ଓପିଜିସି ପାଉଁଶ ପୋଖରୀ ବିବାଦ: ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ମହିଳା

ଇବ୍‌ଥର୍ମାଲ: ଓପିଜିସିର ତିଲିଆସ୍ଥିତ ଆସପଣ୍ଡଠାରେ ବିଭିନ୍ନ ଦାବି ନେଇ ଧାରଣା ଦେଇଥିବା ୧୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଧାରଣା ଗୁରୁବାର ଅଷ୍ଟମ ଦିନରେ ପହଞ୍ଚିଥିଲା। ତେବେ ଲିଖିତ ପ୍ରତିଶ୍ରୁତି ପରେ ମହିଳାମାନେ ଧାରଣାରୁ ଉଠିଛନ୍ତି। ଗତ ୩୧ ଡିସେମ୍ବରଠାରୁ ନୂଆପଡ଼ା, ଭଟ୍‌ଲି ଓ ସଂସନାଟିକ୍ରାର ମହିଳା ସଂଗଠନ ସଦସ୍ୟା ପ୍ରଶାସନ ତଥା ଓପିଜିସି କର୍ତୃପକ୍ଷ ଗତ ୨୦ ଜୁନରେ ଦେଇଥିବା ଲିଖିତ ପ୍ରତିଶ୍ରୁତିର ଖିଲାପ ଓ ଅନ୍ୟାନ୍ୟ ଦାବି ନେଇ ଆସପଣ୍ଡ କାମ ବନ୍ଦକରି ଧାରଣା ଦେଇଥିଲେ।

ଧାରଣାକୁ ସମର୍ଥନ ଜଣାଇ ସୋମବାର ବରଗଡ଼ ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା, କଂଗ୍ରେସ ଜିଲ୍ଲା ସଂପାଦକ ସୁବ୍ରତ ପ୍ରଧାନ, ବରିଷ୍ଠ କଂଗ୍ରସ କର୍ମୀ ଲିଙ୍ଗରାଜ ବଢାଇ ପ୍ରମୁଖ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଲଖନପୁର ଅତିରିକ୍ତ ତହସିଲଦାର ମାନସ ରାଏ, ଓପିଜିସି ଡିଜିଏମ୍ ଦେବର୍ଚ୍ଚନ ସାହୁ, ବନହରପାଲି ଆଇଆଇସି ପ୍ରଶାନ୍ତ ମେହେର ପ୍ରମୁଖ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସାମଲ ନାଏକ, ବନ୍ଧବାହାଲ ମଣ୍ଡଳ ସଭାପତି ହେମନ୍ତ ପଟେଲ, ଆଲୋକ ସାହୁ, କେଶବ ନାଏକ ତଥା ଗୌତମ ସେଠ୍ ମହିଳାଙ୍କ ପକ୍ଷ ରଖିଥିଲେ। ପରେ ଅତିରିକ୍ତ ତହସିଲଦାର ଶ୍ରୀ ରାଏ ଓ ଡିଜିଏମ୍ ଶ୍ରୀ ସାହୁ ୧୫ ଦିନ ସମୟ ମାଗି ଜମିର ବକେୟା ପାଉଣା ପଇଠ କରିବା, ଗଛର କ୍ଷତିପୂରଣ ରାଶି ପ୍ରଦାନ, ବେକାର ଯୁବକଙ୍କୁ ପର୍ଯ୍ୟାୟକ୍ରମେ ଠିକା କଂପାନିରେ ନିଯୁକ୍ତି ଦେବା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ତାଲିକା ତିଆରି କରି ଯୋଗ୍ୟତା ଅନୁସାରେ ଚୟନ କରିବା, ଭୂମିହୀନ ପରିବାରଙ୍କୁ ବାସସ୍ଥାନ ପାଇଁ ୪ ଡିସିମିଲ ଜମି ଯୋଗାଇଦେବା, ଚିକିତ୍ସା ପାଇଁ ପ୍ରାଥମିକତା ସହ ମୋବାଇଲ ଚିକିତ୍ସା ସେବା ଓ ସଂସନାଟିକ୍ରା ଗ୍ରାମ ସହ ଗତ ୨୦ ଜୁନ୍‌ରେ ଦେଇଥିବା ନିଷ୍ପତ୍ତିକୁ ପୂରଣ କରିବା ନେଇ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା।

ଆଲୋଚନାରେ ମହିଳାଙ୍କ ପକ୍ଷରୁ ମା’ ଅମ୍ବିକା ମହିଳା ସଂଘ ସଂପାଦିକା ତୁଳସୀ ସେଠ୍, ଅଧ୍ୟକ୍ଷା ଲିଲି ସେଠ୍, ସଂଜୁଲତା ସେଠ୍, କୈଳାସିନୀ ବାଗ୍, ଉଷାବତୀ ନାଗ୍, ସୁକାନ୍ତି ସାହୁ, କଳ୍ପେଶ୍ବରୀ ବିଶ୍ବାଳ, କ୍ଷୀର ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏଥର ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ନହେଲେ ଏବଂ ପୂର୍ବଭଳି ପ୍ରତାରିତ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଉଗ୍ରରୂପ ନେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର