କ୍ରାଇମ୍‌ବ୍ରାଞ୍ଚର ‘ପରୀ-୨’ ଶେଷ : ଶିଶୁ ଚାଲାଣରେ ଗଞ୍ଜାମ ଏକ ନମ୍ବର

ଓଡ଼ିଶା ବାହାରକୁ ଗଲେ ୬୪ ଅଫିସର୍‌

କଟକ : ରାଜ୍ୟରେ ଶିଶୁ ନିଖୋଜ ଅପବାଦର ଦୁର୍ନାମ ମୁଣ୍ଡାଇଛି ଗଞ୍ଜାମ। ଚଳିତ ବର୍ଷ ଅପରେସନ୍‌ ‘ପରୀ-୨’ରେ ସର୍ବାଧିକ ୪୮୫ ଜଣ ଶିଶୁ ଏହି ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି। ପୂର୍ବ ବର୍ଷମାନଙ୍କ ତୁଳନାରେ ଏଥର ରେକର୍ଡ ଭାଙ୍ଗିଥିବାରୁ ଅଧିକାଂଶ ଶିଶୁ ଚାଲାଣ କାରବାର ଗଞ୍ଜାମ ଜିଲ୍ଲାରେ ହିଁ ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଗଞ୍ଜାମ ପରେ ଦ୍ୱିତୀୟ ସ୍ଥାନରେ କୋରାପୁଟ ଜିଲ୍ଲା ରହିଛି। ଶିଶୁ ଶ୍ରମିକ ଚାଲାଣ କାରବାର ବେକାବୁ ସ୍ଥିତିରେ ପହଞ୍ଚିଥିବାରୁ ପୁଲିସ ଓ ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଜିଠାରୁ ‘ପରୀ-୨’ର ଦ୍ୱିତୀୟ ପର୍ଯ୍ୟାୟରେ କ୍ରାଇମ୍‌ବ୍ରାଞ୍ଚ ଓ ମହିଳା ଶିଶୁ କଲ୍ୟାଣ ବିଭାଗର ମୋଟ ୬୪ ଜଣ ଅଫିସର୍‌ ରାଜ୍ୟ ବାହାରେ ଥିବା ଓଡ଼ିଶାର ଶିଶୁଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସୂଚନା ମିଳିଛି।

ଅପରେସନ୍‌ ‘ମୁସ୍କାନ୍‌’ ଓ ‘ସ୍ମାଇଲ’ ଯୋଜନା ବଦଳରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କ୍ଷେତ୍ରରେ ରାଜ୍ୟ ସରକାର ଗତ ୧ ତାରିଖରୁ ଅପରେସନ୍‌ ‘ପରୀ-୨’ ଆରମ୍ଭ କରିଥିଲେ। ଏହି ୧୫ଦିନିଆ କାର୍ଯ୍ୟକ୍ରମ ଗତକାଲି ଶେଷ ହୋଇଛି। ମୋଟ ୩୬ଟି ପୁଲିସ ଜିଲ୍ଲାରେ ୧୭୭୩ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୮୬ ଜଣ ନାବାଳକ ଏବଂ ୨୮୭ ଜଣ ନାବାଳିକା ଉଦ୍ଧାର ହୋଇଥିବା ବେଳେ ୧୦୫ଟି ଚାଲାଣ ସଂକ୍ରାନ୍ତୀୟ ମାମଲା ଥାନାରେ ରୁଜୁ କରାଯାଇଛି। ସର୍ବାଧିକ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ଉଦ୍ଧାର ହୋଇଥିବା ୪୮୫ନାବାଳକଙ୍କ ମଧ୍ୟରୁ ୨୫ନାବାଳିକା ଅଛନ୍ତି। ଏହି ଜିଲ୍ଲାରେ ମୋଟ ଦୁଇଟି ମାମଲା ଥାନାରେ ରୁଜୁ ହୋଇଛି। ଗଞ୍ଜାମ ପରେ ଦ୍ୱିତୀୟରେ ଥିବା କୋରାପୁଟ ଜିଲ୍ଲାର ଉଦ୍ଧାର ୧୪୨ ଶିଶୁଙ୍କ ମଧ୍ୟରେ ୬୪ ଜଣ ନାବାଳକ ଏବଂ ୭୮ ଜଣ ନାବାଳିକା ଅଛନ୍ତି। ଏହି ଦୁଇଟି ପୁଲିସ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ୩୪ଟି ପୁଲିସ ଜିଲ୍ଲାରେ କିନ୍ତୁ ଏ ପ୍ରକାର ସ୍ଥିତି ସୃଷ୍ଟି ହୋଇନାହିଁ। ଭୁବନେଶ୍ୱର କମିସନରେଟ୍‌ରେ ୩୭, କଟକ କମିସନରେଟ୍‌ରେ ୬, କଟକ ଗ୍ରାମାଞ୍ଚଳରେ ୩୩, ଜଗତସିଂହପୁରରେ ୪୨, ଯାଜପୁରରେ ୬୭, କେନ୍ଦ୍ରାପଡ଼ାରେ ୫୨, ପୁରୀରେ ୪୨, ନୟାଗଡ଼ରେ ୪୬, ଖୋର୍ଧାରେ ୩୩, ବାଲେଶ୍ୱରରେ ୧୩, ଭଦ୍ରକରେ ୬୬, ମୟୁରଭଞ୍ଜରେ ୧୯, ସମ୍ବଲପୁରରେ ୧୨, ବରଗଡ଼ରେ ୫, ଦେଓଗଡ଼ରେ ୨୮, ଝାରସୁଗୁଡ଼ାରେ ୩୦, ଢେଙ୍କାନାଳରେ ୪୯, ଅନୁଗୁଳରେ ୬, ବଲାଙ୍ଗୀରରେ ୭୦, ସୋନପୁରରେ ୧୫, ଗଜପତିରେ ୪୪, କନ୍ଧମାଳରେ ୪୨, ବୌଦ୍ଧରେ ୫୫, ନବରଙ୍ଗପୁରରେ ୫, ରାୟଗଡ଼ାରେ ୪୭, ମାଲକାନଗିରିରେ ୧୦, କଳାହାଣ୍ଡିରେ ୫୯, ନୂଆପଡ଼ାରେ ୨୯, ସୁନ୍ଦରଗଡ଼ରେ ୬୦, କେନ୍ଦୁଝରରେ ୩୬, ରାଉରକେଲାରେ ୭, କଟକ ଜିଆର୍‌ପିରେ ୫୧, ରାଉରକେଲା ଜିଆର୍‌ପିରେ ୩୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଆଜିଠାରୁ ଅପରେସନ୍‌ ‘ପରୀ-୨’ ରାଜ୍ୟ ବାହାରେ ଆରମ୍ଭ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୮ଟି ଟିମ୍‌ରେ ମୋଟ ୬୪ ଜଣ ଅଧିକାରୀ ସାମିଲ ହୋଇଛନ୍ତି। ଏହି ଟିମ୍‌ ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ତାମିଲନାଡ଼ୁ, ଝାରଖଣ୍ଡ, ପଶ୍ଚିମବଙ୍ଗ ଯାଇଛନ୍ତି। ଉକ୍ତ ରାଜ୍ୟକୁ ଚାଲାଣ ହୋଇଥିବା ଶିଶୁଙ୍କୁ ଉଦ୍ଧାର କରିବା ପରେ ଟିମ୍‌ ଆସନ୍ତା ୩୦ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର