼ା କାଜୁ ଜଙ୍ଗଲରୁ ପୁଲିସ୍ ୧୧୭୦ କେଜି ଗଞ୍ଜେଇ ସହ ୯ଟି ବାଇକ ଜବତ କରିଥିଲା। ମେ ୨୬ରେ ଚନ୍ଦ୍ରପୁର ଥାନା ଅଧିକାରୀ ସୁନୀଲ ଅରୁଣ କୁମାର ନାୟକ ନିଜ ଟିମ୍ ସହ ବୁଡୁବାଲି, କୁମାରଗୁଡ଼ି, କୁଡିସୁର, ଆଶ୍ରୟପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ପଣସ ଭର୍ତ୍ତି ଟ୍ରକରୁ ୨୪୫ କେଜି ଗଞ୍ଜେଇ ଜବତ କରିଥିଲେ।

ସମ୍ବନ୍ଧିତ ଖବର