ଓପିଜିସିରେ ବିଦେଶୀ କମ୍ପାନିର ମନମାନି ବନ୍ଦ ହେଉ

ଶୂନ୍ୟକାଳରେ ତିନି ଦଳର ବିଧାୟକ ଦାବି ଉଠାଇଲେ

ସରକାର ଚୁକ୍ତିର ତର୍ଜମା କରି ପଦକ୍ଷେପ ନିଅନ୍ତୁ
କର୍ମଚାରୀଙ୍କୁ ଆଲୋଚନା ପାଇଁ ଡକାଯାଉ

ଭୁବନେଶ୍ବର : ଓଡ଼ିଶା ପାୱାର୍‌ ଜେନେରେସନ୍ କର୍ପୋରେସନ୍(ଓପିଜିସି)ରେ ବିଦେଶୀ କମ୍ପାନିର ମନମାନି ନେଇ ଆଜି ବିଧାନସଭାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତିନି ପ୍ରମୁଖ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗ ଉଠାଇ ଉଦ୍‌ବେଗ ପ୍ରକାଶ କରିଥ‌ିଲେ। ଅଭିଯୋଗ କରିଥିଲେ ଯେ ଏହି ନିଗମରେ ସରକାରଙ୍କର ଅଧିକ ଅଂଶଧନ ଥିଲେ ବି ଏଇଏସ୍‌ କମ୍ପାନି ଶାସନ ଚଳାଇଛି। ଓଡ଼ିଆ କର୍ମଚାରୀଙ୍କୁ ହଇରାଣ କରାଯାଉଛି। ନିଗମ ଦେବାଳିଆ ହେବା ଆଗରୁ ସରକାର ଆଗୁଆ ପଦକ୍ଷେପ ନେବାକୁ ସମସ୍ତେ ସତର୍କ କରାଇ ଦେଇଥିଲେ। ଏଇଏସ୍‌ ସହ ହୋଇଥିବା ଚୁକ୍ତିକୁ ସମୀକ୍ଷା କରିବାକୁ ମଧ୍ୟ ଦାବି ଉଠିଥିଲା।

ଆଜି ବିଧାନସଭାର ଶୂନ୍ୟକାଳରେ ପ୍ରଥମେ ବିଜେଡିର ବରିଷ୍ଠ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ, ଓପିଜିସି ବହୁତ ବର୍ଷ ହେଲା ତାପଜ ବିଦ୍ୟୁତ ଉତ୍ପାଦନ କରୁଛି। ଓପିଜିସିକୁ ନେଇ ଓଡ଼ିଶା ଗର୍ବ କରେ। ନିଜସ୍ବ ଉଦ୍ୟମରେ ଦୁଇଟି ୟୁନିଟ୍‌ ଏହି ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛି। ଏକ ବିଦେଶୀ ଘରୋଇ ସଂସ୍ଥାକୁ ଏଥିରେ ଅଂଶୀଦାର କଲା ପରେ ସରକାରଙ୍କ ଅଂଶ ବାବଦକୁ ଓପିଜିସିରେ ୫୧ ପ୍ରତିଶତ ରହିଛି। ସେହି ସଂସ୍ଥାର ଅଂଶ ୪୯ ପ୍ରତିଶତ ଥିଲେ ବି ତାହାର ଆଚରଣ, ଭୂମିକା ସମସ୍ତଙ୍କୁ ବ୍ୟଥିତ କରୁଛି। ଦକ୍ଷିଣ ଆଫ୍ରିକାର ବର୍ଣ୍ଣ ବୈଷମ୍ୟଠାରୁ ଆହୁରି ହୀନ କାମ ଏହି ସଂସ୍ଥା କରୁଛି। ସଂପୃକ୍ତ ବିଦେଶୀ କମ୍ପାନିର ପରିଚାଳନାରେ କର୍ମଚାରୀମାନେ ବିବ୍ରତ ହୋଇଗଲେଣି। ଏବେ କର୍ମଚାରୀମାନେ କଳା ବ୍ୟାଜ୍‌ ପିନ୍ଧି ପ୍ରତିଦିନ ଅଫିସ୍‌ ଆସୁଛନ୍ତି। ଆହୁରି ମଧ୍ୟ ବିଦେଶୀ ସଂସ୍ଥା ନିଜ ଅଂଶଧନ ବିକିବା କଥା ଶୁଣାଯାଉଛି। ଓପିଜିସି ସରକାରଙ୍କର ଏକ ସୁନ୍ଦର ତଥା ଲାଭଜନକ ସଂସ୍ଥା। ଏହାକୁ କ୍ଷତି ହେବାକୁ ନ ଦିଆଯାଉ। ଆମେ ୫୧ ପ୍ରତିଶତ ଅଂଶ ଥାଇ ମାଲିକ ହୋଇ ନୀରବଦ୍ରଷ୍ଟା ସାଜିବା ଠିକ୍ ନୁହେଁ। ତୁରନ୍ତ ଏ ଦିଗରେ ଶକ୍ତି ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ।

ଏହାକୁ ସମର୍ଥନ କରି ବିଜେଡିର ବରିଷ୍ଠ ସଭ୍ୟ କିଶୋର ମହାନ୍ତି କହିଲେ, ଓପିଜିସିକୁ ଓଡ଼ିଶା ଇଞ୍ଜିନିୟର୍‌ମାନେ ତିଆରି କରିଛି। ୨୧୦ ମେଗାୱାଟ୍‌ର ଦୁଇଟି ୟୁନିଟ୍‌ ଓପିଜିସିର ରହିଛି। ତାହା ପରେ ୬୬୦ ମେଗାୱାଟ୍‌ର ଆଉ ଦୁଇଟି ୟୁନିଟ୍‌ ପ୍ରତିଷ୍ଠା କରାଗଲା। କିନ୍ତୁ ଓପିଜିର ଅଂଶୀଦାର ଥିବା ଏଇଏସ୍‌ ଚାଲାକି କରି ଏହି ଦୁଇଟି ୟୁନିଟ୍‌ର କମ୍ ଉତ୍ପାଦନ କରୁଛି। ଏଇଏସ୍‌ ମନମୁଖୀ କାର୍ଯ୍ୟ କରୁଛି। ଉତ୍ପାଦନ ନ ହେଲେ ସରକାର କ୍ଷତି ସହିବେ। ଇବ୍‌ ଥର୍ମାଲ୍‌ରୁ ବିଜୁଳି ଉତ୍ପାଦନ ବନ୍ଦ ହେଲେ ଓଡ଼ିଶା ଅନ୍ଧାରରେ ହୋଇଯିବ। ସରକାର ଅତି ଶୀଘ୍ର ଏହା ଉପରେ ପଦକ୍ଷେପ ନିଅନ୍ତୁ। କର୍ମଚାରୀମାନେ ଆନ୍ଦୋଳନ ଚଳାଇଛନ୍ତି। ସରକାର ସେମାନଙ୍କୁ ଡାକି ଆଲୋଚନା କରନ୍ତୁ।

ବିଜେଡିର ବରିଷ୍ଠ ସଭ୍ୟ ଅମର ଶତପଥୀ କହିଥିଲେ, ଅନ୍ୟ ରାଜ୍ୟ ପାଇଁ ଓପିଜିସି ଗୋଟିଏ ମଡେଲ୍‌ ହୋଇଥିଲା। ରାଜ୍ୟ ସରକାରଙ୍କର ଏଥିରେ ୫୧ ପ୍ରତିଶତ ଅଂଶଧନ ରହିଛି। କିନ୍ତୁ ପରିଚାଳନା ନିର୍ଦ୍ଦେଶକ ପଦବି ଏଇଏସ୍‌ କମ୍ପାନି ପାଖରେ ଅଛି। ଏଇଏସ୍‌ ସହ ହୋଇଥିବା ଚୁକ୍ତିର ସମୀକ୍ଷା ହେଉ। ସେଠାରେ ଓଡ଼ିଆ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଉ। ସରକାର ହସ୍ତକ୍ଷେପ ନ କଲେ ସେହି ସଂସ୍ଥା ଦେବାଳିଆ ହୋଇଯିବ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଲେ, ସମ୍ବିଧାନକୁ ସରକାର ପରିବର୍ତ୍ତନ କରିପାରୁଛନ୍ତି। ଏଇଏସ୍‌ କମ୍ପାନି ସହ ଚୁକ୍ତିକୁ ବଦଳାଇବାରେ ଅସୁବିଧା କ’ଣ ? ୫୧ ପ୍ରତିଶତ ଅଂଶଧନ ଥାଇ ଆମେ ଚାକର ହେବୁ, ୪୯ ପ୍ରତିଶତ ଅଂଶଧନ ଥାଇ ସେମାନେ ମାଲିକ ହେବେ? ଆମେ ଏଇଏଏସ୍‌କୁ ଶାସନ କରିବାକୁ ନିଯୁକ୍ତି ଦେଇ ନ ଥିଲୁ। କର୍ମଚାରୀମାନେ ସେଠାରେ ଅତ୍ୟାଚାରିତ ହେଉଛନ୍ତି। ଚୁକ୍ତିକୁ ସମୀକ୍ଷା କରି ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହ‌ିଲେ, ଓପିଜିସିରେ ବିଦେଶୀ ସଂସ୍ଥା ପଶି ଲୁଟ୍‌ କରୁଛି। ଏହି ଲୁଟ୍‌ରେ ଆମେ ସାହାଯ୍ୟ କରୁଛୁ। ଏଇଏସ୍‌ ସହ ହୋଇଥିବା ଚୁକ୍ତିକୁ ଆମେ କାହିଁକି ସମୀକ୍ଷା କରିପାରିବୁନି ? ଗୃହର ଉଦ୍‌ବେଗ ଦେଖି ସରକାର ପଦକ୍ଷେପ ନିଅନ୍ତୁ। ଚୁକ୍ତିପତ୍ରର ଆଇନଗତ ତର୍ଜମା ହେଉ। ବାଟ ନିଶ୍ଚିତ ବାହାରିବ। କିନ୍ତୁ ସରକାରଙ୍କର ଇଚ୍ଛା ଶକ୍ତି ଥିବା ଦରକାର।

ସମ୍ବନ୍ଧିତ ଖବର