ଏଇଏସ୍‌ର ୪୯ % ଅଂଶଧନକୁ ଅଧିଗ୍ରହଣ କରନ୍ତୁ ସରକାର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓପିଜିସି ଅଫିସର୍ସ ଆସୋସିଏସନ୍

ଭୁବନେଶ୍ବର : ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ବା ଓପିଜିସିର ୫୧ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ନିକଟରେ ଥିବା ବେଳେ ବଳକା ୪୯ ପ୍ରତିଶତ ଏଇଏସ୍ ପାଖରେ ରହିଛି। ତେବେ ଓପିଜିସିର ପରିଚାଳନା ଦାୟିତ୍ବ ଏଇଏସ ହାତରେ ରହିଛି। ୟୁନିଟ୍‌ ୩ ଓ ୪ର ସଂପ୍ରସାରଣ ଦାୟିତ୍ବ ଏଇଏସ୍‌ ହାତରେ ଥିବା ବେଳେ ଉପଯୁକ୍ତ ପରିଚାଳନା ଅଭାବରୁ ୨୦୧୭ ମସିହାରେ ସଂପୂର୍ଣ୍ଣ ହେବାକୁ ଥିବା କାର୍ଯ୍ୟ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଏହା ଫଳରେ ଉଭୟ କମ୍ପାନି ଓ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ତେଣୁ ଏଇଏସ୍‌ର ୪୯ ପ୍ରତିଶତ ଅଂଶଧନକୁ ରାଜ୍ୟ ସରକାର ଅଧିଗ୍ରହଣ ଲାଗି ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

ସଂଘର କହିବା ମୁତାବକ, ଓପିଜିସିକୁ ଠିକଣା ଢଙ୍ଗରେ ପରିଚାଳନା କରିବାରେ ଏଇଏସ୍ ବିଫଳ ହୋଇଥିବାରୁ ଓପିଜିସି-୧(ୟୁନିଟ୍‌ ୧ ଓ ୨) ମଧ୍ୟ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଫଳରେ ବିପୁଳ ପରିମାଣରେ ରାଜସ୍ବ ହରାଇବ। ଏଇଏସ୍ ଯୋଗୁଁ ଗ୍ରିଡ୍‌କୋ ସହ ଓପିଜିସି ଶତ ପ୍ରତିଶତ ପିପିଏ କାର୍ଯ୍ୟକାରୀ କରିପାରି ନାହିଁ। ଫଳରେ ଗ୍ରିଡକୋ ଶତ ପ୍ରତିଶତ ପିପିଏରେ ବିଜୁଳି ଯୋଗାଣ ପାଇଁ ଆହୁରି ୩ବର୍ଷ ସମୟ ଲାଗିବା ନେଇ ଆଶଙ୍କା ଦେଖା ଦେଇଛି। ଓସିପିଏଲ୍ ପକ୍ଷରୁ ରେଳ ଯୋଗେ କୋଇଲା ଯୋଗାଣ ପାଇଁ ଏମଜିଆର ରେଳବାଇ ଲାଇନ୍ ଏ ପର୍ଯ୍ୟସ୍ତ ପ୍ରସ୍ତୁତ ହୋଇପାରି ନାହିଁ। ଫଳରେ ଓପିଜିସି ଚଢ଼ା ଦରରେ ଏମ୍‌ସିଏଲରୁ କୋଇଲା କିଣିବାକୁ ବାଧ୍ୟ ହେଉଛି। ଯାହାର ପ୍ରଭାବ ବିଜୁଳି ଦର ଉପରେ ପଡ଼ୁଛି। ପ୍ରକଳ୍ପ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଲାଗି ଓପିଜିସିରେ ଏଇଏସ୍ ପକ୍ଷରୁ ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦରେ ୧୦୦ କୋଟି ଟଙ୍କା ଦିଆ ସରିଲାଣି। ମାତ୍ର କୌଣସି ସୁଫଳ ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ଏଇଏସ୍‌ର କାର୍ଯ୍ୟ ଦକ୍ଷତା ଓ ଚୁକ୍ତିର ସମୀକ୍ଷା କରି ନାହାନ୍ତି। ଏଭଳି ପରିସ୍ଥିତିରେ ଏଇଏସ୍ ଠିକଣା ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଓ ଓପିଜିସିକୁ ଶତ ପ୍ରତିଶତ ବିଜୁଳି ବିକ୍ରି କରିବା ନେଇ ସନ୍ଦେହ ଦେଖାଦେଇଛି। ତେଣୁ ରାଜ୍ୟ ସରକାର ଏଇଏସ୍‌ର ଅଂଶଧନକୁ କିଣିବା ସହ ଓପିଜିସି‌‌ରେ ଏଇଏସ୍‌ର କାର୍ଯ୍ୟର ସମୀକ୍ଷା କରିବା ଦରକାର। ଏହାସହ ଏଲଟିଓଏ ବାବଦ କ୍ଷତି ସହିତ ଏଏଚ୍‌ପି ବାବଦ ଖର୍ଚ ଓ ରିସୋର୍ସ ସେୟାରିଂ ବାବଦ ଖର୍ଚକୁ ବାଦ୍ ଦେଇ ବଳକା ଅର୍ଥ ଏଇଏସ୍‌କୁ ପ୍ରଦାନ କରାଯାଉ। ଖରାପ ପ୍ରଦର୍ଶନ ଓ ବିଶ୍ବାସର ଉଲ୍ଲଂଘନ ନେଇ ‌ଏଇଏସ୍ ବିରୋଧରେ ସେସୁରେ ଏକ ମାମଲା ଚାଲିଥିବା ସଂଘ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାଦ୍ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ଉନ୍ନୟନ କମିସନର ଓ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର