ଓପିଜିସି ଅଧିକାରୀଙ୍କ ପ୍ରତି ପାତରଅନ୍ତର କେତେ ଦିନ? ୫ ମାସ ହେଲା ବିରୋଧ ପ୍ରଦର୍ଶନ ସତ୍ତ୍ବେ ସରକାର ନିରବ

ଇବ୍‌ଥର୍ମାଲ : ଓଡ଼ିଶା ପାୱ‌ାର ଜେନେରେସନ୍‌ କର୍ପୋରେସନ (ଓପିଜିସି) ରାଜ୍ୟ ସରକାରଙ୍କ ଏକ ଲାଭଦାୟକ ସଂସ୍ଥା। ମ‌ାତ୍ର କିଛି ବର୍ଷ ହେଲା ବହୁରାଷ୍ଟ୍ରୀୟ କମ୍ପାନି ଏଇଏସ୍‌ର ମାତ୍ରାଧିକ ହସ୍ତକ୍ଷେପ, ପରିଚାଳନାରେ ମନମୁଖୀ କାର୍ଯ୍ୟକଳାପ ଫଳରେ ଓପିଜିସିରେ ସବୁକିଛି ଠିକ୍ ଚାଲୁ ନ ଥିବା କୁହାଯାଉଛି। ଏଠାରେ କାମ କରୁଥିବା କିଛି ଅଧିକାରୀ ବୈମାତୃକ ମନୋଭାବର ଶିକାର ହେଉଥିବା ଅଭିଯୋଗ ହେଉଛି। ଏଠାରେ ୨୫ ବର୍ଷ ହେଲା କାମ କରୁଥିବା ଅଧିକାରୀ ଓ କର୍ମଚାରୀ ଗତ ୫ ମାସରୁ ଅଧିକ ଦିନ ହେଲା କଳାବ୍ୟାଜ୍‌ ପିନ୍ଧି କାମ କରୁଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି ନିରବ ରହିଥିବା ଓପିଜିସି ଅଫିସର୍ସ ଆସୋସିଏସନ୍, ଓପିଜିସି ଏମ୍ପ୍ଲୁଇଜ୍ ୟୁନିୟନ, ଇବ୍‌ଥର୍ମାଲ ଏମ୍ପ୍ଲଇଜ୍ ୟୁନିୟନ ଆଦି ସଂଗଠନ ପକ୍ଷରୁ କୁହାଯାଇଛି।

ଗତ ଶୀତ ଅଧିବେଶନରେ ବିଧାୟକ ସୌମରଂଜନ ପଟ୍ଟନାୟକ ଏ କଥା ବିଧାନସଭାରେ ଉଠାଇଥିଲେ। ପରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ନେତା ନରସିଂହ ମିଶ୍ର, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ବଡ଼ଚଣା ବିଧାୟକ ଅମର ଶତପଥୀ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାନସଭାରେ ଓପିଜିସି କ୍ୟାଡର୍‌ ଅଧିକାରୀଙ୍କ ଦାବି ଯଥାର୍ଥ ବୋଲି ଆଲୋଚନା ହୋଇଛି। ତଥାପି ଏହି ଅଧିକାରୀମାନେ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଓପିଜିସି କ୍ୟାଡର୍‌ ଅଧିକାରୀଙ୍କୁ ସରକାରୀ କ୍ୟାଡର୍‌ ଭାବେ ବିବେଚିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ ସପ୍ତମ ବେତନ କମିସନ ହାରରେ ଦରମା ସହ ୨ଟି ଇନ୍‌କ୍ରିମେଣ୍ଟ ଦେବା, ସମାନ କାମକୁ ସମାନ ଦରମା ପ୍ରଦାନ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାରୀ ନିୟମ ଅନୁସାରେ ପେନସନ୍ ପ୍ରଦାନ, ଅବସର ପରେ ୮୦ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା, ରିସୋର୍ସ ସେୟାରିଂ ନିଯୁକ୍ତି ବନ୍ଦ କରିବା, ୬୦ ବର୍ଷ ପରେ ଏଇଏସ୍ ନିଯୁକ୍ତି ପାଇ କାମ କରୁଥିବା ଲୋକଙ୍କୁ ତୁରନ୍ତ ଚାକିରିରୁ ବିଦା କରିବା, ଓପିଜିସିର ୨୫ ବର୍ଷ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କଠାରୁ ୫/୭ ବର୍ଷ ଅଭିଜ୍ଞ ବ୍ୟକ୍ତିଙ୍କୁ ଏଇଏସ୍ ଉଚ୍ଚ ପଦବିରେ ରଖିବା ବନ୍ଦ କରିବା ଆଦି ୧୩ ଦଫା ଦାବି ବିଚାର କରିବାକୁ ଦାବି ହୋଇ ଆସିଥିଲେ ମଧ୍ୟ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇ ଆସିଛି। ଏପରିକି ଓପିଜିସି କ୍ୟାଡର୍‌ରେ ଥିବା ୯ କର୍ମଚାରୀଙ୍କ ପଦୋନ୍ନତି ଅଦାଲତର ସମ୍ମୁଖୀନ ହୋଇ ଏମାନଙ୍କୁ ଜୁନିୟର ଆସିଷ୍ଟାଣ୍ଟ୍‌ରୁ ସିନିୟର ଆସିଷ୍ଟାଣ୍ଟକୁ ପଦୋନ୍ନତି ଦେବାର ସରକାରୀ ନିର୍ଦେଶନାମାକୁ ପାଳନ କରିବାରେ ଏଇଏସ୍ ପଦାଧିକାରୀ କାଳକ୍ଷେପଣ ନୀତି ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

୯୦ ଦଶକରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲିଠାରେ ରାଜ୍ୟ ସରକାର ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିଥିଲେ। ୧୯୯୬ରେ ତତ୍କାଳୀନ ସରକାର ଏଥିରୁ ପୁଞ୍ଜି ପ୍ରତ୍ୟାହାର କରି ୪୯ ପ୍ରତିଶତ ଅଂଶଧନ ଆମେରିକୀୟ କଂପାନି ଏଇଏସ୍‌କୁ ବିକ୍ରି କରିଦେଲେ। ୫୧ ପ୍ରତିଶତ ନିଜ ହାତରେ ରଖିଥିଲେ ମଧ୍ୟ ଚୁକ୍ତି ଅନୁଯାୟୀ ଏଇଏସ୍ ହାତରେ ସଂପୂର୍ଣ୍ଣ ପରିଚାଳନା ଭାର ଛାଡ଼ି ଦିଆଗଲା। ଫଳରେ ଏଇଏସ୍ ଧୀରେ ଧୀରେ ତାର ପ୍ରାଧାନ୍ୟ ଓପିଜିସି ଉପରେ ଜାହିର୍ କଲା। ଓପିଜିସି କ୍ୟାଡର୍‌ କର୍ମଚାରୀ ଓ ଏଇଏସ୍ କର୍ମଚାରୀଙ୍କ ଭିତରେ ପାତରଅନ୍ତର ସୃଷ୍ଟି କରାଗଲା। ରିସୋର୍ସ ସେୟାରିଂ ନାଁରେ କୋଟି କୋଟି ଟଙ୍କା ଦରମା ଦେଇ ଅଧିକାରୀ ନିଯୁକ୍ତି କରାଗଲା। ଏଇଏସ୍ ନିଯୁକ୍ତ ୧୫ ଅଧିକାରୀ ଯେତିକି ଦରମା ପାଇଲେ ଓପିଜିସି କ୍ୟାଡରର୍‌ ୩୦୦ ଅଧିକାରୀ ମିଶି ସେତିକି ପାଇଲେ ନାହିଁ। ଫଳରେ ସମାନ ସ୍ଥାନରେ ସମାନ କାମ କରି ଏଭଳି ପାତରଅନ୍ତରକୁ କ୍ୟାଡର୍‌ ଅଧିକାରୀ ସହ୍ୟ କରିବା କଠିନ ହେଲା। ଏପରିକି ତୃତୀୟ ଓ ଚତୁର୍ଥ ୟୁନିଟ୍ କାର୍ଯ୍ୟ ସଂପନ୍ନ କରିବାର ସଂପୂର୍ଣ୍ଣ ଦାୟିତ୍ବ ନେଇଥିବା ଏଇଏସ୍‌ର ଅପରିଣାମଦର୍ଶୀ କାର୍ଯ୍ୟ ହେତୁ ପ୍ରୋଜେକ୍ଟ କାମ ୨ ବର୍ଷ ବିଳମ୍ବ ହେଲା। ପ୍ରାୟ ୭ଶହ କୋଟି କ୍ଷତି ହୋଇଥିବାର ଅଭିଯୋଗ ହେଲା। ଏତେ ସବୁ ପରେ ନିର୍ବାଚନ ପୂର୍ବରୁ ଏହି ଦୁଇ ୟୁନିଟ୍‌କୁ କାର୍ଯ୍ୟକ୍ଷମ କରାଯାଇଥିଲା। ତେବେ ସବୁକିଛି ଠିକ୍ ଚାଲିଛି ବୋଲି କୁହାଯାଇ ପାରିବ ନାହିଁ। ଏବେପୁଣି ଏଇଏସ୍ ୪୯ ପ୍ରତିଶତ ଅଂଶଧନ ଆଦାନୀ ପାଓ୍ବାର୍‌ ଭଳି କଂପାନିକୁ ମାତ୍ର ୧ ହଜାର ୨୦ କୋଟି ଟଙ୍କାରେ ବିକ୍ରି କରିଦେବାକୁ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଓପିଜିସି ଅଧିକାରୀ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତାଙ୍କ ଦାବିକୁ ମାନିନେବା ସହ ୪୯ ପ୍ରତିଶତ ଅଂଶକୁ ମଧ୍ୟ ନିଜ ହାତରେ ରଖନ୍ତୁ ବୋଲି ଓପିଜିସି ଅଫିସର୍ସ ଆସୋସିଏସନ୍, ଓପିଜିସି ଏମ୍ପ୍ଲଇଜ୍ ୟୁନିୟନ୍, ଇବ୍ ଥର୍ମାଲ ଏମ୍ପ୍ଲୟିଜ୍ ୟୁନିୟନ୍ କର୍ମକର୍ତ୍ତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର