ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ମାଓ ଆକ୍ରମଣର ଇତିହାସରେ ବର୍ବରତାର ଅଧ୍ୟାୟ ହେଉଛି, ‘ଅପରେସନ୍ ରୋପ୍ ୱେ’। ଏହା ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା। ମାଓବାଦୀମାନେ ସିରିଜ୍ ଆକ୍ରମଣ ସହ ଲୁଟ୍ପାଟ୍ କରିଥିଲେ। ଆଉ ପୁଲିସ ବାହିନୀ ସହ ଗୁଳି ବିନିମୟ ହୋଇଥିଲା। ୨୦୦୮ ମସିହା ନୟାଗଡ଼ ଜିଲ୍ଲା ଅସ୍ତ୍ରାଗାର ଲୁଟ ଘଟଣା ଓଡ଼ିଶା ଇତିହାସରେ ଛାତିଥରା ଦିନ ଥିଲା। ଲାଲବାହିନୀ ବର୍ବରତାର ସବୁ ସୀମା ଟପିଯାଇଥିଲେ। ଅସ୍ତ୍ରାଗାର ଲୁଟ୍ ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଅପହଞ୍ଚ ଇଲାକା ଗସ୍ମାହାଠାରେ ପୁଲିସ ସହ ସମ୍ମୁଖ ଯୁଦ୍ଧ ହୋଇଥିଲା। ରାଜ୍ୟର ପୁଲିସ ମୁଖିଆଙ୍କଠୁ ଆରମ୍ଭ କରି ଶତାଧିକ ଯବାନ ସାହସିକତାର ଲାଲ୍ବାହିନୀକୁ ମୁକାବିଲା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦେଖୁ ଦେଖୁ ଏହି ଲୋମହର୍ଷଣକାରୀ ଘଟଣାକୁ ଆଜି ୧୨ ବର୍ଷ ପୂରିଯାଇଛି। ସେହି ସମୟର ଭୟର ବାଦଲ ଆଜି ମଧ୍ୟ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତ ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଆଦିବାସୀ ଅଧ୍ୟୁଷିତ ଗସ୍ମାହା ଗ୍ରାମର ଆକାଶରେ ଘୂରି ବୁଲୁଥିବା ଭଳି ମନେ ହେଉଛି। କିନ୍ତୁ ବିକାଶର ପଦଚିହ୍ନଟିଏ ଆଜି ପର୍ଯ୍ୟନ୍ତ ଏଠି ପଡ଼ିପାରିନି। ବିକାଶର ମୁଖ୍ୟ ସ୍ରୋତରେ ଏହି ଅପହଞ୍ଚ ଇଲାକାକୁ ସାମିଲ କରିବାକୁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ପାଲଟିଛି।
ଶିକ୍ଷା ଠାରୁ ଆରମ୍ଭ କରି ଗମନାଗମନ, ବିଦ୍ୟୁତ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଆଉ ଆଜି ବି ଗସ୍ମାହା ଗ୍ରାମ ଏକ ଅପହଞ୍ଚ, ଅନୁନ୍ନତ ଓ ଅବହେଳିତା ଇଲାକାର ପରିଚୟ ନେଇ ବଞ୍ଚି ରହିଛି। ବିକାଶ ତ ଦୂରର କଥା, ପୂର୍ବରୁ ମାଓବାଦୀ ଆତ୍ମଗୋପନ କରୁଥିବା ଇଲାକାରେ ଆଜି ପର୍ଯ୍ୟନ୍ତ ପୁଲିସ ଓ ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ିନି।
ମାଓ ଅପରେସନ୍ ପରେ ଏଠି ବିକାଶ ପାଇଁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଲା। କିନ୍ତୁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିଲାନି। ଗ୍ରାମରେ କିଛି ଖଣ୍ଡ ରାସ୍ତା କଂକ୍ରିଟ କରାଗଲା। କିନ୍ତୁ ତାହା ମଧ୍ୟ ଏବେ ଭାଙ୍ଗିଯାଇଛି। ସଞ୍ଜ ନଇଁବା ମାତ୍ରେ ଗାଁରେ ଅନ୍ଧାରର ରାଜୁତି ଚାଲୁଛି। କାରଣ ବହୁବର୍ଷ ତଳେ ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତାଯାଇଛି। କିନ୍ତୁ ସେଥିରେ ତାର ଲଗାଯାଇନି। ଫଳରେ ପଞ୍ଚାୟତ ପକ୍ଷରୁ ମିଳିଥିବା ଗୋଟିଏ ସୋଲାର ଲାଇଟ୍ରେ ଗାଁ ଆଲୋକିତ ହେଉଛି।
ପାନୀୟ ଜଳ ପାଇଁ ନଳକୂପ ଖୋଳାଯାଇଥିବା ବେଳେ ତାହା ବ୍ୟବହାରଉପଯୋଗୀ ହୋଇପାରୁ ନଥିବାରୁ ଗ୍ରାମବାସୀ କୁଲାପଥର ପାହାଡ଼ରୁ ଆସୁଥିବା ନାଳ ପାଣି ଉପରେ ଭରସା କରୁଛନ୍ତି। କୋଠ ଘରେ ଚାଲିଥିବା ପ୍ରାଥମିକ ଶିକ୍ଷା ମଧ୍ୟ ଗତବର୍ଷ ଠାରୁ ବନ୍ଦ ହୋଇସାରିଛି। ଆଉ ସ୍ବାସ୍ଥ୍ୟସେବା ପାଇଁ ୧୦ କିଲୋମିଟର ଦୂର ଗ୍ୟାଲେରି ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଦିବାସୀମାନେ ଜଙ୍ଗଲ ଓ ଜମି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି।
ଆଉ ଚାଉଳ ଓ ଭତ୍ତା ଆଣିବାକୁ ୧୦ କିଲୋମିଟର ଜଙ୍ଗଲ ଏବଂ ପାହାଡ଼ିଆ ରାସ୍ତା ଦେଇ ଚାହାଳି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି। ଗ୍ରାମରେ ଆଜି ପର୍ଯ୍ୟନ୍ତ ପାଇଖାନା ନିର୍ମାଣ ହୋଇପାରି ନଥିବା ବେଳେ ପ୍ରବେଶ ଦ୍ବାରରେ ‘ବାହ୍ୟ ମଳମୁକ୍ତ ଗାଁ’ ନାମରେ ଏକ ଫଳକ ଲାଗିଛି। ଫଳରେ ଏଠି ବିକାଶର ନକ୍ସା କେତେଦୂର କାର୍ଯ୍ୟକ୍ଷମ ହୋଇପାରିଛି, ତାହା ସ୍ପଷ୍ଟ ଅନୁମେୟ। ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ହାତଗଣତି ଲୋକଙ୍କୁ ଛାଡ଼ିଦେଲେ ଅନ୍ୟ ମାନେ ସରକାରୀ ଆବାସରୁ ବଞ୍ଚିତ ହୋଇ ରହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶ ସେମାନଙ୍କ ପାଇଁ କେବଳ ଏକ ସ୍ବପ୍ନ ବୋଲି ଗ୍ରାମବାସୀ କହିଛନ୍ତି।
କ’ଣ ଥିଲା ଅପରେସନ ରୋପ୍ ୱେ ?
୨୦୦୮ ମସିହା ଫେବ୍ରୁଆରି ୧୫ ତାରିଖ ରାତିରେ ନୟାଗଡ଼ ଥାନା, ପୁଲିସ ରିଜର୍ଭ ଅସ୍ତ୍ରାଗାର, ପିଟିଏସ୍ ଅସ୍ତ୍ରାଗାର, ନୂଆଁଗା ଓ ଦଶପଲ୍ଲା ଥାନା ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏହାପରେ ସେମାନେ ଗଞ୍ଜାମ ଜିଲ୍ଲାକୁ ସୁରକ୍ଷିତ ସ୍ଥାନ ମଣିଥିଲେ। ଭଞ୍ଜନଗର ବ୍ଲକ୍ ଅଧୀନ ଗାଲେରୀ ଫାଣ୍ଡିକୁ ଉଡ଼ାଇ ଦେଇଥିଲେ।। ମାଓବାଦୀଙ୍କ ଗୁଳିରେ ପୁଲିସ ଓ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ମାଓବାଦୀମାନେ ବନ୍ଧୁକ ଓ ଲକ୍ଷାଧିକ ଗୁଳିଗୋଳା ଲୁଟି ନେଇଥିଲେ। ଏହି ଅପରସେନର ନାଁ ଥିଲା ‘ଅପରେସନ୍ ରୋପ୍ ୱେ’। ଆଉ ଏହାର ରଣକ୍ଷେତ୍ର ଥିଲା ଗସ୍ମାହା। ଫେବ୍ରୁଆରି ୧୬ ତାରିଖରେ ପୁଲିସ ଓ ମାଓବାଦୀ ଗସ୍ମାହା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଏସ୍ଓଜି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ପ୍ରମୋଦ ଶତପଥୀଙ୍କ ସମେତ ୩ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କିଛି ମାଓବାଦୀ ପ୍ରାଣ ହରାଇଥିବା ନେଇ ସରକାର ଦାବି କରିଥିଲେ। ଏହାପରେ ୧୭ ତାରିଖରେ ଆରମ୍ଭ ହୋଇଥିଲା ପୁଲିସ ବାହିନୀର ବିଶାଳ ଅପରେସନ୍। ଦିଲ୍ଲୀରୁ ବାୟୁସେନାର ହେଲିକପ୍ଟର ଯୋଗେ ସିଆରପିଏଫ୍ ବାହିନୀ ଓ ଆନ୍ଧ୍ରପ୍ରଦେଶର ଗ୍ରେ ହାଉଣ୍ଟ ଯବାନ ସାମିଲ ହୋଇଥିଲେ। ୧୮ ତାରିଖରେ ଗସ୍ମାହା ଜଙ୍ଗଲରୁ ବିପୁଳ ମାତ୍ରାରେ ଲୁଟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିଲା।