ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି) ପରିଚାଳନାଧୀନ ଇବ୍ ଥର୍ମାଲରୁ ଉତ୍ପାଦିତ ବିଦ୍ୟୁତ୍ ରାଜ୍ୟ ଚାହିଦାର ଏକ-ତୃତୀୟାଂଶ ପୂରଣ କରୁଛି। ଓପିଜିସିର ତୃତୀୟ ପର୍ଯ୍ୟାୟ ପ୍ରକଳ୍ପ (୧୩୨୦ ମେଗାୱାଟ୍ କ୍ଷମତାବିଶିଷ୍ଟ) କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଅର୍ଦ୍ଧାଧିକ ବିଦ୍ୟୁତ୍ ଚାହିଦା କେବଳ ଏହି ନିଗମ ପୂରଣ କରିବ। ଟାରିଫ୍ ଦୃଷ୍ଟିରୁ ଓପିଜିସି ବିଦ୍ୟୁତ୍ ମୂଲ୍ୟ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍ଠାରୁ ଶସ୍ତା ହେଲେ ବି ବେଦାନ୍ତ, ଜିନ୍ଦଲ ଭଳି ଘରୋଇ ଉତ୍ପାଦନକାରୀ (ଆଇପିପି) ତୁଳନାରେ କିନ୍ତୁ ଅକାରଣରେ ମହଙ୍ଗା ହେଉଛି। ଫଳରେ ରାଜ୍ୟର ଉପଭୋକ୍ତା ଜାତୀୟ ହାର ତୁଳନାରେ ଅଧିକ ବିଲ୍ ପରିଶୋଧ କରିବାକୁ ବାଧ୍ୟ ହେଉଛନ୍ତି।
ଶକ୍ତି ସମୀକ୍ଷକଙ୍କ ଯୁକ୍ତି ହେଉଛି, ସ୍ବତନ୍ତ୍ର କୋଇଲା ଖଣି ଆବଣ୍ଟନ ନୀତି ଆଧାରରେ କେନ୍ଦ୍ର ସରକାର ମନୋହରପୁର ଓ ଡିପ୍ ସାଇଡ୍ ମନୋହରପୁର ଭଳି ଦୁଇଟି ଉଚ୍ଚ ମାନର କୋଇଲା ଖଣି ଓପିଜିସିର କୋଇଲା ଚାହିଦା ପୂରଣ ପାଇଁ ୨୦୧୫ରେ ଆବଣ୍ଟନ କରିଥିଲେ। ଏହି ଖଣି ଦୁଇଟିକୁ ପାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଓପିଜିସି ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିଃ (ଓସିପିଏଲ୍) ନାମରେ ସହଯୋଗୀ ସଂସ୍ଥା ଗଠନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ୨୦୧୯ରୁ ଓସିପିଏଲ୍ ଏହି ଖଣିରୁ କୋଇଲା ଉତ୍ତୋଳନ କରି ଓପିଜିସିକୁ ଯୋଗାଇ ଆସୁଛି। ହେଲେ କେନ୍ଦ୍ରୀୟ ନୀତି ଅନୁଯାୟୀ ଉପଭୋକ୍ତାମାନେ ଏ ପ୍ରକ୍ରିୟା ଭିତରୁ ଯେଉଁ ପ୍ରତ୍ୟକ୍ଷ ଫାଇଦା ପାଇବା କଥା, ସେଥିରୁ ବଞ୍ଚିତ ହେଉଛନ୍ତି।
ଗେଜେଟ୍ ବିଜ୍ଞପ୍ତି ପରେ କର୍ତ୍ତୃପକ୍ଷ ଚୁପ୍
୬ବର୍ଷ ଧରି ହକ୍ରୁ ବଞ୍ଚିତ ବିଦ୍ୟୁତ୍ ଉପଭୋକ୍ତା
ଶୁଣାଣିରେ ଭାଗନେବେ ସୌମ୍ୟରଂଜନ
ଏଠାରେ ସ୍ମରଣଥାଉକି, ଆବଣ୍ଟିତ କୋଇଲା ଖଣିରୁ ଉପଭୋକ୍ତାଙ୍କୁ ଫାଇଦା ଦେବା ଲକ୍ଷ୍ୟରେ କୋଇଲାର ମୂଲ୍ୟ ନିର୍ଣ୍ଣୟ ସକାଶେ କେନ୍ଦ୍ର ସରକାର କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୧ରେ କେନ୍ଦ୍ରୀୟ ଆୟୋଗ ଏଥିପାଇଁ ଆବଶ୍ୟକ ଅଧିନିୟମ ଲାଗୁ କରି କୋଇଲାର ଟନ୍ ପିଛା ମୂଲ୍ୟକୁ ଏକ ହଜାର ଟଙ୍କା ମଧ୍ୟରେ ସୀମିତ ରଖିଲେ। ଫଳରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ହାରାହାରି ୯୦୦ ଟଙ୍କା ଦରରେ କୋଇଲା ପାଉଛନ୍ତି। ବିଦ୍ୟୁତ୍ ଆଇନର ଧାରା ୬୧ ଅନୁସାରେ କେନ୍ଦ୍ରୀୟ ଆୟୋଗଙ୍କ ଦ୍ବାରା ଜାରି ନୀତି ଓ ନିୟମ ରାଜ୍ୟ ନିୟାମକ ଆୟୋଗଙ୍କ ପାଇଁ ଶିରୋଧାର୍ଯ୍ୟ। ମାତ୍ର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ରହସ୍ୟଜନକ ଭାବେ ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରୁନାହିଁ। ଫଳରେ ଓପିଜିସି କୋଇଲା ମୂଲ୍ୟ ହାରାହାରି ଦୁଇ ଗୁଣ (ଟନ୍ ପିଛା ୧୮୦୦ ଟଙ୍କା) ରହୁଛି। ଏହି କାରଣରୁ ଓଡ଼ିଶାର ଉପଭୋକ୍ତାମାନେ ପ୍ରତ୍ୟକ୍ଷ ଲାଭ ପାଇବା ବଦଳରେ ଅଧିକ ବିଲ୍ ଗଣୁଛନ୍ତି। ଏହି ପ୍ରସଙ୍ଗ ଯେ ଆୟୋଗ ଜାଣନ୍ତି ନାହିଁ, ସେ କଥା ନୁହେଁ। ବରଂ ୨୦୨୩ ଟାରିଫ୍ ଜନଶୁଣାଣି ସମୟରେ ଆୟୋଗଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଶେଷରେ ଆୟୋଗ କୋଇଲା ମୂଲ୍ୟ ନିର୍ଦ୍ଧାରଣ ପାଇଁ ୨୯ ପୃଷ୍ଠାର ଅଧିନିୟମ ଚୂଡ଼ାନ୍ତ କରିଥିଲେ; ଯାହାର ଗେଜେଟ୍ ବିଜ୍ଞପ୍ତି ୨୦୨୪ ମାର୍ଚ୍ଚ ୨୯ରେ ପ୍ରକାଶ ପାଇସାରିଛି।
ବିଡ଼ମ୍ବନା ହେଲା- ଉପରୋକ୍ତ ଅଧିନିୟମ ଅନୁଯାୟୀ ଏ ପର୍ଯ୍ୟନ୍ତ କୋଇଲା ମୂଲ୍ୟ ନିର୍ଣ୍ଣୟ ହେଉନାହିଁ। ଆୟୋଗ ଓପିଜିସିର ଦ୍ବିତୀୟ ପର୍ଯ୍ୟାୟ (ୟୁନିଟ୍ ୩ ଓ ୪) ପାଇଁ ବହୁବର୍ଷୀୟ (୨୦୨୪-୨୫ରୁ ୨୦୨୮-୨୯) ଟାରିଫ୍ ନିର୍ଣ୍ଣୟ ଓ ପୂର୍ବ ବର୍ଷଗୁଡ଼ିକ (୨୦୧୯-୨୦ରୁ ୨୦୨୩-୨୪) ପାଇଁ ଗୃହୀତ ଅସ୍ଥାୟୀ ଟାରିଫ୍ର ବାସ୍ତବତା ନିର୍ଣ୍ଣୟ ସକାଶେ ଚଳିତ ମାସ ୧୫ ତାରିଖରେ ଜନଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଓପିଜିସି ଟାରିଫ୍ ନିର୍ଣ୍ଣୟ ପ୍ରକ୍ରିୟାରେ କୋଇଲା ମୂଲ୍ୟର ଅବଦାନ ପ୍ରାୟ ୫୦ ପ୍ରତିଶତ। ଯେହେତୁ ଅଧିନିୟମ ଆଧାରରେ ଏ ପର୍ଯ୍ୟନ୍ତ କୋଇଲା ମୂଲ୍ୟ ଚୂଡ଼ାନ୍ତ ହୋଇ ନାହିଁ, ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଟାରିଫ୍ ନିର୍ଣ୍ଣୟ ହେବ କିପରି?
ବିଦ୍ୟୁତ୍ ଆଇନର ଧାରା ୮୬ରେ ଆୟୋଗଙ୍କ କାର୍ଯ୍ୟନିର୍ବାହ ଓ କ୍ଷମତା ପରିସର ସ୍ପଷ୍ଟ ଭାବେ ଧାର୍ଯ୍ୟ କରାଯାଇଛି। ଏହି ଆଇନର ଉପଧାରା ୩ ଅନୁଯାୟୀ ଆୟୋଗଙ୍କ କ୍ଷମତା ପ୍ରୟୋଗ ଓ କାର୍ଯ୍ୟଧାରାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ ନିମନ୍ତେ ନିର୍ଦ୍ଦେଶ ରହିଛି। ସୁତରାଂ କୋଇଲା ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ଏ ଯାଏଁ ସାର୍ବଜନୀନ ହୋଇନଥିବା ବେଳେ ଆୟୋଗ କେଉଁ ସ୍ବଚ୍ଛତା ଆଧାରରେ ଜନଶୁଣାଣି କରିବାକୁ ଯାଉଛନ୍ତି, ତାହା ଘୋର ସନ୍ଦେହ ସୃଷ୍ଟି କଲାଣି। ବିଦ୍ୟୁତ୍ ଉପଭୋକ୍ତାଙ୍କ ସୁରକ୍ଷା ତଥା ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଉପରୋକ୍ତ ପ୍ରସଙ୍ଗ ଗୁରୁତ୍ବ ବହନ କରୁଥିବାରୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଆସନ୍ତା ୧୫ରେ ହେବାକୁ ଥିବା ଜନଶୁଣାଣିରେ ଅଂଶଗ୍ରହଣ କରିବାକୁ ଆବେଦନ କରିଛନ୍ତି।