ଖୋର୍ଦ୍ଧାରେ ପୁଲିସର ‘ଅପରେସନ୍ ଖଣି’: ଧରିଲେ ପୁଳାଏ, ଦେଖାଇଲେ ପୁଂଜାଏ 

ଖୋର୍ଦ୍ଧା: ରାଜ୍ୟରେ ଏବେ ଦୁର୍ନୀତି ନିବାରଣ ସଚେତନତା ପକ୍ଷ ଚାଲୁଛି । ପୁଲିସ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସବୁଠାରେ ସରକାରୀ ଅଧିକାରୀମାନେ ଲାଂଚ ନେବା ଓ ଦେବା ଅପରାଧ ବୋଲି ଶପଥ ନେଉଛନ୍ତି । କିନ୍ତୁ ଖୋର୍ଦ୍ଧାରେ ଚାଲୁଥିବା ବେଆଇନ ଖଣି ଖନନ ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ନୁହେଁ ବେଆଇନ ଗୋରୁ ଚାଲାଣ ପଛରେ ପୁଲିସର ପ୍ରୋତ୍ସାହନ ରହିଛି । ତାପଙ୍ଗ-ଶଙ୍ଖାରୀରେ ଅନୁମତି ନଥାଇ ବିସ୍ଫୋରଣ ଓ ବେଆଇନ ଖଣି ଖନନ ଉପରେ ଚଢ଼ାଉ ଘଟଣାରେ ପୁଲିସର ରହସ୍ୟମୟ ନିରବତା ଓ ତିନି ଦିନ ପରେ ହଠାତ୍ ଟୁଇଟ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କେବଳ ଦୁଇ ତିନିଟି ଗାଡ଼ି, ବିସ୍ଫୋରକ ତିନିବସ୍ତା ଓ ୧୦ ଜଣ ଗିରଫର ସୂଚନା ପୁଲିସର ଭୂମିକାକୁ ସନେ୍ଦହ ଘେରକୁ ଆଣିଛି ।

ଦୁଇ ଦିନ ପୂର୍ବେ ଶଙ୍ଖାରୀରେ ହୋଇଥିବା ଚଢ଼ାଉରେ ବିପୁଳ ବିସ୍ଫୋରକ, ବିସ୍ଫୋରଣ ଘଟାଇବା ଯନ୍ତ୍ରପାତି, ୧୨ରୁ ଉଦ୍ଧ୍ୱର୍ ଟ୍ରକ୍, ହିଟାଚି, ସଂଖ୍ୟାଧିକ ମୋଟରସାଇକଲ ଆଦି ଜବତ କରାଯିବା ସହ ୯ରୁ ଉଦ୍ଧ୍ୱର୍ ଲୋକଙ୍କୁ ଗିରଫ କରାଯିବା ଘଟଣାରେ ଆରକ୍ଷୀ ଅଧୀକ୍ଷକ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବେ ବୋଲି କହି ସୂଚନା ଦେବାକୁ ଏଡ଼ାଇ ଆସୁଥିଲେ । ଏନେଇ ସମ୍ବାଦରେ ଗତ ଦୁଇଦିନ ଧରି ଖବର ପ୍ରକାଶିତ ହେବାପରେ ଆଜି ଅପରାହ୍ଣ ୩ଟା ୪୦ରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଏନେଇ ଟୁଇଟ୍ କରିଛନ୍ତି । ଟୁଇଟ୍ରେ ଗୋଟିଏ ହିଟାଚି, ୫ ବସ୍ତା ଜିଲାଟିନ୍ (ବିସ୍ଫୋରକ), ୨ଟି କମ୍ପ୍ରେସର ଓ ୧୦ଜଣଙ୍କୁ ସଦର ଥାନା ମାମଲା ୨୧୯/୨୦୨୨ରେ ଗିରଫ କରାଯାଇଥିବା ନେଇ ଟୁଇଟ୍ କରିଛନ୍ତି । ତେବେ ଏହି ଘଟଣାରେ ଜବତ ହୋଇଥିବା ସଂଖ୍ୟାଧିକ ଟ୍ରକ୍ ସଦର ଥାନା ସମ୍ମୁଖରେ ଦୀର୍ଘ ୪-୫ ଘଂଟା ଧରି ଅଟକ ରଖାଯାଇଥିଲା । ପରେ ସମସ୍ତ ଟ୍ରକ, ମୋଟର ସାଇକଲ ଆଦି ରହସ୍ୟଜନକ ଭାବେ ମାମଲା ନଥିରୁ ଗାଏବ ହୋଇଯାଇଛି । ସେହିଭଳି ବେଆଇନ ଖଣିର ମାଲିକ ମଧ୍ୟ ମାମଲାର ଅଭିଯୁକ୍ତଙ୍କ ତାଲିକାରୁ ଉଭାନ ହୋଇଯାଇଛି । କେବଳ ଏହି ଗୋଟିଏ ଘଟଣାନୁହେଁ, ଜିଲ୍ଲାରେ କ୍ରମାଗତ ଭାବେ କରାଯାଉଥିବା ବେଆଇନ ଖଣି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲଣ ଗାଡ଼ି ଉପରେ ଚଢ଼ାଉ ସମ୍ପର୍କରେ ପୁଲିସର ଏଭଳି ଭୂମିକା ବଢ଼ିବାରେ ଲାଗିଛି ।

ଗୋଟିଏ ପଟେ ଖୋର୍ଦ୍ଧାରୁ ବ୍ରାଉନ୍ସୁଗାର ଓ ବେଆଇନ ଖଣି କାରବାରକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦୃଢ଼ୋକ୍ତି ଦେଉଥିବା ବେଳେ ଖୋଦ୍ ପୁଲିସର ସମସ୍ତ ବରିଷ୍ଠ ଅଧିକାରୀଙ୍କ ଗୋଚରରେ ଏଭଳି କାରବାର ଖୋର୍ଦ୍ଧାରୁ ନିଶା ଓ ଅପରାଧମୁକ୍ତ କରିବା ସଂକଳ୍ପରେ ପୁଲିସର ସ୍ୱଚ୍ଛତା ପ୍ରତି ସାଧାରଣରେ ସନେ୍ଦହ ସୃଷ୍ଟି ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର