ମାଲକାନଗିରି: ବର୍ଷା ଋତୁରେ ଜୋର୍ଦାର ହେବ ନକ୍ସଲ ଦମନ ଅଭିଯାନ। ଘଞ୍ଚ ଜଙ୍ଗଲରେ ଲଗାଣ ବର୍ଷାରେ କମ୍ବିଂ ଅପରେସନ୍ ପୁଲିସ ପାଇଁ ସହଜ ହେଉନଥିବାରୁ ଏହାର ଫାଇଦା ଉଠାଇଥାନ୍ତି ନକ୍ସଲ। ହିଂସା ଘଟାଇ ପୁଲିସ ପହଞ୍ଚିବା ପୂର୍ବରୁ ନିକଟସ୍ଥ ଗ୍ରାମରେ ନକ୍ସଲ ସୁରକ୍ଷିତ ଭାବେ ଆତ୍ମଗୋପନ କରିଥାନ୍ତି। ଚଳିତ ବର୍ଷ ନକ୍ସଲଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଯୋଜନା କରିଛି ପୁଲିସ୍। ବର୍ଷା ଆରମ୍ଭରୁ ଅପରେସନ୍ ‘ମନସୁନ୍’ ଆରମ୍ଭ କରିବାକୁ ହୋଇଛି ନିଷ୍ପତ୍ତି। ନକ୍ସଲଙ୍କୁ ଉଚିତ ଜବାବ ଦେବା ପାଇଁ ଆକାଶ ମାର୍ଗରୁ ହେବ ଜୋର୍ଦାର ଆକ୍ରମଣ। ଅପରେସନ୍ରେ ସାମିଲ ହେବେ ମାଲକାନଗିରି ସମେତ ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପୁଲିସ୍।
କମ୍ବିଂରେ ସାମିଲ ହେବେ ୪ ରାଜ୍ୟର ପୁଲିସ
ନକ୍ସଲ ଗତିବିଧି ଉପରେ ଗୁଇନ୍ଦା ବିଭାଗର ନଜର
ବର୍ଷକ ମଧ୍ୟରେ ନକ୍ସଲ ଯେତିକି ହିଂସାକାଣ୍ଡ ଘଟାଇଥାନ୍ତି ତାହାର ଏକ ଚର୍ତୁଥାଂଶ ଘଟଣା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ। ନକ୍ସଲ ଏହି ସମୟରେ ଅଧିକ ଉଗ୍ର ହୋଇଥାନ୍ତି। ୨୦୧୫ରୁ ଏଯାଏଁ ଘଟଣାକୁ ଅନୁଧ୍ୟାନ କଲେ ନକ୍ସଲଙ୍କ ସହ ପୁଲିସର ଗୁଳି ବିନିମୟ, ନକ୍ସଲ ହିଂସା ୩୦ରୁ ୪୦ ପ୍ରତିଶତ ଏହି ସମୟ ମଧ୍ୟରେ ହୋଇଛି। ଛତିଶଗଡ଼, ତେଲେଙ୍ଗାନାରେ ମାଓ ଦମନ ଅଭିଯାନ ଜୋରଦାର୍ ପରେ ନକ୍ସଲ ଓଡ଼ିଶାମୁହାଁ ହୋଇଥିବାରୁ ମାଲକାନଗିରି ପୁଲିସ୍ ନିଜ ସୀମାକୁ ସିଲ୍ କରିଛି। ଘନ ଘନ ବୈଠକ ସାଙ୍ଗକୁ ଗୁଇନ୍ଦା ବିଭାଗ ନକ୍ସଲ ଗତିବିଧି ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଛି। ମୌସୁମୀ ଆରମ୍ଭରୁ ଗତ ସପ୍ତାହକ ମଧ୍ୟରେ ନକ୍ସଲ ୫ ଗ୍ରାମବାସୀକୁ ହତ୍ୟା କରିସାରିଲେଣି। ପୁଲିସ୍ ଓ ବିଏସ୍ଏଫ ଯବାନ ମିଳିତ ଭାବେ କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। ବର୍ଷାରେ ନକ୍ସଲ ହିଂସା ଘଟାଇ ସହଜରେ ଖସି ପଳାଉଥିବାରୁ ଜୁନ୍ ଆରମ୍ଭରୁ ହିଁ ନକ୍ସଲଙ୍କ ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଶିଛନ୍ତି ଯବାନ। କଟ୍ ଅଫ୍ ଏରିଆରେ ଯବାନ ପହଞ୍ଚି ନ ପାରିଲେ ନକ୍ସଲଙ୍କ ଆଡ଼ା ଠାବ କରି ଆକାଶ ମାର୍ଗରୁ ମଧ୍ୟ ଆକ୍ରମଣ କରାଯିବାର ଯୋଜନା ରହିଛି। ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗ୍ରାମ୍ୟ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ କମ୍ବିଂ ଅପରେସନ୍କୁ ଜୋରଦାର କରିଛନ୍ତି। ଗତ କିଛି ଦିନ ତଳେ ଆନ୍ଧ୍ର ଗ୍ରେହାଉଣ୍ଡ ୩ ହାର୍ଡକୋର ନକ୍ସଲକୁ ମାରିଥିଲେ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼କୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିବାରୁ ପୁଲିସ୍ ପକ୍ଷରୁ ଜୋର୍ଦାର ଅପରେସନ୍ ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଛତିଶଗଡ଼ ଆସିଥିବା ବେଳେ ୪ ରାଜ୍ୟ ପୁଲିସର ଉଚ୍ଚପଦାଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/23/dsdgdgvccvv-2025-06-23-03-01-14.jpg)