ଅପରେସନ୍‌ ସ୍ପିଡ୍‌ବାଇକର : ଟ୍ରାଫିକ ଧରିଲା ୬୦ ବାଇକ

୧୦ଟି ଅପରେସନ୍‌ରେ ସବୁ ସ୍ପିଡ୍‌ବାଇକରଙ୍କୁ ଧରାଯିବ

ନାବାଳକଙ୍କୁ ବାଇକ ନଦେବାକୁ ଅଭିଭାବକଙ୍କୁ ପରାମର୍ଶ

ବାଲେଶ୍ୱର : ବାଲେଶ୍ୱର ସହରରୁ ନାବାଳକ ଓ ଦ୍ରୁତ ବାଇକ୍‌ ଆରୋହୀଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ପୁଲିସ୍‌ ପକ୍ଷରୁ ପୁଣି ଅପରେସନ ଆରମ୍ଭ ହୋଇଛି। ଆଜି ଜିଲ୍ଲା ପୁଲିସ୍‌ ଓ ଟ୍ରାଫିକ ପୁଲିସ୍‌ର ଏକ ମିଳିତ ଟିମ୍‌ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରାୟ ୬୦ଟି ବାଇକ ଜବତ କରିଥିଲେ। ବାଲେଶ୍ୱର ଏସ୍‌ପି ନୀତିଶେଖରଙ୍କ ନିର୍ଦେଶ କ୍ରମେ ସ୍ପିଡ୍‌ ବାଇକ୍‌ର ଓ ନାବାଳକ ରାଇଡରମାନଙ୍କୁ ଧରିବା ପାଇଁ ଏକ ୨୫ଜଣିଆ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ୧୦ଟି ପର୍ଯ୍ୟାୟରେ ବାଲେଶ୍ୱର ସହରର ସ୍ପିଡ୍‌ ବାଇକରଙ୍କୁ ଧରିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ୩ ପର୍ଯ୍ୟାୟରେ ୮୮ଟି ବାଇକ୍‌ ଜବତ କରାଯାଇଥିବା ବେଳେ ଆଜି ୬୦ଟି ବାଇକ୍‌ ଜବତ କରାଯାଇଥିଲା। ଜବତ ପରେ ବାଇକ୍‌ ଗୁଡ଼ିକର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଓ ଇନ୍‌ସୁରାନ୍ସ କାଗଜ ମଗାଯାଇଥିଲା। ଯେଉଁମାନେ ନାବାଳକ ବାଇକ ରାଇଡର ଥିଲେ ସେମାନଙ୍କ ଅଭିଭାବକଙ୍କୁ ଡାକି ଜରିମାନା ଆଦାୟ କରିବା ସହ ସେମାନଙ୍କ ପିଲାଙ୍କୁ ବାଇକ୍‌ ପ୍ରଦାନ ନ କରିବାକୁ ପରାମର୍ଶ ଦେଇଥିଲେ। ଆଜି ସହରର ବେବିଲୋନ୍‌ ଛକ, ପଢ଼ୁଆଁପଦା, ଆଜିମାବାଦ୍‌ ଓ ଫକୀରମୋହନ କଲେଜ ରୋଡ୍‌ ସିଲ୍‌ କରାଯାଇ ସ୍ପିଡ୍‌ ବାଇକରମାନଙ୍କୁ ଧରାଯାଇଥିଲା।

ଚଢ଼ଉରେ ଟ୍ରାଫିକ୍‌ ଥାନା ଓଆଇସି ପ୍ରଶାନ୍ତ କୁମାର ରଣସିଂହଙ୍କ ନେତୃତ୍ୱରେ ୨୫ ଜଣିଆ ୨୫ଜଣିଆ ଟିମ୍‌ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ସହରରେ ଦିନକୁଦିନ ସ୍ପିଡ୍‌ ବାଇକରଙ୍କ ସଂଖ୍ୟା ବଢ଼ିଚାଲିଛି। ସେମାନଙ୍କ ପାଇଁ ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇପଡ଼ୁଥିବା ବେଳେ ବହୁ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସହରର ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ନିର୍ଦେଶକ୍ରମେ ପୁଲିସ୍‌ ପକ୍ଷରୁ ଏହିପରି ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ରଣସିଂହ କହିଛନ୍ତି।

ସମ୍ବନ୍ଧିତ ଖବର