ନୂଆମୋଡ଼ ନେଲା ଓପିଜିସି ମାମଲା : ସୁପ୍ରିମକୋର୍ଟ ଗଲା ଗ୍ରିଡ୍‌କୋ; ମାସେ ସମୟ ଦେଲେ ଆୟୋଗ, ଅଗଷ୍ଟ ୧୪ରେ ପରବର୍ତୀ ଶୁଣାଣି

ଭୁବନେଶ୍ୱର : ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ଲଗାତାର ତିନି ବର୍ଷ ପାଇଁ ଓଡ଼ିଶା ପାଓ୍ଵାର ଜେନେରେସନ୍‌ କର୍ପୋରେସନ୍‌ର ପ୍ରଥମ ଦୁଇଟି ୟୁନିଟ୍‌ ଲାଗି ବିଦ୍ୟୁତ ଦର ଧାର୍ଯ୍ୟ ନେଇ ସାନି ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଶୁଣାଣି ଆରମ୍ଭରୁ ମାମଲାଟି ରୋଚକ ମୋଡ଼ ନେଇଛି।

ଆଜି ଗ୍ରିଡ୍‌କୋ ଏ ସଂପର୍କରେ ମତ ରଖିବା ପରିବର୍ତେ ଆୟୋଗଙ୍କୁ ଜଣାଇଛନ୍ତି, ଓପିଜିସି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସେମାନେ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି। ଏହି ନିର୍ଦେଶନାମାର ଚ୍ୟାଲେଞ୍ଜ କରାଯାଇଛି। ଏଣୁ କୋର୍ଟ ଏ ସଂକ୍ରାନ୍ତରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପର୍ଯ୍ୟନ୍ତ ଶୁଣାଣି ନ କରିବା ଲାଗି ଗ୍ରିଡ୍‌କୋ ନିବେଦନ କରିଥିଲା। କେବଳ ସେତିକି ନୁହେଁ, ଗ୍ରିଡ୍‌କୋ ଏକଥା ବି ଜଣାଇଥିଲା ଯେ ଓପିଜିସି ଦରଖାସ୍ତ ଉପରେ ପ୍ରତିଜବାବ ଏଯାଏ ପ୍ରସ୍ତୁତ ହୋଇନାହିଁ। ଏଥିପାଇଁ ଅଧିକ ସମୟ ଦରକାର।

ଆୟୋଗ ଏହି ମାମଲାରେ ଗ୍ରିଡ୍‌କୋ ସମେତ ମୋଟ ୮ଜଣଙ୍କୁ ନୋଟିସ କରାଯାଇଥିଲା। ପ୍ରତିଜବାବ ଦାଖଲ ପାଇଁ ଆୟୋଗ ନୋଟିସ କରିଥିବା ଏହି ସଂସ୍ଥାମାନେ ଅଧିକ ସମୟ ଲୋଡିଥିବା ସୂଚନା ମିଳିଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏହାକୁ ଗ୍ରହଣ କରିବା ସହିତ ପ୍ରତିଜବାବ ଦାଖଲ ପାଇଁ ମାସେ ସମୟ ଦେଇଛନ୍ତି। ପରବର୍ତୀ ଶୁଣାଣି ଅଗଷ୍ଟ ୧୪ ତାରିଖରେ ହେବ।  ଗତ ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶ ଅନୁସାରେ ଆୟୋଗ ଆଜି ଶୁଣାଣି ଆରମ୍ଭ କରିଥିଲେ।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ପାଓ୍ଵାର ଜେନେରେସନ୍‌ କର୍ପୋରେସନ୍‌ରେ ରାଜ୍ୟ ସରକାରଙ୍କର ୫୧% ଅଂଶଧନ ରହିଛି। ବାକି ୪୯% ଏଇଏସ୍‌ର। କେବଳ ସେତିକି ନୁହେଁ, ଓପିଜିସିର ଅଧ୍ୟକ୍ଷ ହେଉଛନ୍ତି ହେମନ୍ତ ଶର୍ମା, ଯିଏ କି ରାଜ୍ୟ ଶକ୍ତି ବିଭାଗର ମଧ୍ୟ ସଚିବ। ସରକାରଙ୍କ ଶକ୍ତି ବିଭାଗ ଦାୟିତ୍ୱରେ ଥାଇ ସଚିବ ଗୋଟିଏ ପଟେ ଆୟୋଗର ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। କୋର୍ଟ ବିଦ୍ୟୁତ ଦର ସାନି ମୂଲ୍ୟାୟନ ନେଇ ନିର୍ଦେଶ ଦେବା ପରେ ପୁଣି ଥରେ ଓପିଜିିସି ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ଓ ଆଜି ଏହି କ୍ରମରେ ଶୁଣାଣି ଆରମ୍ଭ ହୋଇଥିଲା।

ଏପଟେ ଗ୍ରିଡ୍‌କୋ କ୍ଷତିଗ୍ରସ୍ତ ସଂସ୍ଥା ହିସାବରେ ଓପିିଜିସିର ଦର ବୃଦ୍ଧିକୁ ବିରୋଧ କରିବା ଲାଗି ପୁଣି ଥରେ ସୁପ୍ରିମକୋର୍ଟ ଯିବା ଦ୍ୱାରା ଉପଭୋକ୍ତା ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।  ବିଦ୍ୟୁତ ଦର ଧାର୍ଯ୍ୟ ନେଇ ହୋଇଥିବା ଶୁଣାଣି ପ୍ରକ୍ରିୟାରେ ଅନ୍ୟସବୁ ସଂସ୍ଥାକୁ ଆୟୋଗ ଯେଭଳି ଶୁଣି ଦର ଧାର୍ଯ୍ୟ କରୁଛନ୍ତି, ଓପିଜିସିକୁ ମଧ୍ୟ ଅନୁରୂପ ଢଙ୍ଗରେ ଶୁଣାଯାଇଥିଲା। ମାତ୍ର ପାଓ୍ଵାର ପର୍ଚେଜ୍‌ ଏଗ୍ରିମେଣ୍ଟ ଅନୁସାରେ ଦର ଧାର୍ଯ୍ୟ ଉପରେ ଓପିଜିସି ଗୁରୁତ୍ୱାରୋପ କରିଥିଲା। ଏଣୁ ଆୟୋଗଙ୍କ ଏହି ନିଷ୍ପତ୍ତି ବିରୋଧରେ ସଂପୃକ୍ତ ସଂସ୍ଥା କୋର୍ଟକୁ ଯାଇଥିଲେ।

ସମ୍ବନ୍ଧିତ ଖବର