ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି) ଅଫିସର୍ସ ଆସୋସିଏସନ୍ ଓ ଏମ୍ପ୍ଳୟିଜ ୟୁନିୟନ୍ର କର୍ମଚାରୀମାନେ ସେମାନଙ୍କ ୧୩ ଦଫା ଦାବି ୨୦୧୬ ମସିହାରୁ ଉଚ୍ଚ କର୍ତ୍ତୃପକ୍ଷ, ସରକାରୀ ପଦାଧିକାରୀ ଏବଂ ଶକ୍ତିମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଉପସ୍ଥାପିତ କରିଆସୁଛନ୍ତି। ମାତ୍ର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଉକ୍ତ କର୍ମଚାରୀ ଦୀର୍ଘ ଦିନରୁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହା ମଧ୍ୟରେ ଓପିଜିସିର ୪୯ ପ୍ରତିଶତ ଅଂଶୀଦାର ଥିବା ଆମେରିକୀୟ ଏଇଏସ୍ କମ୍ପାନି ତା’ର ଅଂଶଧନ ୨୦୨୦ ଡିସେମ୍ବର ମାସରୁ ପ୍ରତ୍ୟାହାର କରିନେବା ପରେ ଏବେ ସରକାରଙ୍କ ହାତରେ ଓପିଜିସିର ଶତ ପ୍ରତିଶତ ମାଲିକାନା। ହେଲେ ଦୀର୍ଘ ୨୫ ବର୍ଷ ଧରି କାମ କରୁଥିବା ସଂଘ କର୍ମଚାରୀମାନେ ଆଜି ବି ଅବହେଳିତ।
ଉଭୟ ସଂଘ ୨୦୨୦ରୁ କଳାବ୍ୟାଜ୍ ପିନ୍ଧି ମଧ୍ୟାହ୍ନ ବିରତି ସମୟରେ ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଓପିଜିସି ଅଧ୍ୟକ୍ଷ ଆଲୋଚନା ପାଇଁ ଡାକିବାରୁ ୩୧ ଜାନୁୟାରି ୨୦୨୧ରୁ ବିକ୍ଷୋଭ ପ୍ରଦର୍ଶନ ସ୍ଥଗିତ ରଖାଯାଇଥିଲା। ଗତ ୨୨ ଫେବ୍ରୁୟାରିରେ ଓପିଜିସି ଅଧ୍ୟକ୍ଷ ଉଭୟ ସଂଘ ସହିତ ଆଲୋଚନା କରି ଓପିଜିସିରେ ନୂତନ ଏମ୍ଡି ଓ ଡାଇରେକ୍ଟର୍ ଅପରେସନ୍ ପଦ ପୂରଣ ପରେ ଏହାର ସମାଧାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।
ଏହା ମଧ୍ୟରେ ଏମ୍ଡି ଓ ଡାଇରେକ୍ଟର୍ ଅପରେସନ୍ଙ୍କ ନିଯୁକ୍ତି ତିନି ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସଂଘ ତରଫରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ଫଳରେ ଉଭୟ ସଂଗଠନର କର୍ମଚାରୀମାନେ ଗତ ଦୁଇ ତାରିଖରୁ କଳାବ୍ୟାଜ୍ ପରିଧାନ କରି ନିଜର ଅସନ୍ତୋଷ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଆଗାମୀ ଦିନରେ ଯଦି ଓପିଜିସି କର୍ତ୍ତୃପକ୍ଷ ଏବଂ ସରକାର ସମସ୍ୟାର ସମାଧାନ ନ କରନ୍ତି ତା’ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଉଭୟ ସଂଗଠନର କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି।
ସଂଘର ୧୩ ଦଫା ଦାବି ମଧ୍ୟରେ ସପ୍ତମ ବେତନ କମିସନଙ୍କ ସୁପାରିସକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବା, ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟ ବୀମା ୮୦ ବର୍ଷ ପର୍ଯ୍ୟନ୍ତ ସଂପ୍ରସାରଣ, ଅନ୍ୟ ସରକାରଙ୍କ ପେନସନ୍ ଯୋଜନା ଅନୁସାରେ ଓପିଜିସିରେ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରିବା, ସମାନ କାମକୁ ସମାନ ଦରମା ଏବଂ କ୍ୟାଡର୍ କର୍ମଚାରୀମାନଙ୍କୁ ସଠିକ୍ ସମୟରେ ପଦୋନ୍ନତି ଦେବା ପ୍ରମୁଖ ବିଷୟ ରହିଛି। ତାହା ସହିତ ଏଇଏସ୍ ଅଧିକାରୀଙ୍କୁ ତୁରନ୍ତ ବାହାର କରିବା ପାଇଁ ଦାବି ରହିଛି। ଅନ୍ୟ ବିଦ୍ୟୁତ୍ କମ୍ପାନି ଭଳି ଓପିଜିସିରେ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା, ଏଇଏସ୍ର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ତୁରନ୍ତ ଓପିଜିସିରୁ ବହିଷ୍କାର କରିବା, ପ୍ଲାଣ୍ଟର ଦୁରାବସ୍ଥା ପାଇଁ ଉକ୍ତ ଏଇଏସ୍ ଅଧିକାରୀଙ୍କୁ ଗିରଫ କରିବା ଆଦି ଦାବି ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/OPGC.jpg)