ଓପିଜିସି ପରିଚାଳନା ରାସ୍ତା ଫିଟିଲା
ମାନବ ସମ୍ବଳ ଦେବାକୁ ରାଜିହେଲା ଏନ୍ଟିପିସି, ଡେପୁଟେସନରେ ଆସିବେ ୮ ବରିଷ୍ଠ ଅଧିକାରୀ
ଭୁବନେଶ୍ୱର : ଏଇଏସ୍ର ୪୯ ପ୍ରତିଶତ ଅଂଶଧନ କିଣିବା ପରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ ବା ଓପିଜିସି କିଭଳି ପରିଚାଳନା ହେବ, ସେ ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆପାତତଃ ଟଳିଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ଏନଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କନସଲଟାନ୍ସି) ଏନ ସି ଗୁରୁଜଙ୍ଗ ଝାରସୁଗୁଡ଼ା ଜିଲ୍ଲା ବନହରପାଲ୍ଲିଠାରେ ଥିବା ଓପିଜିସି ପ୍ଲାଣ୍ଟକୁ ୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଡେପୁଟେସନରେ ପଠାଇବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଇଏସ ବିଦା ହେବା ପରେ ଏହାର ପରିଚାଳନା କିଭଳି ଢଙ୍ଗରେ ସେ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। ମୋଟା ଅଙ୍କରେ ନିଯୁକ୍ତ ପାଇଥିବା ଏଇଏସ୍ ଅଧିକାରୀଙ୍କୁ ବିଦା କରିବା ପାଇଁ ଓପିଜିସି ଅଫିସର୍ସ ଆସୋସିଏସନ୍ ବାରମ୍ବାର ଦାବି କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଅନ୍ୟପଟେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ଏତେ ବଡ଼ ପ୍ଲାଣ୍ଟର ପରିଚାଳନା କିଭଳି ଠିକଣା ଢଙ୍ଗରେ ହୋଇପାରିବ ସେ ନେଇ ସହଯୋଗ ଯୋଗାଇ ଦେବା ଲାଗି ଏନ୍ଟିପିସିକୁ ଚିଠି ଲେଖି ଜଣାଇଥିଲେ।
ଶ୍ରୀ ଧଳ ଏନଟିପିସିକୁ ଲେଖିଥିବା ଚିଠିରେ ଓପିଜିସିର ସ୍ଥିତି ଓ ତା ସାମ୍ନାରେ ଥିବା ଆହ୍ବାନ ସଂପର୍କରେ ଅବଗତ କରିଥିଲେ। ସେ ଦର୍ଶାଇଥିଲେ ଯେ ଓପିଜିସି ରାଜ୍ୟର ଏକମାତ୍ର ରାଷ୍ଟ୍ରାୟତ୍ତ ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା। ୧୯୯୪ ଓ ୧୯୯୬ ମସିହାରେ ଓପିଜିସି ପକ୍ଷରୁ ଦୁଇଟି ପାୱାର ପ୍ଲାଣ୍ଟ (୨x୨୧୦ ମେଗାୱାଟ)ରେ ୧୧୩୫ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହୋଇଥିବା ଏହି ଦୁଇଟି ୟୁନିଟ୍ରୁ ବିଜୁଳି ଉତ୍ପାଦନ ଭଲ ରହିଛି। ଏହାର ପ୍ଲାଣ୍ଟ ଲୋଡ ଫ୍ୟାକ୍ଟର ୮୫ ପ୍ରତିଶତରୁ ଅଧିକ ରହିଛି।
ଏକ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ରାଜ୍ୟ ସରକାର ୧୯୯୮-୯୯ରେ ଓପିଜିସିର ୪୯ ପ୍ରତିଶତ ଅଂଶଧନକୁ ଏଇଏସ କମ୍ପାନିକୁ ବିକ୍ରି କରିଥିଲେ।
ନିକଟରେ ଓପିଜିସି ପକ୍ଷରୁ ତୃତୀୟ ଓ ଚତୁର୍ଥ ଉତ୍ପାଦନ ୟୁନିଟ ସ୍ଥାପନ ହୋଇଛି। ତୃତୀୟ ଓ ଚତୁର୍ଥ ୟୁନିଟରେ ୬୬୦ ମେଗାୱାଟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିଛି। ଏହି ଦୁଇଟି ୟୁନିଟରୁ ବାଣିଜ୍ୟିକ କାରବାର ଯଥାକ୍ରମେ ୨୦୧୯ ଜୁଲାଇ ଏବଂ ଅଗଷ୍ଟରୁ ଆରମ୍ଭ ହୋଇଛି। ଏହାର ଅବଶିଷ୍ଟ କାର୍ଯ୍ୟ ଯଥା ପାଉଁଶ ପରିଚାଳନା ପ୍ଲାଣ୍ଟ, ମେରି ଗୋ ରାଉଣ୍ଡ ରେଳଲାଇନ (ଏମଜିଆର) ଆଦି କାର୍ଯ୍ୟ ଆଗେଇ ଚାଲିଛି। ତେବେ ପାଉଁଶ ପରିଚାଳନାକୁ ନେଇ କିଛି ସମସ୍ୟା ଦେଖାଦେଇଛି। ଏଥିଯୋଗୁ ଏହି ୟୁନିଟ ଦୁଇଟିରୁ ସର୍ବାଧିକ କ୍ଷମତାରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁ ନାହିଁ। ଥରେ ଏହି ସଂପ୍ରସାରଣ କାର୍ଯ୍ୟ ଶେଷ ହେଲେ ଏବଂ ପାଉଁଶ ପରିଚାଳନା ପ୍ରକଳ୍ପରେ ରହିଥିବା ସମସ୍ୟା ସମାଧାନ ହୋଇଗଲେ ପ୍ଲାଣ୍ଟ ଲୋଡ ଫ୍ୟାକ୍ଟର ୮୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶା ରହିଛି।
ଶ୍ରୀ ଧଳ ଦର୍ଶାଇଥିଲେ ଯେ ୨୦୨୦ ଜୁନ ୨୬ ତାରିଖରେ ଏଇଏସ କର୍ପୋରେସନ ଏହାର ୪୯ ପ୍ରତିଶତ ଅଂଶଧନ ବିକ୍ରି ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଥିଲା। ରାଜ୍ୟ ସରକାର ତାଙ୍କର ପ୍ରଥମେ ମନା କରିବା ଅଧିକାର(ଆରଓଏଫଆର) କ୍ଷମତାକୁ ଉପଯୋଗ କରିବା ସହିତ ଓଏଚପିସିକୁ ଏଇଏସର ୪୯ ପ୍ରତିଶତ ଅଂଶଧନ କିଣିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଚପିସି ପ୍ରତିନିଧିତ୍ବ କରି ଏହି ଅଂଶଧନ କ୍ରୟ କାର୍ଯ୍ୟକୁ ଚଳିତମାସ ୨୬ ତାରିଖ ସୁଦ୍ଧା ଶେଷ କରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଓପିଜିସିରେ ପରିଚାଳନା ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ (ପରିଚାଳନା) ଆଦି ପଦବି ସମେତ ଅନ୍ୟ ୧୭ଟି ପ୍ରମୁଖ ପଦବି ପାଇଁ ଏଇଏସ ତାହାର ଅଧିକାରୀମାନଙ୍କୁ ନିଯୁକ୍ତି ଦେଇଥିଲା। ରାଜ୍ୟ ସରକାର ଏବେ ଏଇଏସର ଅଂଶଧନ କିଣିବା ପରେ ଓପିଜିସି ସମେତ ଓସିପିଏଲରେ ନିଯୁକ୍ତ ଏଇଏସର ନିର୍ଦ୍ଦେଶକମାନେ ମଧ୍ୟ ଇସ୍ତଫା ଦେବେ। ତେଣୁ ଓପିଜିସିକୁ ଏସବୁ ପଦବିରେ ଅଧିକାରୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ହେବ। ଏଣୁ ଏନ୍ଟିସିପି ତାର ଅଭିଜ୍ଞ ଅଧିକାରୀମାନଙ୍କୁ ପଠାଇଲେ, ଓପିଜିସିର ୧୭୪୦ ମେଗାୱାଟ ବିଶିଷ୍ଟ ବନହରପାଲ୍ଲି ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ କୌଣସି ସମସ୍ୟା ରହିବ ନାହିଁ। ନଭେମ୍ବର ମାସରୁ ଓପିଜିସିକୁ ପ୍ରମୁଖ ଅଧିକାରୀଙ୍କୁ ଡେପୁଟେସନରେ ପଠାଇବା ଲାଗି ଶ୍ରୀ ଧଳ ଚିଠି ଲେଖି ଅନୁରୋଧ କରିଥିଲେ।
ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଲେଖିଥିବା ଚିଠିର ସକାରାତ୍ମକ ଉତ୍ତର ଏନଟିପିସି ଦେଇଛି। ରାଜ୍ୟ ସରକାର ଏହା ଉପରେ ତାଙ୍କର ମତାମତ ଜଣାଇଲେ ଏନଟିପିସି କେଉଁ ଅଧିକାରୀଙ୍କୁ ବନହରପାଲ୍ଲିସ୍ଥିତ ଓପିଜିସି ପ୍ଲାଣ୍ଟ ପରିଚାଳନା ପାଇଁ ପଠାଇବ ସେ ଦିଗରେ ପଦକ୍ଷେପ ନେବ। ଏଥିସହିତ ଓପିଜିସିକୁ ମଧ୍ୟ ଏ ସଂକ୍ରାନ୍ତରେ ବିଧିବଦ୍ଧ ଅଫର ପ୍ରଦାନ କରିବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି।