ଝାରସୁଗୁଡ଼ା: ‘ପୂର୍ବତନ ବିଧାୟକ ପ୍ରସନ୍ନ ପଣ୍ଡାଙ୍କଠାରୁ ବିଧାନସଭାରେ ଏହି ଅଞ୍ଚଳର ବଳିଦାନ, କଷ୍ଟ ସମ୍ପର୍କରେ ଶୁଣିଛି ଓ ବୁଝିଛି। ଏହି ଅଞ୍ଚଳର ଲୋକଙ୍କ ପ୍ରତି ନ୍ୟାୟ ହେବ। ଏ ସରକାର ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବ। ଓପିଜିସି କର୍ମଚାରୀଙ୍କ ଦାବି ପୂରଣ ଦିଗରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।’ ଆଜି ଇବ୍ ଥର୍ମାଲସ୍ଥିତ ଓପିଜିସି କ୍ଲବରେ ଅନୁଷ୍ଠିତ ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘର ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଭଳି ମତବ୍ୟକ୍ତ କରିଛନ୍ତି। ଓପିଜିସି କର୍ମଚାରୀ ଓ ଅଧିକାରୀ ସଂଘର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଶକ୍ତି ସଚିବ ବିଶାଳ ଦେବ, ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଓପିଜିସି ଅଧିକାରୀ ସଂଘର ସଭାପତି ଧନଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ।
ଓଡ଼ିଶାରେ ଏଭଳି ଓ ଏତେ ବଡ଼ ରାଜନୈତିକ ପରିବର୍ତ୍ତନ ହେବ ବୋଲି କେହି ଭାବିନଥିଲେ। ତେବେ ଓପିଜିସି କ୍ଷେତ୍ରରେ ବି ଏହି ପରିବର୍ତ୍ତନର ପ୍ରଭାବ ପଡ଼ୁ, ଏଠାକାର କର୍ମଚାରୀ ପରିବର୍ତ୍ତନକୁ ଅନୁଭବ କରନ୍ତୁ ବୋଲି ଉପଦେଷ୍ଟା ଶ୍ରୀ ପଟ୍ଟନାୟକ କହିଥିଲେ। ଜଗନ୍ନାଥଙ୍କ ପରେ ଓପିଜିସି ହେଉଛି ଓଡ଼ିଆ ଅସ୍ମିତାର ଏକ ବଡ଼ ପ୍ରମାଣ। ଯେଉଁମାନେ ୧ ଓ ୨ ନଂ ୟୁନିଟ୍ ପ୍ରତିଷ୍ଠା କରିଥିଲେ ସେମାନଙ୍କ ପରବର୍ତ୍ତୀ ଚାକିରି ଜୀବନ ପାଇଁ ସରକାର କିଛି କରିପାରିଲେ ଖୁସି ହେବୁ ବୋଲି ଶ୍ରୀ ପଟ୍ଟନାୟକ ଅତିଥିମାନଙ୍କୁ ଅନୁରୋଧ କରିଥିଲେ। ଏହାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଏହି ସରକାର ଶୁଣିବା ପାଇଁ ପ୍ରସ୍ତୁତ ଓ କରିବା ପାଇଁ ବି ପ୍ରସ୍ତୁତ। ଏହି ଅଞ୍ଚଳର ଲୋକେ ରାଷ୍ଟ୍ରଗଠନ ପାଇଁ ବହୁ ମୂଲ୍ୟ ଦେଇଛନ୍ତି। କିନ୍ତୁ ପ୍ରତି ବଦଳରେ ପାଇଛନ୍ତି ବେରୋଜଗାର ଓ ପାଉଁଶ। ଓପିଜିସି ପାଇଁ କାମ କରିଥିବା ତଥା କରୁଥିବା କର୍ମଚାରୀଙ୍କ ସାମାଜିକ ସୁରକ୍ଷା ହେଉଛି ତାଙ୍କର ଅଧିକାର। ସେମାନଙ୍କୁ ତାଙ୍କ ଅଧିକାର ଦେବା ସରକାରଙ୍କର ଉତ୍ତରଦାୟିତ୍ବ। କେବଳ ସେତିକି ନୁହେଁ, ବରଂ ଆଉଟ୍ସୋର୍ସିଂ କମ୍ପାନିରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କର ଦାୟିତ୍ବ ମଧ୍ୟ ଓପିଜିସି ଓ ଶକ୍ତି ବିଭାଗ ନିଅନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ। ଓପିଜିସି କର୍ମଚାରୀଙ୍କ ପେନ୍ସନ ଓ ଅନ୍ୟାନ୍ୟ ଦାବି ପ୍ରସଙ୍ଗରେ ମନ୍ତବ୍ୟ ରଖି ଯଥୋଚିତ ଦାବିଗୁଡ଼ିକର ସମାଧାନ କରାଯିବ ବୋଲି ଶକ୍ତି ସଚିବ ବିଶାଳ ଦେବ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/25/aU700cF7y8MCE1ny2nI8.jpg)