ମୋବାଇଲ୍‌ ଟର୍ଚ୍ଚରେ ଅପରେସନ୍‌ ଘଟଣା: ଜିଲ୍ଲା ଚିକିତ୍ସାଧିକାରୀଙ୍କ ଅନୁଧ୍ୟାନ

ଗପୋଲସରା : ପୋଲସରା ମେଡିକାଲ୍‌ ଅଧିକାଂଶ ସମୟ ଅନ୍ଧାରରେ ବୁଡ଼ି ରହିବା ଓ କିଛିଦିନ ତଳେ ମୋବାଇଲ୍‌ ଟର୍ଚ୍ଚ ଜରିଆରେ ମହିଳାଙ୍କ ଅସ୍ତ୍ରୋପଚାର କରି ପ୍ରସବ କରାଯିବା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଭି.ସରୋଜିନୀ ଦେବୀ ଓ ଆରସିଏଚ୍‌ଓ, ଡେପୁଟି ମ୍ୟାନେଜର ଶକ୍ତି କୁମାର ଦିଗଲଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍‌ ପହଞ୍ଚି ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ। ମେଡିକାଲର ବହୁଦିନ ଧରି ଅଚଳାବସ୍ଥାରେ ପଡ଼ିଥିବା ଜେନରେଟର୍‌ ଦେଖିଥିଲେ। ପରେ ପ୍ରସୂତି ବିଭାଗ ସମେତ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରତି ଓ୍ବାର୍ଡ଼ ପରିଦର୍ଶନ କରିଥିଲେ। ବିଭାଗୀୟ ଅଧିକାରୀ ଏ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ଏକ ସପ୍ତାହ ମଧ୍ୟରେ ମେଡିକାଲରେ ୩୦ କେଭି.ର ଏକ ଡିଜିଟାଲ ଜେନରେଟର୍‌ ସ୍ଥାପନ କରିବାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିବା ବେଳେ ପୋଲସରା ନାଗରିକ ମଞ୍ଚ ମଧ୍ୟ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ସମସ୍ୟା ସମାଧାନ ଦାବି ଜଣାଇଥିଲେ।

ସମ୍ବନ୍ଧିତ ଖବର