ଧରାଦେଉନି ସୁନ୍ଦରୀ : ଦୁଇ ଦିନ ପରେ ବି ନିଶ୍ଚେତକ ପ୍ରୟୋଗ ହୋଇପାରୁନି; ହାତୀ ଆସି ନ ଥିବାରୁ ଫେଲ୍ ମାରୁଛନ୍ତି ବିଶେଷଜ୍ଞ ଦଳ !

ଅନଗୁଳ : ଦୁଇ ଦିନ ହେଲା ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ଦେବାଲାଗି ଉଦ୍ୟମ ଚାଲିଛି କିନ୍ତୁ ସଫଳତା ମିଳିପାରୁ ନାହିଁ । ବୁଧବାର ବାଘୁଣୀକୁ ଲକ୍ଷ୍ୟ କରି ନିଶ୍ଚେତକ ଗୁଳି ପ୍ରୟୋଗ କରାଯାଇଥିଲେ ମଧ୍ୟ ତାହା ବାଜି ନ ଥିବା ଜଣାପଡ଼ିଛି। ବାଘୁଣୀ ବୁଦାମଧ୍ୟରେ ଲୁଚି ରହିଥିବାରୁ ଲକ୍ଷ୍ୟଭେଦ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ବାଘୁଣୀ କୁମୁରୀ ଗାଁରୁ ଦୁଇ କିଲୋମିଟର ଦୂରକୁ ଚାଲି ଯାଇଥିବା ସୂଚନା ମିଳିଛି। ତେଣେ ବାଘୁଣୀ ସୁନ୍ଦରୀକୁ ନିଶ୍ଚେତକ ପ୍ରୟୋଗରେ ବିଫଳତାର କାରଣ ଶିମିଳିପାଳରୁ ହାତୀ  ନ ଅାସି ପାରିବା ବୋଲି କେତେକ ମତ ଦେଉଛନ୍ତି।

ବିଶେଷଜ୍ଞଙ୍କ ମତରେ ସାଧାରଣ ଭାବେ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ .ସେମାନେ ହାତୀ ପିଠିରେ ବସି ଜଙ୍ଗଲକୁ ଯାଇଥାଆନ୍ତି। ବାଘକୁ ଠାବ କରି ଅତି ନିକଟରୁ ହାତୀ ପିଠି ଉପରୁ ନିଶ୍ଚେତକ ଗୁଳି ପ୍ରୟୋଗ କରିଥାଆନ୍ତି। ମାତ୍ର ଶିମିଳିପାଳରୁ ଆସିବାକୁ ଥିବା ପ୍ରଶିକ୍ଷିତ ହାତୀ ମହେନ୍ଦ୍ର ଓ ରାଜକୁମାର ସାତକୋଶିଆ ପହଞ୍ଚି ନ ପାରିବାରୁ ଏହା ସମ୍ଭବ ହୋଇନାହିଁ। ଦୁଇ ହାତୀଙ୍କୁ ସାତକୋଶିଆ ଆଣିବା ଲାଗି ଟ୍ରକ ଛିଡ଼ା ହୋଇଥିଲେ ମଧ୍ୟ ସେମାନେ ଟ୍ରକ ଉପରକୁ ଚଢ଼ୁ ନାହାନ୍ତି।

ତେଣେ ବାଘୁଣୀକୁ ନିଶ୍ଚେତକ ଦେଇ କାବୁ କରିବାକୁ ସାତକୋଶିଆ ଜଙ୍ଗଲରେ ମଂଚାବାନ୍ଧି ଜଗି ବସିଛନ୍ତି ବିଶେଷଜ୍ଞ ଦଳ କିନ୍ତୁ ଧରା ଦେଉନାହିଁ ବାଘୁଣୀ ସୁନ୍ଦରୀ । ମଂଚା ନିକଟରେ ଏକ ଛେଳି ବନ୍ଧା ଯାଇଥିଲେ ମଧ୍ୟ ସୁନ୍ଦରୀ ଅଆସୁନାହିଁ। ଆବଶ୍ୟକ ନିଶ୍ଚେତକ ଏବଂ ଯନ୍ତ୍ରପାତି ସହ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଛନ୍ତି ୬ଜଣିଆ ବିଶେଷଜ୍ଞ ଦଳ ମାତ୍ର ସଫଳ ହୋଇପାରୁନାହାନ୍ତି। ରେଡିଓ କୋଲାର ଦ୍ୱାରା ବାଘୁଣୀର ଅବସ୍ଥିତି ଜାଣିବାକୁ ଚେଷ୍ଟା କରାଯାଉଛି, ତାହା ମଧ୍ୟ ସମ୍ଭବ ହେଉନାହିଁ।

ବେଳେ ବେଳେ ରେଡିଓ କୋଲାର କାମ କରୁନଥିବାରୁ ବାଘୁଣୀର ଉପସ୍ଥିତି ଜଣାପଡୁନାହିଁ । ଯାହା ବିଶେଷଜ୍ଞଙ୍କୁ ଅଡୁଆରେ ପକାଉଛି । ତେବେ ପ୍ରଥମ ଦିନରେ ବାଘୁଣୀକୁ କାବୁ କରିବାକୁ ବିଫଳ ହୋଇଥିବା ଟିମ୍ ଆଜି ଧରିବାରେ ସଫଳ ହେବେ ବୋଲି କୁହାଯାଉଛି ମାତ୍ର ଅପରାହ୍ଣ ସୁଦ୍ଧା ସଫଳତା ମିଳିନାହିଁ ।

ଅନ୍ୟପଟେ ବାଘୁଣୀ ଯୋଗୁଁ କୁମୁରୀ ଓ ଏହାର ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗାଁରେ ତାଟିକବାଟି ପଡିଯାଇଛି । ଘରୁ ପଦାକୁ ବାହାରକୁ ବାହାରିବାକୁ ଡରୁଛନ୍ତି ଗ୍ରାମବାସୀ ।

ସମ୍ବନ୍ଧିତ ଖବର